ସୁସ୍ଥ ଏବଂ ସୁନ୍ଦର କେଶ ପାଇଁ ବ୍ୟବହାର କରନ୍ତୁ ଦେଶୀ ଘିଅର ଏହି ମାସ୍କ : ସମସ୍ତ ସମସ୍ୟାରୁ ମିଳିବ ମୁକ୍ତି

କେଶ ଝଡିବା ଏବେ ଏକ ସାଧାରଣ ସମସ୍ୟା । ଯାହାର ମୁଖ୍ୟ କାରଣ ହେଉଛି ପ୍ରଦୂଷଣ ଏବଂ ପୋଷକ ତତ୍ବର ଅଭାବ । ପୁରୁଷଙ୍କଠାରୁ ଆରମ୍ଭ କରି ମହିଳା ପର୍ୟ୍ୟନ୍ତ ସମସ୍ତେ ଏହି ସମସ୍ୟାର ଶିକାର । ତେବେ କେଶ ଝଡିବା, ରୁକ୍ଷ ହେବା କିମ୍ବା ଅନ୍ୟ ସମସ୍ୟାରୁ ମୁକ୍ତି ପାଇଁ ବଜାରରେ ଅନେକ ସାମଗ୍ରୀ ମିଳୁଛି । କିନ୍ତୁ ଏହି କେମିକାଲ୍ ଯୁକ୍ତ ସାମଗ୍ରୀ ପାର୍ଶ୍ବ ପ୍ରତିକ୍ରିୟାରେ ଭରପୁର । ଏମିତିରେ ପ୍ରାକୃତିକ ଉପାୟରେ କେଶ ସମସ୍ୟାରୁ ମୁକ୍ତି ପାଇବା ଏକ ସୁରକ୍ଷିତ ଉପାୟ । ଯାହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ । ଏହିପରି ଏକ ଘରୋଇ ଉପାୟ ହେଉଛି ଦେଶୀ ଘିଅରେ ପ୍ରସ୍ତୁତ ହେୟାର ମାସ୍କ ।

ମାସ୍କ ତିଆରି କରିବା ବିଧି :
ଏହି ହେୟାର୍ ମାସ୍କ ତିଆରି କରିବା ପାଇଁ ଆବଶ୍ୟକ ଶୁଦ୍ଧ ଦେଶୀ ଘିଅ, ଗୋଟିଏ ଲେମ୍ବୁ, ଏଲୋବେରା ଜେଲ୍ ଏବଂ ନଡିଆ ତେଲ । ସର୍ବ ପ୍ରଥମେ ଗୋଟିଏ ପାତ୍ରରେ ସମାନ ପରିମାଣର ଘିଅ ଏବଂ ନଡିଆ ତେଲ ଭଲ ଭାବରେ ମିଶାନ୍ତୁ । ଏବେ ଏଥିରେ ଏକ ଚାମଚ ଲେମ୍ବୁ ରସ ଏବଂ ଏକ ଚାମଚ ଏଲୋବେରା ବା ଘିଁ କୁଆରୀ ରସ ମିଶାନ୍ତୁ ।

କେମିତି କରିବେ ବ୍ୟବହାର :
ଏହି ମାସ୍କ ବ୍ୟବହାର କରିବା ପୂର୍ବରୁ କେଶକୁ ଭଲ ଭାବରେ କୁଣ୍ଡାନ୍ତୁ । ଏବେ ଏହି ମିଶ୍ରଣକୁ ଭଲ ଭାବରେ କେଶରେ ଲଗାନ୍ତୁ । କେଶ ମୂଳରେ ମଧ୍ୟ ଭଲ ଭାବରେ ମାଲିସ୍ କରନ୍ତୁ । ଏହି ମିଶ୍ରଣକୁ ଲଗାଇବା ପରେ ପ୍ରାୟ ୨ ରୁ ୩ ଘଂଟା ପର୍ୟ୍ୟନ୍ତ ରଖନ୍ତୁ । ଏହା ପରେ ଥଣ୍ଡା ପାଣିରେ କେଶକୁ ଧୋଇଦିଅନ୍ତୁ । ଏହା ଏକ ପ୍ରାକୃତିକ କଣ୍ଡିସନର ଭାବରେ କାମ କରିବ । ତେଣୁ କେଶ ଧୋଇବା ପରେ ଅନ୍ୟ କଣ୍ଡିସନର୍ ବ୍ୟବହାର କରିବା ଆବଶ୍ୟକ ପଡିବ ନାହିଁ ।

କଣ ହୋଇଥାଏ ଲାଭ :
ଏହି ମାସ୍କ ଲଗାଇବା ଦ୍ବାରା ଦୋମୁଁହା କେଶରୁ ମୁକ୍ତି ମିଳିଥାଏ । ଏହା ସହ ସମୟ ପୂର୍ବରୁ କେଶ ଧଳା ହେବାରୁ ବଂଚିଥାଏ । ଘିଅର ମାସ୍କ ଲଗାଇବା ଦ୍ବାରା କେଶ ମୂଳରେ ସଂକ୍ରମଣ ହୋଇନଥାଏ । ତେଣୁ ସପ୍ତାହରେ ପ୍ରାୟ ଦୁଇ ଥର ଏହି ମାସ୍କ ବ୍ୟବହାର କରିବା ଉଚିତ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.