Below header

ସୁଶାନ୍ତ ସିଂହ ଡେଥ୍‌ ମିଷ୍ଟ୍ରି : ରିୟା ଚକ୍ରବର୍ତ୍ତୀଙ୍କ ସହ ୬ ଜଣଙ୍କ ନାମରେ ସିବିଆଇ ଦାଖଲ କଲା ମାମଲା

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ସିବିଆଇ ଆରମ୍ଭ କରିଛି ତଦନ୍ତ । ରିୟା ଚକ୍ରବର୍ତ୍ତୀଙ୍କ ସମେତ ୬ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି ସିବିଆଇ । ମୁମ୍ବାଇ ପୋଲିସର ତଦନ୍ତକାରୀ ଅଧିକାରୀଙ୍କ ସହ ଆଲୋଚନା କରିଥିବା ବେଳେ ବିହାର ପୋଲିସ ସମ୍ପର୍କରେ ରହିଛି ସଂସ୍ଥା । ଏପଟେ ଇଡି ସୁଶାନ୍ତଙ୍କ ବାନ୍ଧବୀ ରିୟାଙ୍କୁ ପଚରାଉଚରା ପାଇଁ ଆସନ୍ତାକାଲି ସୁଦ୍ଧା ହାଜର ହେବାକୁ ସମନ୍ କରିଛି ।

sushant-9

ସିବିଆଇ ରିୟା ଚକ୍ରବର୍ତ୍ତୀ, ତାଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ, ମା’ ସନ୍ଧ୍ୟା ଚକ୍ରବର୍ତ୍ତୀ,ଭାଇ ଶୋଭିକ୍‌ ଚକ୍ରବର୍ତ୍ତୀ, ସାମୁଏଲ୍‌ ମିରାଣ୍ଡା ଓ ଶ୍ରୁତି ମୋଦିଙ୍କ ନାମରେ ଏତଲା ଦାଖଲ କରିଛି । ଏଥିସହ ସିବିଆଇ  ରିୟାଙ୍କ ନାମରେ ଅପରାଧିକ ଷଡ଼ଯନ୍ତ୍ର, ମୃତ୍ୟୁ ପାଇଁ ଉସୁକାଇବା,ଚୋରୀ,ଠକିବା ଓ ଭୟଭୀତ କରିବା ଆଦି ଦଫା ଲଗାଇଛି ।

ଆଜି ଏନେଇ ସିବିଆଇ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀମାନେ ଆଲୋଚନା କରିଛନ୍ତି । ମୁମ୍ବାଇ ପୋଲିସର ତଦନ୍ତକାରୀ ଅଧିକାରୀଙ୍କ ସହ ସିବିଆଇ ଆଲୋଚନା କରିଛି। ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ ବିହାର ମୁଖ୍ୟମନ୍ତ୍ରୀ । ଏହାକୁ ଗ୍ରହଣ କରି କେନ୍ଦ୍ର ସରକାର ସିବିଆଇକୁ ତଦନ୍ତ ଭାର ଦେଇଛନ୍ତି ।

sushant-10

ଏପଟେ ମୁମ୍ବାଇ ଯାଇଥିବା ପାଟ୍ନା ପୋଲିସର ଏସ୍ଆଇଟି ଟିମ୍ ଫେରିଆସିଛନ୍ତି । ବିହାର ପୋଲିସ ସୁଶାନ୍ତ ସିଂହଙ୍କ ମାମଲାରେ ଇଣ୍ଡିଆନ୍‌ ପେନାଲ୍‌ କୋର୍ଡ ଦଫା ୩୪୧,୩୪୮,୩୮୦,୪୦୬,୩୦୬,୫୦୬,୪୨୦ ଓ ୧୨୦ (ଖ)ରେ ଏଫ୍‌ଆଇଆର୍‌ ଦାଖଲ କରିଥିଲା । ସିବିଆଇ ମଧ୍ୟ ସେହି ସମାନ ଦଫାରେ ଏତଲା ଦାୟର କରିଛି ।
ହେଲେ ଏପର୍ଯ୍ୟନ୍ତ ବିହାରରୁ ମୁମ୍ବାଇ ଯାଇଥିବା ସିଟି ଏସପିଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଏଥିପାଇଁ ଯାହା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇପାରେ କରାଯିବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ବିହାର ଡିଜି । ସେପଟେ ବିଏମ୍ସି କହିଛି ଏସ୍ପି ଡିଜିଟାଲ୍ ଆପ୍ ଜରିଆରେ ତଦନ୍ତ କରିପାରିବେ । ହେଲେ କ୍ୱାରେଣ୍ଟାଇନ୍ରୁ ବାହାରି ପାରିବେ ନାହିଁ ।

 

riya-8

ଏପଟେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ତନାଘନା ଆରମ୍ଭ କରିଛି ଇଡି । ତାଙ୍କ ନିକଟତମ ବ୍ୟକ୍ତି ବିଶେଷଙ୍କୁ ପଚରାଉଚରା କରୁଥିବା ବେଳେ ପୂର୍ବତନ ଗର୍ଲଫେଣ୍ଡ ଅଙ୍କିତା ଏବଂ ସୁଶାନ୍ତଙ୍କ ମଧ୍ୟରେ ହୋଇଥିବା ହ୍ଵାଟ୍ସଆପ୍ ଚାଟ୍କୁ ଯାଞ୍ଚ କରିବାକୁ ଯୋଜନା କରିଛି । ତେବେ ଯାଞ୍ଚ ବେଳେ ଇଡି ଜାଣିବାକୁ ପାଇଛି ଖୁବ୍ କମ୍ ଇନ୍‌କମ୍‌ରେ ରିୟା ମୁମ୍ବାଇରେ ଦୁଇଟି ସମ୍ପତ୍ତି କିଣିଛନ୍ତି ।

ତେବେ ଏବେ ସୁଦ୍ଧା ଜଣାପଡ଼ିନାହିଁ, ଏହି ଦୁଇ ସମ୍ପତ୍ତି କିଣିବାକୁ କିଏ ଟଙ୍କା ଦେଇଥିଲା । ତଦନ୍ତ ଜାରି ରଖିଛି ଇଡି । ଏନେଇ ତାଙ୍କ ବୟାନ ରେକର୍ଡ କରିବାକୁ ଆସନ୍ତାକାଲି ସୁଦ୍ଧା ଇଡିରେ ହାଜର ହେବାକୁ ସମନ୍ ହୋଇଛି । ରିୟା ଏଯାଏ ଆତ୍ମ ଗୋପନରେ ରହିଛନ୍ତି । ସିବିଆଇ ଏତଲା ଗ୍ରହଣ କରିଥିବାରୁ ସୁଶାନ୍ତଙ୍କ ଡେଥ୍‌ ମିଷ୍ଟ୍ରି ଉପରୁ ଖୁବ୍‌ ଶୀଘ୍ର ପରଦା ହଟିବ ବୋଲି ଆଶା କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.