ମହିଳା କ୍ରିକେଟର ମିତାଲିଙ୍କ ବାୟୋପିକ୍ରେ ନଜର ଆସିପାରନ୍ତି ତାପସୀ !

ଏବେ ବଲିଉଡରେ ସ୍ପୋର୍ଟସ ପର୍ସନକୁ ନେଇ ବାୟୋପିକ ପ୍ରସ୍ତୁତ କରିବାର ଟ୍ରେଣ୍ଡ ଚାଲିଛି। ବିଗତ କିଛି ବର୍ଷରେ ’ଭାଗ୍ ମିଲ୍ଖା ଭାଗ, ସୁରମା, ମେରୀ କମ୍, ଧୋନୀ: ଦ ଅନଟୋଲ୍ଡ ଷ୍ଟୋରୀ’ ଭଳି ଫିଲ୍ମ ପ୍ରସ୍ତୁତ ହୋଇସାରିଛି। ଏହି ଫିଲ୍ମକୁ ଦର୍ଶକେ ମଧ୍ୟ ବେଶ୍ ପସନ୍ଦ କରିଛନ୍ତି। ଏବେ ବଲିଉଡରେ ଅନେକ ସ୍ପୋର୍ଟଭିତ୍ତିକ ଫିଲ୍ମ ନିର୍ମାଣ ଯୋଜନାରେ ରହିଛି। ଯେଉଁଥିରେ କପିଲ ଦେବଙ୍କ ବାୟୋପିକ, ସାଇନା ନେହ୍ଵାଲଙ୍କ ବାୟୋପିକ୍ ସାମିଲ ରହିଛି। ଏହି ଫିଲ୍ମରେ ରଣବୀର ସିଂ ଏବଂ ପରିଣୀତି ଚୋପ୍ରା ନଜର ଆସିବାକୁ ଥିବା ବେଳେ ଏବେ ମହିଳା କ୍ରିକେଟ ଟିମର ଅଧିନାୟକ ମିତାଲି ରାଜଙ୍କ ବାୟୋପିକକୁ ନେଇ ଫିଲ୍ମ ନିର୍ମାଣ ହେବ ବୋଲି ଖବର ମିଳିଛି।
ମିତାଲିଙ୍କ ବାୟୋପିକ୍ରେ ତାପସୀ ପ୍ରମୁଖ ଭୂମିକାରେ ନଜର ଆସିପାରନ୍ତି ବୋଲି ଖବର ମଧ୍ୟ ରହିଛି। ସମସ୍ତେ ଜାଣିଛନ୍ତି ତାପସୀ ପାନ୍ନୁ ଖେଳକୁ ବହୁତ ଭଲପାଉଥିବା ବେଳେ ବିଭିନ୍ନ ପ୍ରକାର ଖେଳ ଶିଖିବାକୁ ତାଙ୍କର ଆଗ୍ରହ ରହିଛି। ଯଦି ଫିଲ୍ମରେ ମିତାଲିଙ୍କ ଭୂମିକାରେ ତାପସୀ ନଜର ଆସନ୍ତି ଏହା ତାଙ୍କ ପାଇଁ ଗର୍ବର ବିଷୟ ହେବ। ଏବେ ଫିଲ୍ମକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଏହା ବିଷୟରେ କଥାବାର୍ତ୍ତା ଚାଲିଛି। ଏହାଛଡା ତାପସୀ ଆଉ ଏକ ସ୍ପୋର୍ଟସ ଫିଲ୍ମ କରୁଛନ୍ତି, ଯାହା ବିଷୟରେ ଖୁବଶୀଘ୍ର ଘୋଷଣା ହେବ।
ସୂଚନା ମୁତାବକ, ପୂର୍ବରୁ ତାପସୀ ଫିଲ୍ମ ସୁରମାରେ ଜଣେ ହକି ଖେଳାଳି ଭୂମିକାରେ ନଜର ଆସିଥିଲେ। ତାପସୀଙ୍କ ଭୂମିକାକୁ ମଧ୍ୟ ଦର୍ଶକେ ବେଶ୍ ପସନ୍ଦ କରିଥିବା ବେଳେ ପ୍ରଶଂସା ମଧ୍ୟ କରିଥିଲେ।