Below header

ଆର୍ଯ୍ୟନ୍‌ଙ୍କ ପରେ ଆଜି ଜେଲ୍‌ରୁ ମୁକୁଳିଲେ ମୁନ୍‌ମୁନ୍‌ ଧମେଚା ଓ ଅରବାଜ ମର୍ଚ୍ଚାଣ୍ଟ, ବଣ୍ଡ୍‌ ଦାଖଲରେ ବିଳମ୍ବ ଯୋଗୁ ହେଲା ଦିନେ ଡେରି

ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ପରେ ଆଜି ଜେଲରୁ ମୁକୁଳିଛନ୍ତି ମୁନ୍‌ମୁନ୍‌ ଧମେଚା ଓ ଅରବାଜ ମର୍ଚ୍ଚାଣ୍ଟ। ଏହି ଦୁଇ ଜଣ ମଧ୍ୟ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ଥିଲେ। ରବିବାର ଦିନ ମୁନ୍‌ମୁନ୍‌ ଧମେଚା ବାଇକୁଲା ମହିଳା ଜେଲ୍‌ରୁ ଓ ଅରବାଜ ଆର୍ଥର ରୋଡ୍‌ ଜେଲରୁ ବାହାରିଛନ୍ତି। ଜାମିନ୍‌ ବଣ୍ଡ୍‌ ପହଞ୍ଚିବାରେ ବିଳମ୍ବ ହେବାରୁ ଉଭୟ ଗୋଟିଏ ଦିନ ପରେ ଜେଲରୁ ମୁକୁଳିଛନ୍ତି। ୨୩ ବର୍ଷୀୟ ଆର୍ଯ୍ୟନ୍‌ ଖାନ୍‌ ଅରବାଜ ମର୍ଚ୍ଚାଣ୍ଟ ଓ ମୁନ୍‌ମୁନ୍‌ ଧମେଚାଙ୍କ ସହ ଅକ୍ଟୋବର ୨ ତାରିଖ ଦିନ ଗିରଫ ହୋଇଥିଲେ। ଗୁରୁବାର ଦିନ ବମ୍ବେ ହାଇକୋର୍ଟରେ ସମସ୍ତଙ୍କୁ ଜାମିନ୍‌ ମିଳିଥିଲା।

ଗଣମାଧ୍ୟମ ସହ କଥା ହେବା ଅବସରରେ ଅରବାଜଙ୍କ ବାପା ଅସଲମ୍‌ ମର୍ଚ୍ଚାଣ୍ଟ କହିଥିଲେ, ମୁଁ ଖୁବ୍‌ ଖୁସି ଅଛି। ତା’ ମା’ ସବୁଠୁ ଅଧିକ ଖୁସି ଅଛି କାରଣ ପୁଅ ଘରକୁ ଫେରୁଛି। ଆମ ପ୍ରାର୍ଥନା ଓ ଆଶୀର୍ବାଦ ସତ ହେଲା। ଆମେ ଜାମିନ୍‌ର ସମସ୍ତ ସର୍ତ୍ତ ପାଳନ କରିବୁ ବୋଲି ଅରବାଜଙ୍କ ବାପା କହିଛନ୍ତି।

ଇତି ମଧ୍ୟରେ ମୁନ୍‌ମୁନ୍‌ ଧମେଚାଙ୍କ ଓକିଲ ଏନ୍‌ସିବିରେ ଅନୁରୋଧ କରିଛନ୍ତି ଯେ ତାଙ୍କ ମହକିଲଙ୍କୁ ମଧ୍ୟ ପ୍ରଦେଶ ଯିବାକୁ ଅନୁମତି ଦିଆଯାଉ। କାରଣ ତାଙ୍କ ଘର ହେଉଛନ୍ତି ମଧ୍ୟ ପ୍ରଦେଶ। ସୂଚନାଯୋଗ୍ୟ ଯେ ଅରବାଜ ମର୍ଚ୍ଚାଣ୍ଟ ଜଣେ ଅଭିନେତା ଓ ଆର୍ଯ୍ୟନ୍‌ଙ୍କ ଭଲ ସାଙ୍ଗ। କିନ୍ତୁ ମୁନ୍‌ମୁନ୍‌ ଧମେଚା ହେଉଛନ୍ତି ଜଣେ ଫ୍ୟାଶନ ମଡେଲ।

ପ୍ରକାଶ ଯେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ୱାରା ଜେଲ ଯିବାର ୨୮ ଦିନ ପରେ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଶନିବାର ସକାଳ ୧୧ଟାରେ ମୁମ୍ବାଇର ଆର୍ଥର ରୋଡ୍‌ ଜେଲରୁ ବାହାରିଥିଲେ। ଜେଲରୁ ବାହାରୁ ବାହାରୁ ସେ ଏକ କଳା ରଙ୍ଗର କାରରେ ମନ୍ନତ ଅଭିମୁଖେ ଯାତ୍ରା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.