ପରଲୋକରେ ବର୍ଷୀୟାନ୍‌ ଅଭିନେତ୍ରୀ ଝରଣା ଦାସ

ଭୁବନେଶ୍ୱର (କେନ୍ୟୁଜ): ଆଉ ନାହାନ୍ତି ଓଲିଉଡର ବର୍ଷୀୟାନ୍‌ ଅଭିନେତ୍ରୀ ଝରଣା ଦାସ । ଅଫେରା ରାଇଜରେ ଅମଡା ବାଟର ଅଭିନେତ୍ରୀ । ଗତକାଲି ବିଳମ୍ବିତ ରାତିରେ କଟକ କନିକା ଛକ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଢରଣା ଦାସ । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳି ଯାଇଛି । ନିଜ ପ୍ରିୟ ଅଭିନେତ୍ରୀଙ୍କୁ ହରାଇ ଝୁରୁଛି ଓଡ଼ିଆ ସିନେ ଦୁନିଆ ।

ଓଲିଉଡର ବହୁ କଳାକାର ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରୁଛନ୍ତି । ବହୁ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟର ନିଛକ ଛାପ ଛାଡିଯାଇଛନ୍ତି ଝରଣା ଦାସ । ମଲା ଜହ୍ନ ଫିଲ୍ମ ମାଧ୍ୟମରେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ଥାପିଥିଲେ । କିନ୍ତୁ ତାଙ୍କ ଅଭିନୀତ ରିଲିଜ୍‌ ହୋଇଥିବା ପ୍ରଥମ ଫିଲ୍ମ ଥିଲା ଅମଡା ବାଟ । ୬୦ ଦଶକରେ ଓଡ଼ିଆ ସିନେମାରେ ଆଗ ଧାଡିର ନାୟିକା ଥିଲେ ।

ମଲାଜହ୍ନ, ଅମଡା ବାଟ, ଅଦିନ ମେଘ, ସମୟ ବଡ଼ ବଳବାନ, ଭାଗ୍ୟଚକ୍ର ଭଳି ଫିଲ୍ମରେ ଅଭିନୟ କରିଛନ୍ତି । ଆକାଶବାଣୀ କଟକରେ ଘୋଷିକା ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ଝରଣା ଦାସ । ତାଙ୍କ କଣ୍ଠସ୍ୱର ଶୁଣିବାକୁ ଦର୍ଶକ ଅନାଇ ବସୁଥିଲେ । ଜୟଦେବ ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ଏହାବ୍ୟତୀତ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ଆୱାର୍ଡ, ଓଡ଼ିଶା ସୋସାଇଟି ଅଫ୍‌ ଆମେରିକା ସମ୍ମାନ ଓ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ୧୯୪୫ ମସିହା କଟକରେ ଜନ୍ମଗ୍ରହଣ କରିଥିଲେ ଝରଣା ଦାସ। ଝରଣାଙ୍କ ୧୦ ଜଣ ଭାଇ ଓ ଭଉଣୀ ଥିଲେ। ଓଡ଼ିଶା ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ସେ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.