ବିଜେପି ମହାସଚିବଙ୍କ ଦୃଢ଼ୋକ୍ତି : ୪୧ ବିଧାୟକ ଆମ ସହ ଅଛନ୍ତି, ଯେବେ ଚାହିଁବୁ ମମତାଙ୍କ ସରକାର ଭାଙ୍ଗିଦେବୁ

କୋଲକାତା :  ଆଉ ଅଳ୍ପ କିଛି ମାସ ପରେ ପଶ୍ଚିମବଙ୍ଗ ନିର୍ବାଚନ ହେବାକୁ ଯାଉଛି । ୨୯୪ ବିଧାନସଭା ଆସନ ପାଇଁ ଉଭୟ ବିଜେପି ଓ ତୃଣମୂଳ କଂଗ୍ରେସ ସରକାର ଗଠନ ନେଇ ଦାବି ମଧ୍ୟ କରିଛନ୍ତି । ଏହି ସମୟରେ ବିଜେପି ମହାସଚିବ କୈଳାଶ ବିଜୟବର୍ଗୀୟ ଗୁରୁବାର ଦେଇଥିବା ମନ୍ତବ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିଦ ହଜେଇ ଦେଇଛି । ମହାସଚିବ କୈଳାଶ ଦାବି କରିଛନ୍ତି ଯେ ମମତାଙ୍କ ସରକାର ଭାଙ୍ଗିବାକୁ ଆମକୁ ମାତ୍ର ଦୁଇ ମିନିଟ୍‌ ଲାଗିବ ନାହିଁ ।

କାରଣ ମମତାଙ୍କ ସରକାରକୁ ସମର୍ଥନ ଦେଉଥିବା ୪୧ ଜଣ ବିଧାୟକଙ୍କ ତାଲିକା ଆମ ପାଖରେ ରହିଛି । ଯେଉଁମାନେ ବିଜେପିକୁ ସମର୍ଥନ ଦେବା ଲାଗି ସବୁ ସମୟରେ ପ୍ରସ୍ତୁତ ଅଛନ୍ତି । ଏହି କଥା ଏବେ ମମତାଙ୍କ ନିଦ ହଜେଇ ଦେଇଛି । ମମତା ଏବେ ଗୃହଭେଦୀ ବିଭୀଷଣମାନଙ୍କୁ କିପରି ଠାବ କରିବେ ତାହା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି । ଆଗାମୀ ଏପ୍ରିଲ- ମଇ ମାସରେ ପଶ୍ଚିମବଙ୍ଗରେ ନିର୍ବାଚନ ହେବାକୁ ରହିଥିବା ବେଳେ ବିଜେପି ମହାସଚିବଙ୍କ ଏହି କଥା ବହୁତ କିଛି ବୟାନ କରୁଛି । ମହାସଚିବ ନିଜ ଘର ଇନ୍ଦୋରରେ ସାମ୍ବାଦିକଙ୍କୁ ଏକ ସାକ୍ଷାତକାରରେ ଏହି କଥା କହିଛନ୍ତି ।

ମହାସଚିବ ଆହୁରି କହିଛନ୍ତି ଯେ ଏହି ୪୧ ଜଣ ବିଧାୟକ ଆମ ସହ ଆସିବାକୁ ପ୍ରସ୍ତୁତ ଅଛନ୍ତି । ତେବେ କେଉଁ ବିଧାୟକଙ୍କୁ ଆମ ସହ ନେବୁ ତାହା ଆମେ ଚିନ୍ତା କରିବୁ । କାରଣ ଆମେ ଖରାପ ଛବି ଥିବା ବିଧାୟକଙ୍କୁ ସାଙ୍ଗରେ ନେବାକୁ କେବେ ବି ଚିନ୍ତା କରିବୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.