ପୁଣି ଥରିଲା ତୁର୍କୀ, ଶନିବାର ରାତିରେ ଆସିଲା ୫.୩ ତୀବ୍ରତାର ଭୂମିକମ୍ପ

ତୁର୍କୀରେ ପୁଣି ଜୋରଦାର ଝଟକା । ଶନିବାର ରାତିରେ ୫.୩ ତୀବ୍ରତା ଭୂମିକମ୍ପ ଅନୁଭୂତ ହୋଇଛି । ଏହାର କେନ୍ଦ୍ର ତୁର୍କୀର ନିଗଡେ ପ୍ରାନ୍ତରେ ରହିଛି । ଏହାକୁ ନେଇ ଲୋକେ ପୁଣି ଭୟଭୀତ ହୋଇଛନ୍ତି ।

ପୁଣି ଥରିଲା ତୁର୍କୀ । ଗତ ଶନିବାର ରାତିରେ ୫.୩ ତୀବ୍ରତାର ଭୂମିକମ୍ପ ହୋଇଛି । ଏହାର କେନ୍ଦ୍ର ତୁର୍କୀର ନିଗଡେ ପ୍ରାନ୍ତରେ ରହିଛି । ଫେବୃଆରୀ ୬ରେ ଆସିଥିବା ପ୍ରଳୟଙ୍କରୀ ଭୂମିକମ୍ପ ମୃତକଙ୍କ ସଂଖ୍ୟା ୫୦ ହଜାର ଉପରେ ହେଲାଣି। ତଥାପି ଆଉ ଅନେକ ନିଖୋଜ ରହିଛନ୍ତି । ଭୟଙ୍କର ଭୂମିକମ୍ପରେ ହଜାର ହଜାର ଲୋକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏଥିସହିତ ଲକ୍ଷ ଲକ୍ଷ ବାସଗୃହ ଭୁଶୁଡ଼ି ମାଟିରେ ମିଶି ଯାଇଛି । ଗତ ୬୬ ଘଣ୍ଟା ମଧ୍ୟରେ ୩୭ ଥର ଭୂକମ୍ପ କମ୍ପନ ଦେଖିବାକୁ ମିଳିଛି ।
ରିପୋର୍ଟ ମୁତାବକ, ସେଣ୍ଟ୍ରାଲ ତୁର୍କୀରେ ଆଜି ରିକ୍ଟର ସ୍କେଲରେ ୫. ୩ ତୀବ୍ରତା ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଏହି ଭୂମିକମ୍ପ ୧୦ କିଲୋମିଟର ଗଭୀରରେ ଘଟିଥିବା ରିୟୁଟର୍ସ ନ୍ୟୁଜ ଏଜେନ୍ସି ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ,  ଭୂମିକମ୍ପରେ ବଡ ବଡ ଅଟାଳିକା ଓ ଘର ଭୁଶୁଡି ପଡିଥିବାରୁ ଅନେକ ଲୋକ ବାସହରା ହୋଇଛନ୍ତି । ତୁର୍କୀରେ ଏବେ ୫ଲକ୍ଷ ନୂଆ ଘର ଆବଶ୍ୟକ । ୧୫ ବିଲିୟନ ମୂଲ୍ୟରେ ୨ଲକ୍ଷ ଆପାର୍ଟମେଣ୍ଟ ଓ ୭୦ ହଜାର ଗାଁରେ ଘର ନିର୍ମାଣ କରିବାକୁ ତୁର୍କୀ ସରକାରଙ୍କ ଯୋଜନା ରହିଛି ।

ସେପଟେ ତୁର୍କୀରେ ଭିତ୍ତିଭୂମିର ପୁନରୁଦ୍ଧାର ପାଇଁ ୨୫ ବିଲିୟନ ଆବଶ୍ୟକ ବୋଲି ଆକଳନ କରିଛି ୟୁଏସ୍ ବ୍ୟାଙ୍କ ଜେପି ମୋର୍ଗାନ । ତୁର୍କୀରେ ୧୫ ଲକ୍ଷ ଲୋକ ବାସହରା ହୋଇଛନ୍ତି । ଗତ ଫେବୃଆରୀ ୬ ତାରିଖରେ ୭.୮ ରିକ୍ଟର ସ୍କେଲର ଭୂମିକମ୍ପ ଝଟ୍କାରେ ଛାରଖାର ହୋଇଛି ତୁର୍କୀ ଓ ସିରିଆ । ଭୂମିକମ୍ପ ପରେ ଅଢେଇ କୋଟିରୁ ଅଧିକ ଲୋକ ରୋଗଗ୍ରସ୍ତ ହୋଇଛନ୍ତି । ଜାତିସଂଘ ଆକଳନ ମୁତାବକ ୨ କୋଟି ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବିଶ୍ୱର ବିଭିନ୍ନ ଭାଗରୁ ଆସିଥିବା ପ୍ରାୟ ୧୦ ହଜାର କର୍ମୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ।

ସୂଚନାଯୋଗ୍ୟ, ଗତ ଫେବୃଆରୀ ୬ ତାରିଖ ଠାରୁ ତୁର୍କୀ-ସିରିଆରେ ଲଗାତାର ଭୂକମ୍ପ ଝଟକା ଅନୁଭୂତ ହେଉଛି । ଭୂମିକମ୍ପ ପ୍ରପୀଡ଼ିତ ଅଞ୍ଚଳ ଛାଡ଼ି ଇସ୍ତାନ୍ବୁଲ୍, ଅଙ୍କାରା, ଅନ୍ତାଲା ଏବଂ ଅନ୍ୟାନ୍ୟ ନିରାପଦ ଅଞ୍ଚଳକୁ ଚାଲିଯାଉଥିବା ଲୋକମାନଙ୍କ ପାଇଁ ତୁର୍କୀ ଏୟାରଲାଇନ୍ସ୍ ଏବଂ ପେଗାସସ୍ ଏୟାରଲାଇନ୍ସ୍ ମାଗଣାରେ ଟିକେଟ୍ ଯୋଗାଇ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.