ଯମୁନାରେ ମୂର୍ତ୍ତି ବିସର୍ଜନ ବେଳେ ବଡ଼ ଅଘଟଣ, ପାଣିରେ ବୁଡ଼ି ଯାଇ ୫ ମୃତ

ନୂଆଦିଲ୍ଲୀ: ମୂର୍ତ୍ତି ବିସର୍ଜନ ବେଳେ ଡିଏନ୍‌ଡି ପାଖ ଯମୁନାରେ ବୁଡ଼ି ୫ ଜଣଙ୍କ ମୃତ୍ୟୁ ଘଟିଛି। ଦମକଳ ବିଭାଗର କହିବାନୁସାରେ, ତାଙ୍କୁ ଫୋନ୍‌ରେ ଖବର ମିଳିଥିଲା ଯେ କିଛି ଯୁବକ ଯମୁନା ନଦୀରେ ନିଖୋଜ ଅଛନ୍ତି। ରେସ୍‌କ୍ୟୁ ଅପରେସନ୍‌ ବେଳେ ଯମୁନାରୁ ୫ଟି ମୃତ ଦେହ ମିଳିଛି। ଦିଲ୍ଲୀ ପୋଲିସକୁ ତଦନ୍ତ ବେଳେ ଜଣାପଡ଼ିଛି ଯେ ସମସ୍ତ ମୃତକ ନୋଏଡ଼ାର ବାସିନ୍ଦା। ମୃତକଙ୍କ ପରିଚୟ ମିଳିଛି। ସେମାନେ ହେଲେ ଅଙ୍କିତ (୧୭), ଲକି (୧୫), ବୀରୁ (୧୯), ଲଳିତ (୧୭) ଓ ସୋନୁ (୨୦)। ଦିଲ୍ଲୀର ସନ୍‌ଲାଇଟ୍‌ କଲୋନୀ ପୋଲିସ ଘଟଣାର ତଦନ୍ତ କରୁଛି।

ସୂଚନା ମୁତାବକ, ନୋଏଡ଼ାର ଭଙ୍ଗେଲ-ସାଲାରପୁର ଗାଁର କଲୋନୀରେ ରହୁଥିବା କିଛି ପିଲା ଯମୁନା ନଦୀକୁ ଏକ ଧାର୍ମିକ ଅନୁଷ୍ଠାନରେ ଯୋଗ ଦେବାକୁ ଯାଇଥିଲେ। ରବିବାର ସନ୍ଧ୍ୟାରେ ଏହି ପିଲାମାନେ ମୂର୍ତ୍ତି ଓ ହୋମ ସାମଗ୍ରୀ ବିସର୍ଜନ କରିବାକୁ ଯାଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ୫ ଜଣ ଯାକ ନଦୀରେ ଭାସି ଯାଇଥିଲେ। ଉପସ୍ଥିତ ଲୋକଙ୍କ କହିବାନୁସାରେ, ପରସ୍ପରକୁ ବଞ୍ଚାଇବାକୁ ଯାଇ ୫ ଜଣଙ୍କର ଜୀବନ ଯାଇଛି।

କୁହାଯାଉଛି ଯେ ପାଞ୍ଚ ଜଣଯାକ ଯୁବକ ବିହାରର ବାସିନ୍ଦା। ସେମାନେ ପରିବାର ଲୋକଙ୍କ ସହ ସଲାରପୁର ଗାଁର ଏକ କଲୋନୀରେ ରହୁଥିଲେ ଓ ଫେସ୍‌-ଟୁ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ସମସ୍ତେ ସାଙ୍ଗ ଥିଲେ। କୁହାଯାଉଛି ଯେ ଏମାନେ ରବିବାର ସନ୍ଧ୍ୟାରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ବିସର୍ଜନ କରିବା ପାଇଁ ଡିଏନ୍‌ଡି ପାଖ ନଦୀ ନିକଟରେ ପହଞ୍ଚିଥିଲେ। ସେଠାରେ ମୂର୍ତ୍ତି ବିସର୍ଜନ କରିବା ବେଳେ ୨ ଯୁବକଙ୍କ ଗୋଡ଼ ଖସିଯାଇଥିଲା। ତାଙ୍କୁ ବଞ୍ଚାଇବା ପାଇଁ ଆଉ ୩ ଜଣ ଯାଇ ଥିଲେ ଓ ତାଙ୍କର ବି ଗୋଡ଼ ଖସି ଯାଇଥିଲା। ଗଭୀର ଜଳ ଓ ପ୍ରଖର ସୁଅରେ ୫ ଜଣ ଯାକ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି।

Also Read: ଆଜିର ଭାଗ୍ୟ ! ଏସବୁ ରାଶିର ବ୍ୟକ୍ତିଙ୍କର ଆଜି ରହିଛି ଶୁଭ ଯୋଗ

You might also like