ବିଦ୍ୟୁତଙ୍କ ‘ଖୁଦା ହାଫିଜ୍ ୨’ର ଟ୍ରେଲର ରିଲିଜ୍, ଦେଖିବାକୁ ମିଳିବ ଦମ୍ଦାର ଆକ୍ସନ୍ ସହ ଆଖି ଭିଜିବା ଭଳି ଇମୋସନ୍
ବିଦ୍ୟୁତ୍ ଜାମଓ୍ଵାଲଙ୍କ ଫିଲ୍ମ ‘ଖୁଦା ହାଫିଜ୍ ୨- ଅଗ୍ନି ପରୀକ୍ଷା’ର ଟ୍ରେଲର ଆଜି ରିଲିଜ୍ ହୋଇଛି। ଫିଲ୍ମର ଟ୍ରେଲରରେ ନର୍ଗିସ ଓ ସମୀରଙ୍କ କାହାଣୀ ଆଗକୁ ବଢ଼ୁଥିବା ଦେଖାଯାଇଛି। ନର୍ଗିସ୍ଙ୍କୁ ଦେଶକୁ ଫେରାଇ ଆଣିବା ପରେ ସମୀର ବା ବିଦ୍ୟୁତ୍ ତାଙ୍କୁ ପୁଣିଥରେ ସାଧାରଣ ଭାବେ ଜୀବନ ବଞ୍ଚିବାକୁ ପ୍ରୋତ୍ସାହିତ କରୁଥିବା ଦେଖାଯାଇଛି।
ଏଥିରେ ସମୀର ପୁଣି ଥରେ ନର୍ଗିସ୍ଙ୍କ ନିକଟତର ହେବା ପାଇଁ ଏକ ଝିଅକୁ ପୋଷ୍ୟ ଭାବେ ଗ୍ରହଣ କରୁଛନ୍ତି। ତିନି ଜଣ ଯାକ ମିଶି ପୁଣିଥରେ ଏକ ନୂଆ ଜୀବନ ଆରମ୍ଭ କରୁଛନ୍ତି। କିନ୍ତୁ ଏଥରକ ବି ସମୀରଙ୍କ ସୁଖ ସଂସାର ଉପରେ କାହା ନଜର ଲାଗି ଯାଉଛି। ଦିନେ ସ୍କୁଲରୁ ତାଙ୍କ ଝିଅ ନନ୍ଦିନୀକୁ କେହି କିଡ୍ନାପ କରି ନେଉଛି। ଏହା ପରେ ଆରମ୍ଭ ହେଉଛି ଏକ ବାପାର ସଂଘର୍ଷ। ଜଣେ ବାପା ଯିଏ, ନିଜ ସନ୍ତାନକୁ ନିଜ ଜୀବନଠୁ ବି ବେଶୀ ଭଲ ପାଏ ସେ ତାକୁ ଫେରାଇ ଆଣିବାକୁ ସବୁ ପ୍ରକାରର ଚେଷ୍ଟା କରୁଛନ୍ତି। ଫିଲ୍ମର ଟ୍ରେଲରରେ ଇମୋସନ୍ ଓ ଆକ୍ସନ୍ ଉଭୟ ଦେଖିବାକୁ ମିଳିଛି। ଦର୍ଶକ ବି ଏହି କାହାଣୀକୁ ସହଜରେ ବୁଝିପାରିବେ ବୋଲି ଲାଗୁଛି।
Video Credit: Panorama Studios
ଫିଲ୍ମକୁ ନେଇ ବିଦ୍ୟୁତ ଜାମଓ୍ଵାଲ କହିଛନ୍ତି, ମୁଁ ଦର୍ଶକ ଓ ପ୍ରଶଂସକଙ୍କ ନିକଟରେ କୃତଜ୍ଞ ଯେ ସେମାନେ ମୋ ଚରିତ୍ରକୁ ଏବେ ଭଲ ପାଇବା ଦେଉଛନ୍ତି। ସମୀରକୁ ଏତେ ଭଲ ପାଇବା ଦେଇଥିବାରୁ ଆପଣଙ୍କୁ ଯେତେ ଧନ୍ୟବାଦ ଦେବି ସେତେ କମ୍। ଜୁଲାଇ ୮ରେ ମୁଁ ଆପଣଙ୍କୁ ସମୀର ରୂପେ ଫିଲ୍ମ ହଲ୍ରେ ନଜର ଆସିବି। ମୋ ପାଇଁ ଫିଲ୍ମ ହଲରେ ଦର୍ଶକଙ୍କ ମନୋରଞ୍ଜନ କରିବା ଖୁସିଠୁ ବଡ଼ ଆଉ କିଛି ନାହିଁ।
ସେହିପରି ନର୍ଗିସ୍ଙ୍କ ଭୂମିକାରେ ନଜର ଆସୁଥିବା ଶିବାଲିକା ଓବରୟ କୁହନ୍ତି- ଖୁଦା ହାଫିଜ୍ ସହ ବିଦ୍ୟୁତ୍ ଓ ମୁଁ ଦର୍ଶକଙ୍କୁ ଡିଜିଟାଲ ସ୍କ୍ରିନ୍ରେ ସମୀର ଓ ନର୍ଗିସ୍ ରୂପେ ଭେଟିଥିଲୁ। ଏବେ ଆମେ ତାଙ୍କ ଦ୍ୱିତୀୟ ଅଧ୍ୟାୟ ସହ ପୁଣିଥରେ ଭେଟିବାକୁ ଯାଉଛୁ ଓ ଏଥରକ ଜୁଲାଇ ୮ରେ ଫିଲ୍ମ ହଲରେ ଭେଟ ହେବ।
ଖୁଦା ହାଫିଜ୍ ଚାପ୍ଟର ୨ ଜୁଲାଇ ୮ରେ ଫିଲ୍ମ ହଲ୍ରେ ରିଲିଜ୍ ହେବ। ପୂର୍ବରୁ ଏହି ଫିଲ୍ମ ଜୁନ୍ ୧୭ ରେ ରିଲିଜ୍ ହେବାର ଥିଲା। କିନ୍ତୁ ନିର୍ମାତା ଏହାର ରିଲିଜ୍ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି।
Also Read: ଜୁନ୍ ୧୮ରେ ପଡ଼ୁଛି ମହାଲକ୍ଷ୍ମୀ ଯୋଗ: ଚମକିବ ଏହି ୩ଟି ରାଶିର ଭାଗ୍ୟ, ମିଳିବ ପ୍ରବଳ ଧନ ସମ୍ପତ୍ତି