ଋଷି କପୁରଙ୍କ ଶେଷ ଫିଲ୍ମ ‘ଶର୍ମାଜୀ ନମକିନ୍‌’ର ଫାଷ୍ଟ ଲୁକ୍‌ ରିଲିଜ୍‌, ଅଧୁରା ଚରିତ୍ରକୁ ପୂରା କଲେ ପରେଶ ରାଓ୍ଵଲ

ରିଲିଜ୍‌ ହେଲା ଋଷି କପୁରଙ୍କ ଶେଷ ଫିଲ୍ମ ‘ଶର୍ମାଜୀ ନମକିନ୍‌’ ର ପ୍ରଥମ ଲୁକ୍‌। ସ୍ୱର୍ଗତ ଅଭିନେତାଙ୍କ ଜନ୍ମ ଦିନରେ ତାଙ୍କୁ ଏହି ଗିଫ୍ଟ ଦେଇଛନ୍ତି ପ୍ରଯୋଜକ। ଦେହାନ୍ତ ପୂର୍ବରୁ ଫିଲ୍ମର କିଛି ସିନ୍‌ ସୁଟିଂ କରିସାରିଥିଲେ ଋଷି। ହେଲେ ଫିଲ୍ମଟି ଶେଷ ହେବା ପୂର୍ବରୁ ହିଁ ଦୁନିଆକୁ ଅଲବିଦା କହିଥିଲେ । ତେବେ ଚିଣ୍ଟୁ ଅଧୁରା ଛାଡିଥିବା ଚରିତ୍ରକୁ ପୂରା କରିଛନ୍ତି ଭର୍ସାଟାଇଲ୍‌ ଆକ୍ଟର ପରେଶ ରାଓ୍ଵଲ।

 

View this post on Instagram

 

A post shared by Excel Entertainment (@excelmovies)

ଋଷିଙ୍କ ଦେହାନ୍ତ ପରେ ଫିଲ୍ମର ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଛିଡା ହୋଇଥିଲା । ପରେ ପରେଶ ରାଓ୍ଵଲ ଫିଲ୍ମକୁ ପୂରା କରିବାକୁ ନିଷ୍ପତ୍ତି ନେଇଥିଲେ। ଫିଲ୍ମର ପୋଷ୍ଟରକୁ ସେୟାର କରିବା ସହ ପରେଶଙ୍କ ଧନ୍ୟବାଦ ଦେଇଛନ୍ତି ଋଷିଙ୍କ ଝିଅ ରିଦିମା କପୁର ସାହାନୀ । ଫିଲ୍ମରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି ଜୁହି ଚାଓ୍ଵଲା । ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କ ଉପରେ ଆଧାରିତ ଫିଲ୍ମ ‘ଶର୍ମାଜୀ ନମକିନ୍‌’।

ସୂଚନାଯୋଗ୍ୟ ଯେ ଋଷି ଶିଶୁ କଳାକାର ଭାବେ ବାପା ରାଜ କପୁରଙ୍କ ସୁପରହିଟ୍‌ ଫିଲ୍ମ ‘ମେରା ନାମ ଜୋକର’ରେ ଶିଶୁ କଳାକାର ଭାବେ ଅଭିନୟ କରି ପ୍ରଥମ ଥର ବଲିଉଡ୍‌ ପରଦାକୁ ଆସିଥିଲେ। ଏହା ପରେ ‘ବବି’ ଫିଲ୍ମର ହିରୋ ଭାବେ ଟିନ୍‌ଏଜ୍‌ ସେନସେସନ୍‌ ହୋଇ ତାଙ୍କର ପେସାଦାର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଶିଶୁ କଳାକାର ଭାବେ ସେ ନିଜର ପ୍ରଥମ ଫିଲ୍ମରେ ପୁରସ୍କୃତ ହୋଇଥିଲେ ଏବଂ ବବି ପାଇଁ ମଧ୍ୟ ତାଙ୍କ ଶ୍ରେଷ୍ଠ ଅଭିନେତାର ପୁରସ୍କାର ମିଳିଥିଲା । ଏହା ପରେ ଅନେକ ହିଟ୍‌ ଫିଲ୍ମ ଦେଇଥିବା ଋଷି ଅସୁସ୍ଥତା ପୂର୍ବ ପର୍ଯ୍ୟନ୍ତ ମଧ୍ୟ ଅଭିନୟ କରୁଥିଲେ ।