ଆଟଲାଣ୍ଟିକ ମହାସାଗରରେ ୫ ସାମୁଦ୍ରିକ ଝଡ ସୃଷ୍ଟି ହୋଇଛି । ଇତିହାସରେ ଦ୍ୱିତୀୟ ଥର ପାଇଁ ୫ଟି ଟ୍ରପିକାଲ ସାଇକ୍ଲୋନ୍ ବା ସାମୁଦ୍ରିକ ଝଡ଼ ଆଟଲାଣ୍ଟିକରେ ସୃଷ୍ଟି ହୋଇଛି । ଏହା ପୂର୍ବରୁ ୧୯୭୧ ମସିହାରେ ୫ଟି ସାମୁଦ୍ରିକ ଝଡ଼ ଆଟଲାଣ୍ଟିକରେ ଦେଖିବାକୁ ମିଳିଥିଲା । ଆଟଲାଣ୍ଟିକ ମହାସାଗରରେ ସୃଷ୍ଟି ହୋଇଥିବା ୫ଟି ସାମୁଦ୍ରିକ ଝଡ଼ର ନାମ ‘ପାଉଲେଟ’, “ହରିକେନ”, ‘ସାଲି’, ଟ୍ରପିକାଲ ଷ୍ଟର୍ମ ‘ଟେଡି’, ଟ୍ରପିକାଲ ଷ୍ଟର୍ମ ‘ଭିକି’ ଓ ଟ୍ରପିକାଲ ଡିପ୍ରେସନ ‘ରେନେ’ ବୋଲି ରଖାଯାଇଛି । ସୋମବାର ସକାଳେ ବର୍ମୁଡାରେ ଲ୍ୟାଣ୍ଡଫଲ କରିଛି ପାଉଲେଟ୍ । ଏହାର ପ୍ରଭାବରେ ପ୍ରବଳ ପବନ ବୋହିବା ସହିତ ଓ ଅତ୍ୟଧିକ ପ୍ରବଳ ବର୍ଷା ଲାଗିରହିବ ବୋଲି ଅନୁମାନ କରାଯାଇଛି । ଆଜି ପବନର ବେଗ ଘଣ୍ଟା ପ୍ରତି ୧୧୧ ମାଇଲ ହେବ ବୋଲି କୁହାଯାଇଛି ।
ସେହିଭଳି ‘ରେନେ’ ଗତ ସପ୍ତାହରେ ଟ୍ରପିକାଲ ଷ୍ଟର୍ମରେ ପରିଣତ ହୋଇ କେନ୍ଦ୍ରୀୟ ଆଟଲାଣ୍ଟିକ ମହାସାଗରରେ ଦୁର୍ବଳ ହେବାରେ ଲାଗିଛି । ଏହା ସ୍ଥଳଭାଗରେ କୌଣସି ପ୍ରଭାବ ପକାଇ ନଥିଲେ ମଧ୍ୟ ସମୁଦ୍ର ଭିତରେ ଭୟଙ୍କର ରୂପ ଧାରଣ କରିଛି । ଘୂର୍ଣ୍ଣିବଳୟ ସାଲି ବର୍ତ୍ତମାନ ମେକ୍ସିକୋ ଗଲ୍ଫ ଦେଇ ଉତ୍ତର ପଶ୍ଚିମ ଦିଗକୁ ଯାଉଛି । ଗଲ୍ଫ କୋଷ୍ଟରେ ଥିବା ଲୋକଙ୍କୁ ବାଧ୍ୟତାମୂଳକ ଭାବେ ସ୍ଥାନାନ୍ତର କରାଯାଉଛି । ଏହା ଲୁଇସିଆନା-ମିସିସିପି ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ । ୭ରୁ ୧୧ ପର୍ଯ୍ୟନ୍ତ ସମୁଦ୍ର ପତ୍ତନ ବଢ଼ିପାରେ । ଫଳରେ ସହର ମଧ୍ୟକୁ ପାଣି ପ୍ରବେଶ କରି ପ୍ରବଳ ବନ୍ୟା ସ୍ଥିତି ସୃଷ୍ଟି କରିବ । ଏହାସହ ୨ ଫୁଟର ବର୍ଷା ହେବା ସମ୍ଭାବନା ରହିଛି । ଗଲ୍ଫ କୋଷ୍ଟରେ ଏହା ଭୟଙ୍କର ବନ୍ୟା ସୃଷ୍ଟି କରିପାରେ । ବ୍ୟାପକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ ।
ଗଲ୍ଫ କୋଷ୍ଟରୁ ଫ୍ଲୋରିଡା ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି । ପାଣିପାଗ ବିଶେଷଜ୍ଞମାନେ ଏହାକୁ ଏକ ଐତିହାସିକ ବନ୍ୟାର ଆଖ୍ୟା ଦେଇଛନ୍ତି । ସାମୁଦ୍ରିକ ଝଡ଼ ‘ଟେଡି’ ଏବେ କେନ୍ଦ୍ରୀୟ ଆଟଲାଣ୍ଟିକରେ ରହିଛି । ଆଗାମୀ କିଛି ଦିନ ମଧ୍ୟରେ ‘ଟେଡି’ ଶକ୍ତିଶାଳୀ ରୂପ ଧାରଣ କରିବ । ସାଲି ପରେ ଟେଡି ହେଉଛି ଅଷ୍ଟମ ହରିକେନ୍ । ସେହିଭଳି ସାମୁଦ୍ରକି ଝଡ଼ ‘ଭିକି’ ବର୍ତ୍ତମାନ ପୂର୍ବ ଆଟଲାଣ୍ଟିକଠାରୁ ୧୦୦ ମାଇଲ ଦୂରରେ ରହିଛି । ଏକାଠି ୫ଟି ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇ ଭୟଙ୍କର ରୂପ ଧାରଣ କରିଛି । ଏହାରି ଉପରେ ସାରା ବିଶ୍ୱର ପାଣିପାଗ ବିଶେଷଜ୍ଞ ମାନେ ନଜର ରଖିଛନ୍ତି ।