ୟୁକ୍ରେନ ଉପରେ ରୁଷିଆର ପୁଣି ମିସାଇଲ ମାଡ, ୧୨ ମୃତ

୧୧ ମାସରେ ବି ଥମୁନି ରୁଷ-ୟୁକ୍ରେନ୍ ଯୁଦ୍ଧ । ପୁଣିଥରେ ୟୁକ୍ରେନ ଉପରେ ହମଲା ଜୋରଦାର କରିଛି ରୁଷ। ଶନିବାର ରୁଷ ସେନା ୟୁକ୍ରେନର ବିଭିନ୍ନ ସ୍ଥାନରେ ଘନଘନ ମିସାଇଲ ମାଡ଼ କରିଛନ୍ତି। ୟୁକ୍ରେନର ଡିନପ୍ରୋ ସହରରେ ରୁଷର ଏକାଧିକ ମିସାଇଲ ଗୋଟିଏ ୯ ମହଲା ବିଲଡିଂକୁ ହିଟ୍ କରିଛି। ଏଥିରେ ୧୨ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି ।

ଯେଉଁ ଆପାର୍ଟମେଣ୍ଟରେ ମିସାଇଲ ମାଡ ହୋଇଛି ସେଥିରେ ଥିବା ୭୨ଟି ଆପାର୍ଟମେଣ୍ଟ ମାଟିରେ ମିଶି ଯାଇଛି । ଶହ ଶହ ଲୋକ ବାସହରା ହୋଇଛନ୍ତି । ଧ୍ୱଂସାବଶେଷ ତଳୁ ଲୋକଙ୍କୁ ସୁରକ୍ଷାକର୍ମୀମାନେ ରାତିତମାମ ପ୍ରବଳ ଥଣ୍ଡାରେ ଉଦ୍ଧାର କରି ହସ୍ପିଟାଲକୁ ନେଇଛନ୍ତି। ତେବେ ଅନେକ ଲୋକମାନେ ଫଶି ରହିଥିବା ଆଶଙ୍କା କରାଯାଉଛି। ଏଥିପାଇଁ ଉଦ୍ଧାରକାରୀ ଟିମ୍‌ ଲୋକଙ୍କୁ ସୁରକ୍ଷିତ ବାହାର କରିବା କାମରେ ଲାଗିଛନ୍ତି। ନିଆଁକୁ ଆୟତ୍ତ କରାଯିବା ପରେ ହିଁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଏହାଛଡା କିଭ୍ ଓ ଅନ୍ୟ ସହରଗୁଡ଼ିକରେ ଥିବା ଏକାଧିକ ପ୍ରତିଷ୍ଠାନକୁ ମଧ୍ୟ ରୁଷ ମିସାଇଲ ମାଡ଼ କରିଛି। ମିସାଇଲ ମାଡ଼ରେ ବିଜୁଳି ଓ ପାଣି ଯୋଗାଣ ଉପରେ ବେଶ୍‌ ପ୍ରଭାବ ପଡିଛି। ତେଣୁ ଆଗାମୀ ଦିନରେ ବିଜୁଳି ଓ ପାଣି ଯୋଗାଣ ପ୍ରଭାବିତ ହୋଇପାରେ। ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦିମିର ଜେଲେନସ୍କି ରୁଷର ଏପରି ମିସାଇଲ ମାଡ଼କୁ ନିନ୍ଦା କରିବା ସହ ପଶ୍ଚିମ ଦେଶଗୁଡ଼ିକୁ ପୁଣିଥରେ ସହଯୋଗ ପାଇଁ ନିବେଦନ କରିଛନ୍ତି। ଆମେରିକା ଓ ୟୁରୋପୀୟ ରାଷ୍ଟ୍ରଙ୍କ ଅସ୍ତ୍ରଶସ୍ତ୍ରରେ ରୁଷ ସେନାକୁ ଏବେ ମୁହଁତୋଡ଼ ଯବାବ ଦେଉଛି ୟୁକ୍ରେନ୍ ।