ଏସିରେ ଅଧିକ ସମୟ ରହୁଛନ୍ତି କି? ହୋଇଯାଆନ୍ତୁ ସାବଧାନ୍, ନଚେତ୍ କେଶ ଓ ତ୍ୱଚା ଉପରେ…
ଅତ୍ୟଧିକ ଗରମ ହେଲେ ବା ତାପମାତ୍ରା ବଢ଼ିଲେ ଆମେ ସାଙ୍ଗେ ସାଙ୍ଗେ ଏସି ଅନ୍ କରିଥାଉ। ଏସିରେ କିଛି ସମୟ ବସିଗଲେ ଶରୀର ଥଣ୍ଡା ହୋଇଯାଏ। ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗରମ ବେଳେ ମାତ୍ର କିଛି ସମୟ ପାଇଁ ଶୀତଳତା ଯୋଗାଉଥିବା ଏସି ଶରୀରର ସୌନ୍ଦର୍ଯ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।
ବର୍ଷାଦିନେ ବାହାର ପରିବେଶ ଥଣ୍ଡା ରହିଲେ ମଧ୍ୟ ଘର ଭିତର ଉଷ୍ଣ ରହିଥାଏ। ପ୍ରବଳ ଗୁଳୁଗୁଳି ଯୋଗୁ ଘରେ ଫ୍ୟାନ୍ ତଳେ ବି ଝାଳ ବୋହିଥାଏ। ଏଣୁ ଝାଳରୁ ମୁକ୍ତି ପାଇଁ ଆମେ ବର୍ଷାଦିନେ ମଧ୍ୟ ଏସି ଲଗାଇଥାଉ। ମାତ୍ର ଏସି ତ୍ୱଚା ଓ କେଶ ଉପରେ କୁପ୍ରଭାବ ପକାଇଥାଏ। ଆମ ତ୍ୱଚା ଓ କେଶ ସୁସ୍ଥ ରହିବା ପାଇଁ ମଶ୍ଚରାଇଜ୍ ଦରକାର ପଡ଼ିଥାଏ। ମାତ୍ର ଏସି ତ୍ୱଚାକୁ ଶୁଷ୍କ କରିଦେଇଥାଏ। ମଶ୍ଚର କମ୍ ହେବା ଦ୍ୱାରା କେଶ ମଧ୍ୟ ରୁକ୍ଷ ହୋଇଯାଏ।
ବିଶେଷଜ୍ଞଙ୍କ କହିବାନୁସାରେ, ଦିନକୁ ୫ରୁ ୬ଘଣ୍ଟା ଏସିରେ ରହୁଥିବା ଲୋକଙ୍କ ଅଧିକ କେଶ ଝଡ଼ିଥାଏ। ଏଥିସହ କେଶ ଦୁଇ ମୁହାଁ ଓ ରୁକ୍ଷ ହୋଇଯାଏ। ମଶ୍ଚର କମିବା ଦ୍ୱାରା ପୋର୍ସ ବ୍ଲକ୍ ହୋଇଯାଏ ଫଳରେ ହେୟାର ଗ୍ରୋଥ୍ କରିବା ମଧ୍ୟ ବନ୍ଦ ହୋଇଯାଏ। ଏସିରେ ଅଧିକ ସମୟ ବସିବା କେବଳ କେଶ ଉପରେ ନୁହେଁ ତ୍ୱଚା ଉପରେ ମଧ୍ୟ ପ୍ରଭାବ ପକାଏ। ଏସି ତ୍ୱଚାର ତୈଳାଂଶକୁ ଶୋଷି ଶୁଷ୍କ କରିଦିଏ। ଫଳରେ ଖରାଦିନେ ମଧ୍ୟ ମୁହଁ ଶୁଖିଲା ଦିଶେ।
ତେବେ ତ୍ୱଚା ଓ କେଶକୁ ମୁଲାୟମ୍ ରଖିବା ପାଇଁ ପ୍ରଚୁର ପାଣି ପିଅନ୍ତୁ। ପ୍ରତି ଅଧଘଣ୍ଟାକୁ ଥରେ ପାଣିପିଇବା ଦ୍ୱାରା ଶରୀରରେ ଜଳର ମାତ୍ରା ନିୟନ୍ତ୍ରିତ ରହିଥାଏ।
କୋମଳ ତ୍ୱଚା ପାଇଁ ଭୋଜନରେ ଫଳ ଓ ସବୁଜ ପରିବା ସାମିଲ କରନ୍ତୁ। କାକୁଡ଼ି, ତରଭୁଜ ଭଳି ପରିବା ଖାଇବା ଦ୍ୱାରା ଶରୀରରେ ଜଳୀୟାଂଶର ପରିମାଣ ବଢ଼ିଥାଏ। କୋମଳ ତ୍ୱଚା ପାଇଁ ଆପଣ ଚାହିଁଲେ ଦେହରେ ନଡ଼ିଆ କିମ୍ବା ଅଲିଭ୍ ଅଏଲ୍ରେ ମସାଜ୍ ମଧ୍ୟ କରିପାରିବେ। ଅଧିକ ସମୟ ଏସିରେ ବସି ନ ରହି ମଝିରେ ମଝିରେ ବାହାରକୁ ମଧ୍ୟ ଯାଆନ୍ତୁ। ଏହାଦ୍ୱାରା ବାହାରର ଥଣ୍ଡା ପବନ ଦେହରେ ବାଜିବ ଓ ଶରୀର ମଶ୍ଚରାଇଜ୍ ରହିବ।
ଏହାସହ ପଢନ୍ତୁ: କ୍ୟାନ୍ସର ସମେତ ଏହି ସବୁ ରୋଗକୁ ମାତ୍ ଦେବ ଅଲିଭ୍ ଅଏଲ