ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସରକାରୀ ବାସଭବନରେ ଖାଦ୍ୟ ବିଲ୍‌ ୨.୩୮କୋଟି ଟଙ୍କା! ବିରୋଧୀ କହିଲେ, ‘ଚା’ରେ କ’ଣ ସୁନାପାଣି ମିଶାଉଛ’?

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସରକାରୀ ବାସଭବନରେ ଖାଦ୍ୟର ବିଲ୍‌ ୨ କୋଟିରୁ ଅଧିକ ଟଙ୍କା ଆସିଛି, ଯାହାକୁ ନେଇ ବିରୋଧୀ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସରକାରୀ ବାସଭବନରେ ଖାଦ୍ୟପେୟର ଖର୍ଚ୍ଚକୁ ନେଇ ଖୁବ୍‌ ଚର୍ଚ୍ଚା ଓ ଆଲୋଚନା ହେଉଛି। ଏନସିପି ଏବଂ କଂଗ୍ରେସ ସମେତ ସମସ୍ତ ନେତା ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଟାର୍ଗେଟ୍‌ କରିଛନ୍ତି। ରିପୋର୍ଟ ମୁତାବକ, ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଗତ ଚାରି ମାସ ମଧ୍ୟରେ ଖାଦ୍ୟ ଓ ପାନୀୟ ପାଇଁ ୨ କୋଟି ୩୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହା ଉପରେ କଂଗ୍ରେସ ନେତା ସୁରେନ୍ଦ୍ର ରାଜପୁତ କହିଛନ୍ତି ଯେ ‘ଚା’ରେ ଆପଣ ସୁନାପାଣି ମିଶାଉଥିଲେ କି’?

ସୂଚନା ଅନୁସାରେ, ସିଏମ୍ ଏକନାଥ ସିନ୍ଦେଙ୍କ ସରକାରୀ ବାସଭବନରେ ଗତ ଚାରି ମାସ ମଧ୍ୟରେ ଖାଦ୍ୟ ବିଲ୍ ୨ କୋଟି ୩୮ ଲକ୍ଷ ଟଙ୍କା ଆସିଛି। ଏହା ଉପରେ ଏନସିପି ନେତା ଅଜିତ ପାୱାର ପଚାରିଛନ୍ତି ଯେ ଭର୍ସା ବଙ୍ଗଳାର ଚା’ରେ କେଉଁ ସୁନେଲି ପାଣି ମିଶାଯାଉଛି’? କଂଗ୍ରେସ ନେତା ସୁରେନ୍ଦ୍ର ରାଜପୁତ କହିଛନ୍ତି, ‘ମହାରାଷ୍ଟ୍ରର ସିଏମ ଏକନାଥ ସିନ୍ଦେଙ୍କ ସରକାରୀ ବାସଭବନରେ ୪ ମାସର ଖାଦ୍ୟ ବିଲ ୨ କୋଟି ୩୮ ଲକ୍ଷ ଟଙ୍କା କୁହାଯାଇଛି। ସିଏମ୍‌ଙ୍କୁ ପ୍ରଶ୍ନ, ‘ଆପଣ ଚା’ରେ ସୁନାପାଣି ମିଶାଉଥିଲେ କି’?

ସେପଟେ ଅନେକ ଲୋକ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। @awaaz_dill_ki ନାମକ ୟୁଜର ଲେଖିଛନ୍ତି, ‘ବଜେଟରେ ଏହି ମନ୍ତ୍ରୀମାନଙ୍କର ଖାଦ୍ୟ ବଜେଟର ଲିମିଟ୍‌ ମଧ୍ୟ ସ୍ଥିର କରାଯିବା ଦରକାର’। @nileshshekokar ନାମକ ୟୁଜର ଲେଖିଛନ୍ତି, ‘କ’ଣ ଆପଣ ମସ୍‌ରୁମ ଖାଇବା ଆରମ୍ଭ କରି ଦେଇଛନ୍ତି କି’?

ଅନ୍ୟପକ୍ଷରେ ସିଏମ ସିନ୍ଦେ ଅଜିତ ପାୱାରଙ୍କୁ ଉତ୍ତର ଦେବାକୁ ଯାଇ କହିଛନ୍ତି, ‘ସିଏମଙ୍କ ବାସଭବନକୁ ଦୂରଦୂରାନ୍ତରୁ ଲୋକମାନେ ଆସନ୍ତି। ସେମାନଙ୍କୁ ବିରିୟାନି ନୁହେଁ, ଚା ’ଦିଆଯାଇଥାଏ। ଏହା ଆମ ସଂସ୍କୃତିରେ ରହିଛି। ଯେତେବେଳେ କେହି ଆମ ଘରକୁ ଆସନ୍ତି, ତାଙ୍କୁ ଚା’ ଏବଂ ପାଣି ଦିଆଯାଇଥାଏ। କ’ଣ ଆମକୁ ଏହା କରିବା ଉଚିତ୍ ନୁହେଁ କି’? ସେପଟେ ଅଜିତ ପାୱାର ଏହା ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ ଗତ ୬ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ପ୍ରଚାର କରିବାରେ ୫୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।