ସୁଦୂର ବେଙ୍ଗାଲୁରୁରୁ ଏକ ଓଡ଼ିଆ ପରିବାରକୁ ବିମାନ ଯୋଗେ ଓଡ଼ିଶା ଫେରାଇଆଣିଲେ ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମହାପାତ୍ର

କରୋନା ଭାଇରସ୍‌ ଯୋଗୁ ଏବେ ଯେତିକି ଲୋକଙ୍କ ଜୀବନ ଯାଉଛି ତା’ଠୁ ଅଧିକ ଲୋକ ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି। କିଏ ଖାଇବାକୁ ପାଉନି ତ ଆଉ କାହା ପାଖେ ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର। ଏଭଳି ସ୍ଥିତିରେ ଆଉ କାହାର ଚାକିରି ମଧ୍ୟ ଚାଲିଯାଉଛି। ବେସାହାରା ହୋଇ କିଛି ଲୋକ ପୁଣି ଭିଟାମାଟିକୁ ଫେରି ଆସୁଛନ୍ତି। କିନ୍ତୁ ଯାହା ପାଖେ ଖାଇବାକୁ ବି ଟଙ୍କା ନାହିଁ ସେ ଚାଲି ଚାଲି ଘରକୁ ଆସୁଛି କିମ୍ବା ଅଧା ବାଟରେ ମୃତ୍ୟୁକୁ ଆଦରି ନେଉଛି। ତେବେ ଏଭଳି କିଛି ଅସହାୟ ଓଡ଼ିଆକୁ ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମହାପାତ୍ର ଏବେ ସହାୟତାର ହାତ ବଢ଼ାଉଛନ୍ତି। ପୂର୍ବରୁ କେବଳ ରାଜ୍ୟ ଭିତରେ ଥିବା ଲୋକଙ୍କୁ ସାହାଯ୍ୟ କରୁଥିବା ସବ୍ୟସାଚୀ ଏବେ ରାଜ୍ୟ ବାହାରେ ଥିବା ଲୋକଙ୍କୁ ବି ସାହାଯ୍ୟ କରିଛନ୍ତି। ବେଙ୍ଗାଲୁରୁରେ ଫସି ରହିଥିବା ଏକ ଓଡ଼ିଆ ପରିବାରଙ୍କୁ ସେ ବିମାନ ଯୋଗେ ଓଡ଼ିଶା ଫେରାଇ ଆଣିଥିବା ଜଣାଯାଇଛି।

sabya2

ବଲାଙ୍ଗୀର ଟିକରାପଡ଼ାର ବାସିନ୍ଦା ପ୍ରଦୀପ ତାଣ୍ଡି ବେଙ୍ଗାଲୁରୁରେ ଏକ ଭାଟିରେ କାମ କରନ୍ତି। କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ଭାଟି ମାଲିକ ତାଙ୍କୁ କାମରୁ ତଡ଼ି ଦେଲେ। ତଥାପି ସଞ୍ଚିତ ସମ୍ବଳରେ ୭ ପ୍ରାଣୀଙ୍କ ମୁହଁରେ ଦାନା ଦେଉଥିଲେ ପ୍ରଦୀପ। କିନ୍ତୁ ବୋଝ ଉପରେ ନଳିତା ବିଡ଼ା ଭଳି ଦାଉ ସାଧିଲେ ଭଗବାନ। ସପ୍ତାହେ ତଳେ ମା’ ପକ୍ଷପାତର ଶିକାର ହେଲେ। ଏଭଳି ସ୍ଥିତିରେ ଘର ଭଡ଼ା ଦେଇ ନ ପାରିବାରୁ ଘରମାଲିକ ବି ତଡ଼ିଦେଲା। ଫଳରେ ବାଧ୍ୟ ହୋଇ ରୋଗିଣା ମା’ଙ୍କୁ ଧରି ଷ୍ଟେସନ୍‌କୁ ଆସିଥିଲେ ପ୍ରଦୀପ। କିନ୍ତୁ ସେଠାରେ ପୋଲିସ ବସିବାକୁ ଦେଲାନି। ଏଣୁ ରାତିସାରା ଖୋଲା ଆକାଶ ତଳେ ପଡ଼ିରହିଲେ ୭ ପ୍ରାଣୀ।

sabya4

ମେ ୩୧ ତାରିଖରେ ସୋସିଆଲ ମିଡିଆରୁ ପ୍ରଦୀପଙ୍କ ଦୁଃଖ କାହାଣୀ ଶୁଣିବା ପରେ ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ ଅଭିନେତା ସବ୍ୟସାଚୀ ମହାପାତ୍ର। ପକ୍ଷାଘାତ ଯୋଗୁ ମା’ ବସ୍‌ କି ଟ୍ରେନ୍‌ରେ ଆସିବା ସମ୍ଭବ ନଥିବାରୁ ତାଙ୍କ ପାଇଁ ବିମାନରେ ଟିକେଟ୍‌ ବୁକ୍‌ କରିଥିଲେ। କିନ୍ତୁ ଜୁନ୍‌ ୧ ଓ ୨ ପାଇଁ ଟିକେଟ୍‌ ଫାଙ୍କା ନ ଥିବାରୁ ଜୁନ୍‌ ୩ରେ ସେମାନଙ୍କ ପାଇଁ ବୁକ୍‌ ହୋଇଥିଲା ଟିକେଟ୍‌। ଏହି ୩ ଦିନ ସେମାନଙ୍କ ରହିବା ପାଇଁ ବେଙ୍ଗାଲୁରୁରେ ଏକ ଲଜ୍‌ ବୁକ୍‌ କରିଥିଲେ ସବ୍ୟସାଚୀ। ଗତକାଲି ପ୍ରଦୀପ ତାଙ୍କ ପରିବାରକୁ ନେଇ ବିମାନରେ ଭୁବନେଶ୍ୱର ଫେରିଛନ୍ତି।

sabya5

ଓଡ଼ିଶା ମାଟିରେ ପାଦ ଦେବା ପରେ ନିଜ କୋହ ସମ୍ଭାଳିପାରିନଥିଲେ ପ୍ରଦୀପ। ସବ୍ୟସାଚୀ ଭାଇଙ୍କ ଯୋଗୁ ଫେରିବା ସମ୍ଭବ ହେଲା ବୋଲି ସେ କହିଛନ୍ତି। ସବ୍ୟସାଚୀ ଭଗବାନଙ୍କ ଭଳି ତାଙ୍କୁ ସାହାଯ୍ୟ କଲେ। ତାଙ୍କର ଏହି ସାହାଯ୍ୟକୁ ମୁଁ ଜୀବନ ସାରା ମନେ ରଖିବି ବୋଲି କହିଛନ୍ତି ପ୍ରଦୀପ।

sabya3

ଏନେଇ ସବ୍ୟସାଚୀ କହିଛନ୍ତି ଯେ ଜଣେ ଫଟୋଗ୍ରାଫରଙ୍କ ଟ୍ଵିଟ୍‌ରୁ ମୁଁ ପ୍ରଦୀପଙ୍କ ଦୁର୍ଦ୍ଦଶା ବିଷୟରେ ଜାଣିବାକୁ ପାଇଥିଲି। ଏହି ଘଟଣା ଶୁଣିବା ପରେ ହିଁ ମୁଁ ତାଙ୍କୁ ସାହାଯ୍ୟ କରିବି ବୋଲି ମନସ୍ଥ କରିଥିଲି। ଭଗବାନଙ୍କ ଦୟାରୁ ସବୁ କିଛି ଭଲରେ ଭଲରେ ହୋଇଗଲା। ତାଙ୍କ ଆନନ୍ଦ ଦେଖି ମୋତେ ସବୁକିଛି ମିଳିଗଲା ବୋଲି କହିଛନ୍ତି ସବ୍ୟସାଚୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.