ମେରୁଦଣ୍ଡ ଭାଙ୍ଗିଥିବା କୁନି ଝିଅର ଅପରେସନ୍‌ ଦାୟିତ୍ୱ ନେଲେ ସୋନୁ ସୁଦ୍‌, କହିଲେ ‘ପ୍ରସ୍ତୁତ ରୁହ ୨୮ରେ ହେବ ତୁମ ସର୍ଜରୀ’

କରୋନା କାଳରେ ଅଭିନେତା ସୋନୁ ସୁଦ୍‌ ସମସ୍ତ ଅସହାୟଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ସାହାଯ୍ୟ ମାଗୁଥିବା କୌଣସି ବ୍ୟକ୍ତିଙ୍କୁ ସୋନୁ କେବେ ବି ଖାଲି ହାତରେ ଫେରାଇ ନାହାନ୍ତି। ନିକଟରେ ସୋନୁ ଏକ ଛୋଟ ଝିଅର ଅପରେସନ୍‌ ଦାୟିତ୍ୱ ନେଇଛନ୍ତି। ଏନେଇ ସୋନୁ ନିଜେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ସୋନୁଙ୍କ ଏହି ପଦକ୍ଷେପକୁ ସମସ୍ତେ ଖୁବ୍‌ ପ୍ରଶଂସା କରୁଥିବା ଦେଖାଯାଇଛି।

ରିପୋର୍ଟ ମୁତାବକ ସୋନୁ ସୁଦ୍‌ଙ୍କୁ ଜଣେ ବ୍ୟକ୍ତି ଟ୍ଵିଟ୍‌ କରି ଲେଖିଥିଲେ ‘ସୋନୁ ସୁଦ୍‌ ସାର ଏକ ୧୦ ବର୍ଷର ଝିଅ ନିଜ ମା-ବାପାଙ୍କ ସହ ରହୁଛି। ଝିଅଟିର ପଛ ମେରୁ ହାଡ଼ ଭାଙ୍ଗିଯାଇଛି ଓ ପୂଜ ଜମା ହୋଇଛି। ଡାକ୍ତର ତାଙ୍କୁ ତୁରନ୍ତ ଅପରେସନ୍‌ କରିବାକୁ କହିଛନ୍ତି। ଦୟା କରି ଝିଅଟିକୁ ସାହାଯ୍ୟ କରନ୍ତୁ। ଏହି ଟ୍ଵିଟ୍‌କୁ ରି-ଟ୍ଵିଟ୍‌ କରି ସୋନୁ ଲେଖିଛନ୍ତି‘ଆସନ୍ତୁ ଏ ଝିଅକୁ ସୁସ୍ଥ କରିବା। ପ୍ରସ୍ତୁତ ରୁହନ୍ତୁ ୨୮ ତାରିଖରେ ସର୍ଜରୀ ହେବ’।

ସୂଚନାଯୋଗ୍ୟ ଯେ ସୋନୁ ସୁଦ୍‌ କରୋନା ମହାମାରୀ ମଧ୍ୟରେ ଦେବଦୂତ ସାଜିଛନ୍ତି। ମହାମାରୀରେ ସେ ଶତାଧିକ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ସେ ସହରରେ ଫସିଥିବା ଦିନ ମଜୁରିଆଙ୍କୁ ଘରେ ପହଞ୍ଚିବାରେ ସାହାଯ୍ୟ କରିଛନ୍ତି। ସେ ଶ୍ରମିକଙ୍କୁ ବସ୍‌ ଓ ଟ୍ରେନ୍‌ ଯୋଗେ ଘରକୁ ପଠାଇଥିଲେ। ଏଥିସହ ସେମାନଙ୍କୁ ଖାଇବା ମଧ୍ୟ ବାଣ୍ଟିଥିଲେ।