ମାଳଦ୍ୱୀପରେ ବଡ଼ ଦୁର୍ଘଟଣା! ବିଲ୍ଡିଂରେ ନିଆଁ ଲାଗି ୯ ଭାରତୀୟଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ

ମାଲଦ୍ୱୀପର ରାଜଧାନୀ ମାଲେରେ ଏକ ବିଲ୍ଡିଂରେ ନିଅାଁ ଲାଗି ୧୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ବିଲ୍ଡିଂରେ ବିଦେଶୀ ଶ୍ରମିକମାନେ ରହୁଥିଲେ। ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋର୍‌ରେ ଥିବା କାର୍‌ ରିପେୟାରିଂ ଗ୍ୟାରେଜ୍‌ରେ ପ୍ରଥମେ ନିଅାଁ ଲାଗିଥିଲା। ଘଟଣାରେ ୯ ଭାରତୀୟଙ୍କ ସହ ଜଣେ ବାଂଲାଦେଶୀ ନାଗରିକଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଲୋକ ଆହତ ମଧ୍ୟ ହୋଇଥିବା ଜଣାପଡ଼ିଛି।

ଦମକଳ ଅଧିକାରୀମାନଙ୍କ କହିବା ହେଲା, ଗ୍ରାଉଣ୍ଡ ଫ୍ଲୋର୍‌ରେ ଲାଗିଥିବା ନିଅାଁ ଧୀରେ ଧୀରେ ବିଲ୍ଡିଂର ଉପର ମହଲାକୁ ଚାଲି ଯାଇଥିଲା। ଏହି ଭୟଙ୍କର ଅଗ୍ନିକାଣ୍ଡ ପରେ ଉପର ମହଲାରୁ ୧୦ ମୃତଦେହକୁ ଜବତ କରାଯାଇଛି। ଦମକଳ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଆମେ ୧୦ ଜଣଙ୍କ ମୃତଦେହ ଜବତ କରିଛୁ। ନିଅାଁକୁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରିବାରେ ପାଖାପାଖି ୪ ଘଣ୍ଟା ସମୟ ଲାଗିଥିଲା।

ପୋଲିସ ସୂଚନା ମୁତାବକ, ଅଗ୍ନିକାଣ୍ଡରେ ୯ ଜଣ ଭାରତୀୟ ଏବଂ ଜଣେ ବାଂଲାଦେଶୀ ନାଗରିକଙ୍କ ମୃତ୍ୟୁ ଘଟିଛି। ସେପଟେ ମାଲେ ଅଗ୍ନିକାଣ୍ଡକୁ ନେଇ ମାଲଦ୍ୱୀପରେ ଭାରତୀୟ ଉଚ୍ଚ ଆୟୋଗ ଗଭୀର ଶୋକବ୍ୟକ୍ତ କରିଛି। ଉଚ୍ଚ ଆୟୋଗର କହିବା ହେଲା, ଆମେ ମାଲଦ୍ୱୀପ ସରକାରଙ୍କ ସହ ଲଗାତାର ଯୋଗାଯୋଗରେ ରହିଛୁ। ମାଲଦ୍ୱୀପ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୋଲିସ ମୃତକମାନଙ୍କୁ ଚିହ୍ନଟ କରିବାରେ ଲାଗିଛି।

ମାଲଦ୍ୱୀପର ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟୀ ଟ୍ଵିଟ୍‌ କରି କହିଛି କି, ମାଲେ ଅଗ୍ନିକାଣ୍ଡରେ ପ୍ରଭାବିତ ଲୋକମାନଙ୍କ ପାଇଁ ସ୍ଥାନୀୟ ଏକ ଷ୍ଟାଡିୟମ୍‌ରେ ରିଲିଫ୍‌ ଏବଂ ଉଦ୍ଧାର କେନ୍ଦ୍ର କରାଯାଇଛି। ପୀଡ଼ିତ ଲୋକମାନଙ୍କୁ ସାହାଯ୍ୟ ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି। ଏହି ଘଟଣା ପରେ ମାଲଦ୍ୱୀପରେ ଅତ୍ୟନ୍ତ ଦୟନୀୟ ପରିସ୍ଥିତିରେ ରହୁଥିବା ବିଦେଶୀ ଶ୍ରମିକମାନଙ୍କ ପ୍ରସଙ୍ଗ ପୁଣିଥରେ ଚର୍ଚ୍ଚାକୁ ଆସିଛି। ଏଠାକାର କେତେକ ରାଜନୈତିକ ଦଳଙ୍କ କହିବା ହେଲା, ବିଦେଶୀ ଶ୍ରମିକମାନେ ଏଠାରେ ଦୟନୀୟ ସ୍ଥିତି ରହୁଛନ୍ତି।

କହି ରଖୁଛୁ, ମାଲଦ୍ୱୀପରେ ଅନେକ ସଂଖ୍ୟାରେ ବିଦେଶୀ ଶ୍ରମିକ ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ଭାରତ, ବାଂଲାଦେଶ, ନେପାଳ, ପାକିସ୍ତାନ ଓ ଶ୍ରୀଲଙ୍କା ଭଳି ଦେଶରୁ ଅଛନ୍ତି। ଏହି ବିଦେଶୀ ଶ୍ରମିକମାନଙ୍କର ଦୟନୀୟ ସ୍ଥିତି ପ୍ରଥମେ କରୋନା କାଳରେ ସାମ୍ନାକୁ ଆସିଥିଲା। ସେହି ସମୟରେ ସ୍ଥାନୀୟ ଲୋକଙ୍କ ତୁଳନାରେ ବିଦେଶୀମାନଙ୍କଠାରେ କରୋନା ୩ ଗୁଣା ଅଧିକ ଦ୍ରୁତ ଗତିରେ ବ୍ୟାପୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.