ନିଜ ୩୫ ସପ୍ତାହର ଗର୍ଭ ନଷ୍ଟ କରିବାକୁ ମହିଳାଙ୍କୁ ମିଳିଲା ଅନୁମତି; ଏହି ଆଧାରରେ ହାଇକୋର୍ଟ ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ କୋଲକାତା ହାଇକୋର୍ଟ ଜଣେ ମହିଳାକୁ ଗର୍ଭପାତ ପାଇଁ ଅନୁମତି ଦେଇଛନ୍ତି। ମେଡିକାଲ ରିପୋର୍ଟ ଅନୁସାରେ ଗର୍ଭସ୍ଥ ଶିଶୁଟିର ଶରୀର ଗଠନରେ ବିକୃତି ଜଣା ପଡିଥିଲା, ଯାହା ଆଧାରରେ ହାଇକୋର୍ଟ ତାଙ୍କୁ ଗର୍ଭପାତ ପାଇଁ ଅନୁମତି ପ୍ରଦାନ କରିଥିଲେ।

ଗତ ଗୁରୁବାର ହାଇକୋର୍ଟ ଏହି ମାମଲାରେ ମହିଳାଙ୍କୁ ଗର୍ଭଧାରଣର ୩୫ ସପ୍ତାହ ପରେ ଗର୍ଭପାତ ପାଇଁ ଅନୁମତି ପ୍ରଦାନ କରିଛନ୍ତି। କାହିଁକି ନା, ଏକ ମେଡିକାଲ ବୋର୍ଡ ଭ୍ରୁଣ ଶରୀର ଗଠନରେ ବିକୃତି ଚିହ୍ନଟ କରିଥିଲା।
ଅଦାଲତ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏସଏସକେଏମ ହସ୍ପିଟାଲର ୯ ଜଣ ସଦସ୍ୟ ବିଶିଷ୍ଟ ମେଡିକାଲ ବୋର୍ଡ ରିପୋର୍ଟରେ ଏହା ସ୍ପଷ୍ଟ କରିଛନ୍ତି ଯେ, ମହିଳାଙ୍କ ଗର୍ଭସ୍ଥ ଶିଶୁର ଜନ୍ମ ପରେ ସାଧାରଣ ଜୀବନ ବଞ୍ଚିବାର ସମ୍ଭାବନା ବହୁତ କମ୍।

ଜଷ୍ଟିସ୍ ରାଜଶେଖର ମନ୍ଥା କହିଛନ୍ତି, ମେଡ଼ିକାଲ ରିପୋର୍ଟ ଅନୁସାରେ ମା’ ସହ ଶିଶୁର ଜୀବନ ପ୍ରତି ବିପଦ ରହିଛି। ତଥ୍ୟ ଏବଂ ପରିସ୍ଥିତିକୁ ସମ୍ପୂର୍ଣ୍ଣ ଧ୍ୟାନରେ ରଖି ଅଦାଲତ ଆବେଦନକାରୀଙ୍କୁ ଏକ ପ୍ରାଧିକୃତ ହସ୍ପିଟାଲ କିମ୍ବା ସ୍ବାସ୍ଥ୍ୟ କେନ୍ଦ୍ରରେ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି।

ହାଇକୋର୍ଟ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି, ୯ ଜଣ ସଦସ୍ୟ ବିଶିଷ୍ଟ ଟିମ୍ ଦର୍ଶାଇଛି ଯେ ଶିଶୁଟି ମେଡ଼ିକାଲ ହସ୍ତକ୍ଷେପ ଦ୍ବାରା ଜନ୍ମ ହେଲେ ମଧ୍ୟ ଗମ୍ଭୀର କ୍ଷତି ଏବଂ ଦୀର୍ଘକାଳୀନ ରୋଗରେ ପୀଡ଼ିତ ହେବାର ସମ୍ଭାବନା ରହିଛି।

ମହିଳା ଓ ତାଙ୍କ ସ୍ଵାମୀ ଶିଶୁର ଏଭଳି ଅବସ୍ଥା ପାଇଁ ଗର୍ଭପାତ କରିବାକୁ  ଚାହୁଁଥିଲେ। ସେଥିପାଇଁ ୩୬ ବର୍ଷୀୟ ମହିଳା ହାଇକୋର୍ଟରେ ଗର୍ଭପାତର ଅନୁମତି ପାଇଁ ଆବେଦନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.