Below header

ୟୁପି: ବାନ୍ଦାରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ, ଟ୍ରକ୍‌ ସହ ଧକ୍କାରେ ବୋଲେରୋ ଚୁରମାର୍‌

ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲାରେ ଗୁରୁବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ବୋଲେରୋ ଗାଡ଼ି ଟ୍ରକ୍‌କୁ ପିଟି ଦେବା ଫଳରେ ୬ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଛି।

ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲାରେ ଗୁରୁବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ବୋଲେରୋ ଗାଡ଼ି ଟ୍ରକ୍‌କୁ ପିଟି ଦେବା ଫଳରେ ୬ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ବାନ୍ଦା ଏସ୍‌ପି ଅଭିନନ୍ଦନ ସିଂ କହିଛନ୍ତି, ବୋଲେରୋରେ ୮ ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ଏବଂ ଜଣେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ। ଅନ୍ୟ ଦୁଇ ଜଣଙ୍କର ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସା ଚାଲିଛି।

ମିଳିଥିବା ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ ସାଢ଼େ ୯ଟାରେ ବାନ୍ଦା ଜିଲ୍ଲାର ବବେରୁ କୋତଓ୍ଵାଲିରେ କମାସିନ୍‌ ରାସ୍ତାର ପରଇୟାଦାଇଠାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଦ୍ରୁତ ଗତିରେ ଆସୁଥିବା ବୋଲେରୋ ଗାଡ଼ି ପିଟି ହୋଇଯାଇଥିଲା। ସ୍ଥାନୀୟ ଲୋକେ ଦୁର୍ଘଟଣା ବିଷୟରେ ପୋଲିସକୁ ଖବର ଦେଇଥିଲେ।

କୁହାଯାଉଛି ଯେ କମାସିନ ଥାନା ଅଧୀନ ଏକ ଗାଁର ୧୩ ବର୍ଷୀୟ ନାବାଳକ ରାତି ପ୍ରାୟ ୮ଟା ୪୫ରେ କୌଣସି ପ୍ରକାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଯାଇଥିଲେ। ତାଙ୍କୁ ତାଙ୍କ ମା’ ଏକ ବୋଲେରୋ ଗାଡ଼ି ଯୋଗେ ତୁରନ୍ତ ହସ୍ପିଟାଲ ନେଇଯାଉଥିଲେ। ମା’, ପୁଅ ଏବଂ ବୋଲେରୋ ଚାଳକଙ୍କ ସମେତ ୮ ଜଣ ଲୋକ ଗାଡ଼ିରେ ଥିଲେ। ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ବୋଲେରୋ ଗାଡ଼ିଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର୍‌ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.