ସାଇନସ୍ ରେ ଯନ୍ତ୍ରଣା ଅନୁଭବ କରୁଥିଲେ ଆପଣାନ୍ତୁ ଏହି ଘରୋଇ ଉପଚାର
‘ସାଇନୋସାଇଟିସ୍’ ବା ‘ସାଇନସ୍ ଇନଫେକ୍ସନ’ ଏପରି ଏକ ରୋଗ, ଯେଉଁଥିରେ ପୀଡ଼ିତ ହେଲେ ରୋଗୀର ନାକ ଭିତରେ ପୋଡ଼ାଜଳା ହୋଇଥାଏ। ଏହା ସହିତ ରୋଗୀ ନିଃଶ୍ୱାସ ନେବାରେ ଅସହଜ ଅନୁଭବ କରିଥାଏ। ସାଇନସ୍ରେ ଏଭଳି ଯନ୍ତ୍ରଣା ଯୋଗୁ ସାଇନସ୍ ପ୍ରେସର ସମସ୍ୟା ମଧ୍ୟ ଉପୁଜିଥାଏ। ଏଥିପାଇଁ ପ୍ରତି ଦୁଇ ତିନି ଘଣ୍ଟାରେ ରୋଗୀକୁ ନାକ ସଫା କରିବା ପାଇଁ ପଡ଼ିଥାଏ। ଏପରି କରିବା ଦ୍ୱାରା ସାଇନସ୍ ଯନ୍ତ୍ରଣା ଲାଘବ ହୋଇଥାଏ। ତେବେ ଏହା ବ୍ୟତୀତ କିଛି ଘରୋଇ ଉପାୟରେ ମଧ୍ୟ ଆପଣ ସାଇନସ୍ ଯନ୍ତ୍ରଣାରୁ ରକ୍ଷା ପାଇପାରିବେ। ତା’ହେଲେ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାରଗୁଡ଼ିକ ସଂପର୍କରେ।
୧. ଲୁଣ ଓ ବେକିଂ ସୋଢ଼ାକୁ ପାଣିରେ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ଆଘ୍ରାଣ କରନ୍ତୁ। ଦିନକୁ ଏପରି ଦୁଇରୁ ତିନିଥର କରନ୍ତୁ। ଦେଖିବେ ଆପଣ ସାଇନସ୍ ଯନ୍ତ୍ରଣାରୁ ଆରାମ ପାଇପାରିବେ।
୨. ପାଣିକୁ ଫୁଟାଇ ଏହାକୁ ଏକ ବଡ଼ ପାତ୍ରରେ ରଖନ୍ତୁ। ମୁହଁରେ ଟାୱେଲ୍ ପକାଇ ଗରମ ପାଣିର ବାମ୍ଫକୁ ନିଃଶ୍ୱାସରେ ନିଅନ୍ତୁ।
୩. ସାଇନସ୍ ଯନ୍ତ୍ରଣା ଯୋଗୁ ଯଦି ଆପଣଙ୍କ ନାକ ବନ୍ଦ ହୋଇଯାଉଛି, ତେବେ ଗରମ ଚାହା କିମ୍ୱା କଫି ପିଅନ୍ତୁ। ସଙ୍ଗେ ସଙ୍ଗେ ଆପଣଙ୍କୁ ଆରାମ ମିଳିବ।
୪. ଗରମ ପାଣିରେ କପଡ଼ା ବୁଡ଼ାଇ ଏହାକୁ ଚିପୁଡ଼ି ଦିଅନ୍ତୁ ଓ ନାକ ପାଖରେ ରଖନ୍ତୁ। ଏହାଦ୍ୱାରା ନାକରେ ଯନ୍ତ୍ରଣା କମ୍ ହୋଇଥାଏ।
୫. ଆବଶ୍ୟକ ମାତ୍ରାରେ ଶୋଇବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ସାଇନସ୍ ଶୀଘ୍ର ଠିକ୍ ହୋଇଥାଏ।
୬. ଗରମ ପାଣିରେ ଅଳ୍ପ କିଛି ବୁନ୍ଦା ପୁଦିନା ତେଲ ପକାଇ ଏହାକୁ ଆଘ୍ରାଣ କରନ୍ତୁ। ଦେଖିବେ ସାଇନସ୍ ଯନ୍ତ୍ରଣାରୁ ଆରାମ ପାଇବେ।