Below header

ବିଜୟ ଦେବରକୋଣ୍ଡାଙ୍କ ଘମଣ୍ଡ! ସାମ୍ବାଦିକ ସମ୍ମିଳନୀରେ ଟେବୁଲ ଉପରେ ଗୋଡ଼ ଥୋଇ ବସିଲେ, ଫିଲ୍ମ ବୟକଟ୍‌ କରିବାକୁ ଦାବି କଲେ ଲୋକେ

ବିଜୟ ଦେବରକୋଣ୍ଡା ଏବେ ନିଜ ଅପ୍‌କମିଙ୍ଗ ଫିଲ୍ମ ‘ଲାଇଗର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ବିଭିନ୍ନ ଜାଗା ବୁଲି ସେ ଫିଲ୍ମର ପ୍ରମୋସନ କରୁଛନ୍ତି। ଏହି ଫିଲ୍ମରେ ବିଜୟ ଦେବରକୋଣ୍ଡାଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି ଅନନ୍ୟା ପାଣ୍ଡେ। ଉଭୟ ଗତ ସପ୍ତାହରେ ହାଇଦ୍ରାବାଦରେ ନିଜ ଫିଲ୍ମକୁ ପ୍ରମୋଟ୍‌ କରିବାକୁ ଯାଇଥିଲେ। ହେଲେ ଏହି ସମୟରେ ଦେବରକୋଣ୍ଡା ଏମିତି କିଛି କରି ବସିଥିଲେ, ଯାହାକୁ ନେଇ ଲୋକେ ତାଙ୍କ ଫିଲ୍ମକୁ ‘ବୟକଟ୍‌’ କରିବାକୁ ଦାବି ଉଠାଇଛନ୍ତି।

ରିପୋର୍ଟ ମୁତାବକ, ସେଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କଥାବର୍ତ୍ତା ବେଳେ ବିଜୟ ଦେବରକୋଣ୍ଡା ହଠାତ୍‌ ନିଜ ଗୋଡ଼କୁ ଟେବୁଲ ଉପରେ ରଖି ଦେଇଥିଲେ। ଅଭିନେତାଙ୍କ ଏଭଳି ଆଚରଣ ଦେଖି ତାଙ୍କୁ ଖୁବ୍‌ ଟ୍ରୋଲ କରାଯାଇଥିଲା। ହେଲେ ସେ ଏହାର କାରଣ ଜଣାଇବାକୁ ଯାଇ ଟ୍ରୋଲରମାନଙ୍କୁ ଜବାବ ଦେଇଛନ୍ତି।

vijay2
photo: amar ujala

ସମ୍ମିଳନୀରେ ଜଣେ ସାମ୍ବାଦିକ ଦେବରକୋଣ୍ଡାଙ୍କୁ ପ୍ରଶ୍ନ କରିଥିଲେ କି, ‘ଟ୍ୟାକ୍ସିବାଲା’ ରିଲିଜ୍‌ ସମୟରେ ସେ ସେମାନଙ୍କ ସହିତ ଖୋଲିକି କଥା ହୋଇ ନ ଥିଲେ, କିନ୍ତୁ ଏବେ ସେମିତି ନାହିଁ। ଏହି ପ୍ରଶ୍ନ ଶୁଣି ଦେବରକୋଣ୍ଡା ସମସ୍ତ ସାମ୍ବାଦିକଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ଆଚରଣରେ କହିଥିଲେ, ସେମିତି କିଛି ନ ଥିଲା। ଏହାରି ଭିତରେ ଅଭିନେତା ସମସ୍ତଙ୍କ ସାମ୍ନାରେ ନିଜ ଗୋଡ଼କୁ ଟେବୁଲ ଉପରେ ରଖି ଆରାମରେ ବସିଥିଲେ। ଯଦିଓ ତାଙ୍କର ଏଭଳି ଷ୍ଟାଇଲ ଦେଖି ସମସ୍ତେ ହସିବାକୁ ଲାଗିଥିଲେ।

ସାମ୍ବାଦିକ ସମ୍ମିଳନୀରେ ବିଜୟ ଦେବରକୋଣ୍ଡାଙ୍କ ମସ୍ତିଭରା ଅନ୍ଦାଜ କିଛି ଲୋକଙ୍କୁ ପସନ୍ଦ ଆସି ନ ଥିଲା, ଯେଉଁ କାରଣରୁ ଅଭିନେତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯିବା ଆରମ୍ଭ ହୋଇଥିଲା। ହେଲେ ଦେବରକୋଣ୍ଡା ବର୍ତ୍ତମାନ ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଛନ୍ତି।

ଅଭିନେତା ଟ୍ଵିଟରରେ ଏକ ପୋଷ୍ଟ୍‍ ସେୟାର କରିଛନ୍ତି। ଏଥିରେ ସେ କ୍ୟାପସନ ଲେଖିଛନ୍ତି, ‘ଯିଏ ବି ନିଜ କ୍ଷେତ୍ରରେ ଆଗକୁ ବଢ଼ିବାକୁ ଚେଷ୍ଟା କରୁଥିବ, ସେ ସବୁଠୁ ଅଧିକ ଟୋର୍ଗେଟରେ ରହିବ। କିନ୍ତୁ ଆମେ ଲଢ଼େଇ ଜାରି ରଖିବୁ। ଯେତେ ବେଳେ ଆପଣ ସଚ୍ଚୋଟ ହୁଅନ୍ତି, ସେତେ ବେଳେ ଆପଣ ନିଜ ପାଇଁ ଏବଂ ସମସ୍ତଙ୍କ ପାଇଁ ବେଷ୍ଟ୍‍ ଚାହିଁ ଥାଆନ୍ତି। ଲୋକ ମାନଙ୍କର ଏବଂ ଭଗବାନଙ୍କ ଭଲ ପାଇବା ଆପଣଙ୍କୁ ରକ୍ଷା କରିବ’।

କହି ରଖୁଛୁ, ‘ଲାଇଗର’କୁ ସାଉଥ୍‌ର ଖ୍ୟାତନାମା ନିର୍ଦ୍ଦେଶକ ପୁରୀ ଜଗନ୍ନାଦ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମ ପ୍ୟାନ୍‌ ଇଣ୍ଡିଆ ଲେବୁଲରେ ଅଗଷ୍ଟ ୨୫ରେ ରିଲିଜ୍‌ ହେବ। ଏଥିରେ ଆମେରିକୀୟ ବକ୍ସର ମାଇକ୍‌ ଟାଇସନଙ୍କର ଜବରଦସ୍ତ ଭୂମିକା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.