କହ୍ନେୟାଲାଲ୍ ହତ୍ୟାକାଣ୍ଡ ପରେ ଉଦୟପୁରର ପର୍ଯ୍ୟଟନ ଶିଳ୍ପ ବର୍ବାଦ; ବାତିଲ ହୋଇ ଗଲାଣି ୫୦%ରୁ ଅଧିକ ହୋଟେଲ ବୁକିଂ…

ରାଜସ୍ଥାନର ଉଦୟପୁରରେ ଘଟିଥିବା କହ୍ନେୟାଲାଲ୍ ହତ୍ୟାକାଣ୍ଡ ସମଗ୍ର ଦେଶକୁ ଚକିତ କରି ଦେଇଛି। ଉଦୟପୁରରେ ଦୋକାନ, ବଜାର ଆଦି ବନ୍ଦ ରହିଛି। ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଏଭଳି ସ୍ଥିତିରେ ରାଜସ୍ଥାନର ପର୍ଯ୍ୟଟନ ସହର କୁହାଯାଉଥିବା ଉଦୟପୁର ଆଜି ଖାଁ ଖାଁ ହୋଇପଡ଼ିଛି। କହ୍ନେୟାଲାଲ୍ ହତ୍ୟାକାଣ୍ଡ ଯୋଗୁ ଉଦୟପୁରର ପର୍ଯ୍ୟଟନ ଶିଳ୍ପ ବହୁତ ପ୍ରଭାବିତ ହୋଇଛି। ଏଥିଯୋଗୁ ଯଥେଷ୍ଟ କ୍ଷତି ସହିବାକୁ ପଡ଼ିଛି।

ଉଦୟପୁର ପର୍ଯ୍ୟଟନ ଶିଳ୍ପ ସହ ଜଡିତ ଲୋକମାନେ ଦାବି କରିଛନ୍ତି ଯେ କହ୍ନେୟାଲାଲ୍‌ଙ୍କୁ ନିର୍ମମ ହତ୍ୟା ଯୋଗୁ ପର୍ଯ୍ୟଟନ ଶିଳ୍ପକୁ ବଡ଼ ଝଟକା ଲାଗିଛି। ଏହି ଘଟଣା ହେତୁ ଉଦୟପୁର ଆସୁଥିବା ପର୍ଯ୍ୟଟକ ଆଗାମୀ ଦୁଇ ମାସ ପାଇଁ ଅଧାରୁ ଅଧିକ ହୋଟେଲ ବୁକିଂ ବାତିଲ କରି ଦେଇଛନ୍ତି।

ସହରର ଅଧିକାଂଶ ଲୋକଙ୍କ ପାଇଁ ପର୍ଯ୍ୟଟନ ହେଉଛି ସେମାନଙ୍କ ପେଟ ପୋଷିବାର ଏକମାତ୍ର ମାଧ୍ୟମ। ବର୍ତ୍ତମାନ ଏହି ଘଟଣା ପରେ ଲୋକଙ୍କ ଜୀବନ ଜୀବିକା ଉପରେ ବଡ଼ ସଙ୍କଟ ଦେଖା ଦେଇଛି। ଏହି ଘଟଣା ଯୋଗୁ ସହରର ଛବି ଖରାପ ହୋଇ ଯାଇଛି। ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ପର୍ଯ୍ୟଟନ ଋତୁ ଉପରେ ମଧ୍ୟ ଏହା ଖରାପ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି।

୫୦%ରୁ ଅଧିକ ବୁକିଂ ବାତିଲ

ଉଦୟପୁର ହୋଟେଲ ଆସୋସିଏସନର ବରିଷ୍ଠ ଉପାଧ୍ୟକ୍ଷ ସୁଦର୍ଶନ ଦେବ ସିଂ କହିଛନ୍ତି, ଏହି ହତ୍ୟା ଘଟଣା ପରେ ଲୋକମାନେ ବୁକିଂ ବାତିଲ କରିବା ଆରମ୍ଭ କରି ଦେଇଛନ୍ତି। ଜୁଲାଇ ଏବଂ ଅଗଷ୍ଟ ମାସରେ ମୌସୁମୀ ସମୟରେ ଓ୍ଵିକେଣ୍ଡକୁ ବହୁ ସଂଖ୍ୟକ ପର୍ଯ୍ୟଟକ ଆସିବାର ଥିଲା, କିନ୍ତୁ ଏହି ଘଟଣା ପରେ ଆଗାମୀ ଦୁଇ ମାସ ପାଇଁ ୫୦%ରୁ ଅଧିକ ବୁକିଂ ଗତ ୫/୬ ଦିନ ମଧ୍ୟରେ କ୍ୟାନସଲ ହୋଇ ଯାଇଛି। ସେ କହିଛନ୍ତି ଯେ କରୋନା ମହାମାରୀ ଯୋଗୁ ପର୍ଯ୍ୟଟନ ଶିଳ୍ପ ପୂର୍ବରୁ ହିଁ ପ୍ରଭାବିତ ଥିଲା, କିନ୍ତୁ ଚଳିତ ବର୍ଷ ଭଲ ବ୍ୟବସାୟ ହେବା ନେଇ ଆଶା ରହିଥିଲା। ଏହି ଘଟଣା ଉଦୟପୁରର ଛବିକୁ ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ କରି ଦେଇଛି।

କହି ରଖୁଛୁ, ଉଦୟପୁର ଦର୍ଜି ହତ୍ୟାକାଣ୍ଡ ମାମଲାର ଆତଙ୍କବାଦୀ ଲିଙ୍କ୍‌ ସାମ୍ନାକୁ ଆସିଛି। ରାଜ୍ୟ ଗୃହମନ୍ତ୍ରୀ ରାଜେନ୍ଦ୍ର ଯାଦବଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ମୁତାବକ, ହତ୍ୟା ଅଭିଯୁକ୍ତ ଗଉସ୍‌ ମହମ୍ମଦ ୨୦୧୪-୧୫ ମସିହାରେ ପାକିସ୍ତାନରେ ଟ୍ରେନିଂ ନେଇଥିଲେ। ଯଦିଓ ସେ କେଉଁ ଆତଙ୍କୀ ସଙ୍ଗଠନ ସହ ଜଡ଼ିତ, ସେ ନେଇ କୌଣସି ଖୁଲାସା ହୋଇ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.