ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ଘରୁ ଚୋରି ହେଲା ସୁନା ଓ ହୀରା ଅଳଙ୍କାର, ଥାନାରେ ମାମଲା ରୁଜୁ

ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କ ଘର ଲକରରୁ ହୀରା ଓ ସୁନା ଅଳଙ୍କାର ଚୋରି । ଅଳଙ୍କାର ଦାମ୍‌ ପାଖାପାଖି ୪ ଲକ୍ଷ ଟଙ୍କା ହେବ । ତେବେ ଏହାକୁ ନେଇ ଐଶ୍ୱର୍ଯ୍ୟା ତେନାମପେଟ ଥାନାରେ ଅଭିଯୋଗ କରିଛନ୍ତି ।

ଲୋକପ୍ରିୟ ଅଭିନେତା ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କ ଚେନ୍ନାଇସ୍ଥିତ ବାସଭବନରେ ଥିବା ଲକରରୁ ପ୍ରାୟ ୪୮୦ ଗ୍ରାମ୍ ଓଜନର ସୁନା ଓ ହୀରା ଅଳଙ୍କାର ଚୋରି ହୋଇଯାଇଥିବା ତେନାମପେଟ୍ ଥାନାରେ ଅଭିଯୋଗ ହୋଇଛି । ଚୋରି ହୋଇଯାଇଥିବା ମୂଲ୍ୟବାନ ଅଳଙ୍କାରର ମୂଲ୍ୟ ୩.୬୦ ଲକ୍ଷ ଟଙ୍କା ହେବ। ଚୋରି ହୋଇଥିବା ଅଳଙ୍କାରରେ ହୀରାର ସେଟ୍‌, ପୁରୁଣା ସୁନା ଅଳଙ୍କାର, ନବରତ୍ନ ସେଟ୍‌, ହାର ଏବଂ ଚୁଡି ସାମିଲ ରହିଛି ।

ତେନାମପେଟ୍ ପୋଲିସ ଷ୍ଟେସନରେ ଆଇପିସି ଧାରା ୩୮୧ ଅଧିନରେ ମାମଲା ରୁଜୁ କରାଯାଇଛି ଆଉ ଏହାକୁ ନେଇ ଯାଞ୍ଚ ଆରମ୍ଭ ହୋଇଯାଇଛି । ରୁଜୁ ହୋଇଥିବା ମାମଲା ଅନୁଯାୟୀ, ଐଶ୍ବର୍ଯ୍ୟା ଶେଷ ଥର ପାଇଁ ଏହି ଗହଣାକୁ ୨୦୧୯ରେ ଭଉଣୀ ସୌନ୍ଦର୍ଯ୍ୟା ବାହାଘରରେ ପିନ୍ଧିଥିଲେ । ତା’ପରେ ଗହଣାକୁ ଲକରରେ ରଖିଦେଇଥିଲେ । ତେବେ ଚଳିତବର୍ଷ ଫେବୃଆରୀ ୧୦ ତାରିଖରେ ନିଜ ଲକର ଖୋଲିବା ପରେ ଗହଣା ନଥିଲା । ସେ ଅଳଙ୍କାର ଲକରରେ ରଖିଥିବା କଥା ତାଙ୍କ ଘରର ଅଳ୍ପ କେତେକ ସହକାରୀ ଜାଣିଥିଲେ। ଏଥିରେ ସେମାନଙ୍କ ମଧ୍ୟରୁ ୩ଜଣ ସାମିଲ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ଭଉଣୀ ବାହାଘର ପରଠାରୁ ଉକ୍ତ ଲକରକୁ ୩ଟି ସ୍ଥାନକୁ ସ୍ଥାନାନ୍ତର କରାଯାଇସାରିଥିଲା। ୨୦୨୧ ଅଗଷ୍ଟ ପର୍ଯ୍ୟନ୍ତ ସେ ଲକର ସେଣ୍ଟ୍ ମେରିଜ୍ ରୋଡ ସ୍ଥିତ ତାଙ୍କ ଆପାର୍ଟମେଣ୍ଟରେ ଥିଲା। ତା’ପରେ ତାହାକୁ ‘ସିଆଇଟି କଲୋନିସ୍ଥିତ ଘରକୁ, ୨୦୨୨ ଏପ୍ରିଲ୍ ୯ ତାରିଖରେ ତାହାକୁ ରଜନୀକାନ୍ତଙ୍କ ପୋସ୍ ଗାର୍ଡେନ୍ ସ୍ଥିତ ଘରକୁ ନିଆଯାଇଥିଲା। ଐଶ୍ବର୍ଯ୍ୟା କହିଛନ୍ତି ଯେ, ଲକରର ଚାବି ସେଣ୍ଟ୍ ମେରିଜ୍ ରୋଡ ସ୍ଥିତ ବାସଭବନରେ ଥିବା ଆଲମାରିରେ ଥିଲା। ଏକଥା ଘରର ସହକାରୀମାନେ ଭଲଭାବେ ଜାଣିଥିଲେ। ଏଶ୍ବର୍ଯ୍ୟାଙ୍କ ଅନୁପସ୍ଥିତିରେ ସେମାନେ ସେ ଘରୁକୁ ଯିବାଆସିବା ମଧ୍ୟ କରୁଥିଲେ।