ପାକିସ୍ତାନର କରାଚିରେ ଭୟଙ୍କର ବିସ୍ଫୋରଣ, ୧୦ ମୃତ

ପାକିସ୍ତାନର କରାଚିରେ ଶନିବାର ଭୟଙ୍କର ବିସ୍ଫୋରଣ ହୋଇ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏହି ବିସ୍ଫୋରଣ ସହରର ଶେରଶାହ ପାରାଚା ଚୌକ ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାକି ୨ ଜଣଙ୍କ ମୃତ୍ୟୁ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୋଇଥିବା ନେଇ ସହିଦ ମୋତରମା ବେନଜୀର ଭୁଟ୍ଟୋ ହସ୍ପିଟାଲ ଟ୍ରମା ସେଣ୍ଟରର ମୁଖ୍ୟ ଡା. ସାବିର ମେମନ୍‌ ସ୍ପଷ୍ଟ କରିଛନ୍ତି। ଏବେ ସମସ୍ତ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ରିପୋର୍ଟ ମୁତାବକ, ଏହି ବିସ୍ଫୋରଣ ଏକ ନାଳରେ ହୋଇଛି। କୁହାଯାଉଛି ଯେ ଏହି ବିସ୍ଫୋରଣ ଯୋଗୁ ସେଠାରେ ଥିବା ଏକ ପ୍ରାଇଭେର୍ଟ ବ୍ୟାଙ୍କର କୋଠା ପ୍ରବଳ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ପୋଲିସ କହିବାନୁସାରେ, ଏହି ବିସ୍ଫୋରଣ ଏକ ନାଳରେ ଗ୍ୟାସ୍‌ ଲିକ୍‌ ହେବା କାରଣରୁ ହୋଇଛି। ଘଟଣା ବିଷୟରେ ସୂଚନା ମିଳିବା ପରେ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।

ଏହି ଭୟଙ୍କର ବିସ୍ଫୋରଣ ପରେ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୋଲିସ ମଧ୍ୟ ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି। ତେବେ ସ୍ଥାନୀୟ ଅଞ୍ଚଳକୁ ଚାରି ଆଡ଼ୁ ବନ୍ଦ କରି ଦିଆଯାଇଛି। ପୋଲିସ ଓ ଟିମ୍‌ ସ୍ଥାନୀୟ ଅଞ୍ଚଳରେ ଆଉ କିଛି ଅଘଟଣ ଆଶଙ୍କା କରି ଖୋଜାଖୋଜି ଜାରି ରଖିଛି। ଏହି ବିସ୍ଫୋରଣର କାରଣ ଖୋଜିବାରେ ପୋଲିସ ଲାଗି ପଡ଼ିଥିବା କହିଛି।

Leave A Reply

Your email address will not be published.