Below header

ବଲିଉଡରେ ପୁରୀ ପୁଅ ବଜରଙ୍ଗ: ବାହୁବଳି, ଆଦିପୁରୁଷ ଭଳି ନାମୀଦାମୀ ଫିଲ୍ମରେ କରିସାରିଛନ୍ତି କାମ

ବଲିଉଡରେ ପୁଣି ଓଡିଆ ପୁଅଙ୍କ କମାଲ୍। ପୁରୀର ପୁଅ ଏବେ ବଲିଉଡରେ ଗଢୁଛନ୍ତି ନିଜ କ୍ୟାରିୟର । ସିନିୟର୍‌ ଟେକ୍ନିସିଆନ୍‌ ଭାବେ କାର୍ଯ୍ୟ କରୁଛନ୍ତି ପୁରୀ ଅବକାଶ ଲେନର ଯୁବକ ବଜରଙ୍ଗ ପରିଡା । ସେ ସହାୟକ କ୍ୟାମେରାମ୍ୟାନ ଭାବରେ ବାହୁବଳି ୧, ଆଦିପୁରୁଷ,କେଶରୀ,ସୁଲତାନ ,କିସ୍‌ କିସ୍‌ କୋ ପ୍ୟାର ହେଁ ଭଳି ନାମୀଦାମୀ ଚଳଚ୍ଚିତ୍ର ସମେତ ପ୍ରାୟ ୧୫ଟି ଚଳଚ୍ଚିତ୍ର ତଥା ଅନେକ ବିଜ୍ଞାପନ ଫିଲ୍ମରେ କାମ କରି ସୁନାମ ଅର୍ଜନ କରିଛନ୍ତି ।

ପୁରୀ(କେନ୍ୟୁଜ୍): ବଲିଉଡରେ ପୁଣି ଓଡିଆ ପୁଅଙ୍କ କମାଲ୍। ପୁରୀର ପୁଅ ଏବେ ବଲିଉଡରେ ଗଢୁଛନ୍ତି ନିଜ କ୍ୟାରିୟର । ସିନିୟର୍‌ ଟେକ୍ନିସିଆନ୍‌ ଭାବେ କାର୍ଯ୍ୟ କରୁଛନ୍ତି ପୁରୀ ଅବକାଶ ଲେନର ଯୁବକ ବଜରଙ୍ଗ ପରିଡା । ସେ ସହାୟକ କ୍ୟାମେରାମ୍ୟାନ ଭାବରେ ବାହୁବଳି ୧, ଆଦିପୁରୁଷ,କେଶରୀ,ସୁଲତାନ ,କିସ୍‌ କିସ୍‌ କୋ ପ୍ୟାର ହେଁ ଭଳି ନାମୀଦାମୀ ଚଳଚ୍ଚିତ୍ର ସମେତ ପ୍ରାୟ ୧୫ଟି ଚଳଚ୍ଚିତ୍ର ତଥା ଅନେକ ବିଜ୍ଞାପନ ଫିଲ୍ମରେ କାମ କରି ସୁନାମ ଅର୍ଜନ କରିଛନ୍ତି। ସେ ବରିଷ୍ଠ ହସ୍ତଶିଳ୍ପୀ ଭାରତଭୂଷଣ ପରିଡାଙ୍କ ପୁତ୍ର ।

ସେ ଆଇଟିଆଇ ଡିପ୍ଲୋମା କରିବା ପରେ ଝାରସୁଗୁଡ଼ାର ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ । ହାତରେ ଏସିଡ ପଡିଯିବାରୁ ସେ ଘରକୁ ଫେରିଆସିଥିଲେ। ତାଙ୍କ ମଉସା ସଞ୍ଜୟ ପଳାଇ ମୁମ୍ବାଇରେ ରହି ଦୀର୍ଘ ବର୍ଷ ହେବ କ୍ୟାମେରାମ୍ୟାନ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ପରାମର୍ଶ କ୍ରମେ ବଜରଙ୍ଗ ସେହି ଦିନଠାରୁ ମୁମ୍ବାଇ ଯାଇ ଆଉ ପଛକୁ ଫେରି ଦେଖିନାହାନ୍ତି।

ବଲିଉଡର ସୁନାମଧନ୍ୟ ଅଭିନେତା ସଞ୍ଜୟ ଦତ୍ତ,ସଲମାନ୍‌ ଖାନ୍‌, ଅକ୍ଷୟ କୁମାରଙ୍କ ସହ କାମ କରିଛନ୍ତି ବଜରଙ୍ଗ। ଦୀର୍ଘ ୭ ବର୍ଷ ପରେ ସେ ପୁରୀ ସ୍ଥିତ ଘରକୁ ଆସିଛନ୍ତି । ବଲିଉଡରେ ସୁଟିଂ ସେଟ୍‌ ରେ କାର୍ଯ୍ୟ କରିବା ବେଶ୍‌ ଦୁଃସାହସିକ ବୋଲି ସେ କହିଛନ୍ତି । ଏଭଳି କି ଆଦିପୁରୁଷ ଚଳଚ୍ଚିତ୍ର ସୁଟିଂ ସମୟରେ ନିଆଁ ଲାଗି ସମସ୍ତ ଆସବାବପତ୍ର ପୋଡ଼ିଯାଇଥିବା କଥାକୁ ସେ ବଖାଣିବା ସହ କେମିତି ପୁନର୍ବାର ସୁଟିଂ ସେଟ୍‌ ପ୍ରସ୍ତୁତ କରି ସୁଟ କରିବା ଚ୍ୟାଲେଞ୍ଜ ଥିଲା ସେ କହିଛନ୍ତି ।

ଅଧିକାଂଶ ସମୟରେ ସୁଟିଂ ପାଇଁ ଦେଶ ବାହାରକୁ ଯିବାକୁ ପଡିଥାଏ । ବଲିଉଡ୍‌ ରେ ବହୁ ଓଡ଼ିଆ ପିଲା କାର୍ଯ୍ୟ କରୁଛନ୍ତି । ସମସ୍ତଙ୍କୁ ନେଇ ଏକ ଗ୍ରୁପ କରାଯାଇଛି । ଓଡ଼ିଆ ପର୍ବପର୍ବାଣୀରେ ସମସ୍ତେ ଏକତ୍ରିତ ହୋଇଥାନ୍ତି । ସେ ବଲିଉଡ୍‌ ରେ କାମ କରି ଆହୁରି ଆଗକୁ ଯିବା ସହ କ୍ୟାମେରା ହେଡ ହେବାର ଲକ୍ଷ୍ୟ ରଖିଛନ୍ତି ବଜରଙ୍ଗ । ଏପଟେ ଏକମାତ୍ର ପୁଅ ହୋଇଥିଲେ ବି ପୁଅର କ୍ୟାରିୟର ଓ ଇଚ୍ଛାରେ ବାପା ,ମା ସଂପୂର୍ଣ୍ଣ ସମର୍ଥନ କରୁଛନ୍ତି।

ତେବେ ବିବାହ ପାଇଁ ଦୀର୍ଘ ୭ ବର୍ଷ ପରେ ସେ ପୁରୀ ଆସିଥିଲେ ବି ସୁଟିଂ ସେଟ୍‌ ରୁ ଡକରା ଆସିବାରୁ ସେ ଦୁଇ ତିନି ଦିନ ପରେ ପୁଣି ମୁମ୍ବାଇ ଫେରିଯିବେ । ସାଧାରଣତଃ ବର୍ଷା ଦିନେ ହିଁ କାମ କମ୍ ରହିଥାଏ । ତେବେ ବର୍ଷର ଅବଶିଷ୍ଟ ଦିନରେ ଆଉ ଫୁରସତ ମିଳେ ନାହିଁ । ଏଭଳିକି ଅନେକ ସମୟରେ ସୁଟିଂ ପାଇଁ ଅଖିଆ, ଅନିଦ୍ରା ରହିବାକୁ ପଡିଥାଏ ବୋଲି ସେ କହିଛନ୍ତି।

ବିଭିନ୍ନ ସ୍ଥାନରେ ବଡ଼ ବଡ ଦାୟିତ୍ୱ ତୁଲାଉଛନ୍ତି ଆମ ଓଡ଼ିଆ ପୁଅ । ସବୁଠି ସବୁ କ୍ଷେତ୍ରରେ ନିଜ କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରି ଭବିଷ୍ୟତ ଗଢିବା ସହ ସାରା ଦେଶ ତଥା ବିଶ୍ୱ ଦରବାରରେ ରାଜ୍ୟ ପାଇଁ ଗର୍ବ ଆଣୁଛନ୍ତି। ଏହାରି ଭିତରେ ମୟାନଗରୀରେ ବଜରଙ୍ଗ ଦେଖୁଥିବା ସ୍ୱପ୍ନ ବାସ୍ତବ ରୂପ ନେଇ ଏହା ହିଁ ସମସ୍ତଙ୍କ କାମନା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.