ନିଜ ଅଫିସକୁ ପୁଣିଥରେ ତିଆରି କରିପାରିବେନି କଙ୍ଗନା ରାଣାଓ୍ଵତ୍‌, କହିଲେ ‘ମୋ ପାଖେ ଆଉ ଟଙ୍କା ନାହିଁ…’

ବୁଧବାର ମୁମ୍ବାଇ ମହାନଗରପାଳିକା(ବିଏମ୍‌ସି) ଅଭିନେତ୍ରୀ କଙ୍ଗନା ରାଣାଓ୍ଵତଙ୍କ ଅଫିସରେ ଭଙ୍ଗାରୁଜା କରିବା ମାମଲା ଏବେ ଉଗ୍ରରୂପ ଧାରଣ କରିଛି। କଙ୍ଗନାଙ୍କ ଅଫିସ ବିଏମ୍‌ସିର ପ୍ଲାନ୍‌ ମୁତାବକ ହୋଇନାହିଁ ଅଭିଯୋଗ କରି ମହାରାଷ୍ଟ୍ର ସରକାର ଏଭଳି ବୁଲଡୋଜର ଚଲାଇଥିବା ବେଳେ କଙ୍ଗନା କିନ୍ତୁ ଏହାକୁ ବିଧିବଦ୍ଧ ଯୋଜନା କହିଛନ୍ତି। ମୁମ୍ବାଇରେ ଚାଲିଥିବା କଳା କାରନାମା ବିରୋଧରେ ଖୋଲାଖୋଲି କହୁଥିବାରୁ କଙ୍ଗନାଙ୍କ ମୁହଁ ବନ୍ଦ କରିବାକୁ ରାଜନେତାମାନେ ଏଭଳି କରୁଥିବା କହି ଶିବସେନା ଉପରେ ବର୍ଷିଛନ୍ତି କଙ୍ଗନା।

ତେବେ ଅଫିସ ଭାଙ୍ଗିଯିବା ପରେ କଙ୍ଗନା ବି ଭାଙ୍ଗିପଡ଼ିଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ନିଜେ କଙ୍ଗନା ଏନେଇ କହିଛନ୍ତି। ଟ୍ଵିଟରରେ ନିଜ ଅଫିସ ଭାଙ୍ଗିବାକୁ ନେଇ ବିଏମ୍‌ସି ଉପରେ ଲଗାତାର ଆଲୋଚନା କରିଛନ୍ତି କଙ୍ଗନା। ସେ କହିଛନ୍ତି ଅଫିସ ତିଆରି କରିବାକୁ ତାଙ୍କ ପାଖରେ ଆଉ ଟଙ୍କା ନାହିଁ।

କଙ୍ଗନା ଟ୍ଵିଟ୍‌ରେ ଲେଖିଛନ୍ତି ‘ମୁଁ ଜାନୁଆରୀ ୧୫ରେ ଅଫିସ ଉଦ୍‌ଘାଟନ୍‌ କରିଥିଲି। ଏହା ପରେ ହିଁ କରୋନା ମହାମାରୀ ବ୍ୟାପିଲା। ଅଧିକାଂଶ ଲୋକଙ୍କ ଭଳି ମୁଁ ବି କିଛି କାମ କରିନାହିଁ। ଏବେ ପୁଣିଥରେ ଏହାକୁ ତିଆରି କରିବାକୁ ମୋ ପାଖେ ଟଙ୍କା ନାହିଁ। ମୁଁ ଏହି ଭଙ୍ଗା ଘରେ ହିଁ କାମ କରିବି। ଏହାକୁ ଏକ ମହିଳାଙ୍କ ଏଭଳି ଅଫିସ ଭାବେ ରଖିବି ଯାହାକୁ ସ୍ୱର ଉତ୍ତୋଳନ କରିବା ଯୋଗୁ ଧ୍ୱଂସ କରିଦିଆଯାଇଛି’।

ଗୁରୁବାର ଦିନ କଙ୍ଗନା ନିଜ ଭଉଣୀଙ୍କ ସହ ଅଫିସ ଦେଖିବାକୁ ଯାଇଥିବା ବେଳେ ଭାବୁକ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.