ବିଗ୍ ବସ୍ ୧୩ରେ ବାଜି ମାରିନେଲେ ସିଦ୍ଧାର୍ଥ ଶୁକ୍ଳା, ଆସିମ୍ଙ୍କୁ ଧୂଳି ଚଟାଇ ନିଜ ନାଁରେ କଲେ ଟାଇଟଲ
ଟେଲିଭିଜନ୍ ଜଗତର ସବୁଠାରୁ ଚର୍ଚ୍ଚିତ ଶୋ’ ବିଗ୍ବସ୍ ୧୩ରେ ବାଜି ମାରିନେଇଛନ୍ତି ସିଦ୍ଧାର୍ଥ ଶୁକ୍ଳା। ଏଥିସହ ଫାଷ୍ଟ ରନର୍ସ ଅଫ୍ ହୋଇଛନ୍ତି ଆସିମ୍ ରିୟାଜ। ଉଭୟେ ଏହି ସିଜନ୍ର ସବୁଠାରୁ ଲୋକପ୍ରିୟ ପ୍ରତିଯୋଗୀ ଥିଲେ। ଶୋ’ର ହୋଷ୍ଟ ସଲମାନ ଖାନ୍ ସର୍ବଶେଷରେ ଓ୍ଵିନରଙ୍କ ନାଁ ଘୋଷଣା କରିବା ସହ ସିଦ୍ଧାର୍ଥଙ୍କୁ ବିଗବସ୍ ଟ୍ରଫି, ୫୦ ଲକ୍ଷ ଟଙ୍କାର ଚେକ୍ ଦେଇଛନ୍ତି। ଏ ଅବସରରେ ସମସ୍ତ ପ୍ରତିଯୋଗୀ ଉପସ୍ଥିତ ଥିଲେ।
ବିଗ୍ବସ୍ ହାଉସ୍ରେ ସିଦ୍ଧାର୍ଥ ଆଙ୍ଗ୍ରି ୟଙ୍ଗ୍ମ୍ୟାନ୍ ଭାବେ ଏଣ୍ଟ୍ରି କରିଥିଲେ ଓ ଶେଷ ପର୍ଯ୍ୟନ୍ତ ଏହି ଟାଇଟଲ ବଜାୟ ରଖିଥିଲେ। ପ୍ରଥମରୁ ହିଁ ସମସ୍ତଙ୍କ ନଜର ସିଦ୍ଧାର୍ଥ ଶୁକ୍ଳାଙ୍କ ଉପରେ ଥିଲା। ଅନ୍ୟମାନଙ୍କ ଭଳି ସେ ଅଯଥା ଯୁକ୍ତିତର୍କ କରୁନଥିବାରୁ ସମସ୍ତଙ୍କ ପସନ୍ଦ ଥିଲେ ସିଦ୍ଧାର୍ଥ। ଶୋ’ରେ ସିଦ୍ଧାର୍ଥ ଓ ଶେହନାଜ ଗିଲଙ୍କ ଯୋଡ଼ି ସୁପରହିଟ୍ ଥିଲା। ଏହି ଯୋଡ଼ି ସୋସିଆଲ ମିଡିଆରେ ସିଦ୍ଧ-ନାଜ୍ ଭାବେ ଟ୍ରେଣ୍ଡ କରିଥିଲା।
ସୂଚନାଯୋଗ୍ୟ ଯେ ଟପ୍ ୬ରେ ସିଦ୍ଧାର୍ଥ ଶୁକ୍ଳାଙ୍କ ସମେତ ଆସିମ୍ ରିୟାଜ୍, ଶେହନାଜ ଗିଲ୍, ରଶ୍ମି ଦେଶାଇ, ଆରତୀ ସିଂହ ଓ ପାରସ୍ ଛାବ୍ରା ଥିଲେ। ପ୍ରଥମେ ପାରସ୍ ତା’ ପରେ ଆରତୀ, ରଶ୍ମି ଶୋ’ରୁ ଆଉଟ୍ ହୋଇଥିଲେ। ଶେହନାଜ ହିଁ ଏକମାତ୍ର ଝିଅ ଯିଏ ଟପ୍ ୩ରେ ଥିଲେ। ମାତ୍ର ତାଙ୍କୁ ମଧ୍ୟ ଘରୁ ବିଦା ହେବାକୁ ପଡ଼ିଥିଲା। ଶେଷରେ ପ୍ରତିଯୋଗିତା ଥିଲା ସିଦ୍ଧାର୍ଥ ଓ ଆସିମ୍ଙ୍କ ମଧ୍ୟରେ।
ଉଭୟେ ଉଭୟଙ୍କୁ କଡ଼ା ଟକ୍କର ଦେଇଥିଲେ। ମାତ୍ର ଷ୍ଟେଜ୍ରେ ହାତ ଉଠାଇ ସଲମାନ ସିଦ୍ଧାର୍ଥଙ୍କୁ ଶୋ’ର ବିଜେତା ଘୋଷିତ କରିଥିଲେ। ଏଥରକ ଟପ୍ ୪ଙ୍କୁ ମଧ୍ୟ ମାଗଣାରେ ଆବୁଧାବି ବୁଲିବାର ସୁଯୋଗ ଦେଇଛନ୍ତି ବିଗ୍ବସ୍। ପ୍ରତିଯୋଗୀ ନିଜ ସହ କେହି ଜଣକୁ ବୁଲିବାକୁ ନେଇ ପାରିବେ। ଭ୍ରମଣର ସମସ୍ତ ଖର୍ଚ୍ଚ ବିଗବସ୍ ଉଠାଇବେ ବୋଲି ସଲମାନ ଖାନ୍ ଘୋଷଣା କରିଛନ୍ତି।