ଦକ୍ଷିଣ ଆଫ୍ରିକାରୁ କୁନୋ ଜାତୀୟ ଉଦ୍ୟାନ ଆସୁଛନ୍ତି ୧୨ ଚିତା; ଡାକ୍ତରୀ ଟିମ୍ ଧରି ଉଡ଼ାଣ ଭରିଲା ସ୍ୱତନ୍ତ୍ର ଗ୍ଲୋବମାଷ୍ଟର ବିମାନ
ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ବହୁତ ଜଲ୍ଦି ନଜର ଆସିବେ ୧୨ ଚିତା। ଦକ୍ଷିଣ ଆଫ୍ରିକାରୁ ଏହି ଚିତାମାନଙ୍କୁ ଆଣିବା ପାଇଁ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଉଡ଼ାଣ ଭରି ସାରିଛି।
ମଧ୍ୟ ପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ବହୁତ ଜଲ୍ଦି ଚିତାଙ୍କ ସଂଖ୍ୟା ବଢ଼ିବାକୁ ଯାଉଛି। ଏଥର ଏହି ଚିତାମାନଙ୍କୁ ଦକ୍ଷିଣ ଆଫ୍ରିକାରୁ ଅଣାଯାଉଛି। ୧୭ ତାରିଖ ରାତି ୮ଟାରେ ଦକ୍ଷିଣ ଆଫ୍ରିକାରୁ ସ୍ୱତନ୍ତ୍ର ବିମାନରେ ଆସିବେ ଏବଂ ୧୮ ଫେବୃୟାରୀ ସକାଳ ୧୦ଟାରେ ଏହି ବିମାନ ଗ୍ଵାଲିୟର ଏୟାରପୋର୍ଟରେ ଲ୍ୟାଣ୍ଡ୍ କରିବ।
ଦକ୍ଷିଣ ଆଫ୍ରିକାରୁ ଚିତା ଆଣିବା ପାଇଁ ବାୟୁସେନାର ସ୍ୱତନ୍ତ୍ର ବିମାନ C-17 ଗ୍ଲୋବମାଷ୍ଟର ଆଜି ସକାଳେ ଦକ୍ଷିଣ ଆଫ୍ରିକା ପାଇଁ ଉଡ଼ାଣ ଭରିସାରିଛି। ୧୮ ଫେବୃୟାରୀ ସକାଳ ୧୦ଟାରେ ଚିତାଙ୍କୁ ନେଇ ଏହି ବିମାନ ଗ୍ଵାଲିୟର ବିମାନବନ୍ଦରରେ ଅବତରଣ କରିବ। ଏହାପରେ ଚିତାମାନଙ୍କୁ MI 17 ହେଲିକାପ୍ଟର ଯୋଗେ କୁନୋ ଜାତୀୟ ଉଦ୍ୟାନକୁ ନିଆଯିବ।
ଭେଟନାରୀ ଡାକ୍ତର ଏବଂ ଚିତା ଏକ୍ସପର୍ଟ ଡାକ୍ତର ଲାରେଲ ଏହି ସ୍ୱତନ୍ତ୍ର ବିମାନରେ ଚିତାଙ୍କ ସହିତ ଆସିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ବାୟୁସେନା ଏହି ପୂରା ସେବା ପାଇଁ ପରିବେଶ ମନ୍ତ୍ରଣାଳୟଠାରୁ କୌଣସି ବି ଫିସ୍ ନେଇନାହାନ୍ତି। ଏହି ସେବା ମାଗଣାରେ ଯୋଗାଇ ଦିଆଯାଉଛି। ବିମାନ ଦେଶରେ ଅବତରଣ କରିବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ପରିବେଶ ମନ୍ତ୍ରୀ କୁନୋ ଜାତୀୟ ଉଦ୍ୟାନରେ ଚିତାମାନଙ୍କୁ ସ୍ୱାଗତ କରିବା ପାଇଁ ଉପସ୍ଥିତ ରହିବେ।
ଏଥର ଦକ୍ଷିଣ ଆଫ୍ରିକାରୁ ୭ ଅଣ୍ଡିରା ଏବଂ ୫ ମାଈ ଚିତାଙ୍କୁ ଅଣାଯାଉଛି। ଅନ୍ତର୍ଜାତୀୟ ମାନକ ଅନୁସାରେ, ୧ ମାସ ପର୍ଯ୍ୟନ୍ତ ଏହି ଚିତାମାନଙ୍କୁ କୁନୋ ଜାତୀୟ ଉଦ୍ୟାନରେ କ୍ୱାରେଣ୍ଟାଇନ୍ରେ ରହିବାକୁ ପଡିବ।