୩୦ ଥର ବସ୍‌ ଉଠ୍‌ ହୁଅନ୍ତୁ ଆଉ ୧୦ ଟଙ୍କାର ଟିକେଟ୍‌ ସଞ୍ଚୟ କରନ୍ତୁ, ଆନନ୍ଦ ବିହାର ପ୍ଲାଟ୍‌ଫର୍ମ ଭିତରକୁ ଯିବାର ନୂଆ ତରିକା

ନୂଆଦିଲ୍ଲୀ: ୩୦ ଥର ବସ୍‌ ଉଠ୍‌ ହୁଅନ୍ତୁ ଆଉ ୧୦ ଟଙ୍କା ସଞ୍ଚୟ କରନ୍ତୁ। କଥାଟା ଶୁଣିଲେ ଯେ କେହି ଲୋକଙ୍କୁ ଖରାପ ଲାଗିପାରେ। କିନ୍ତୁ କଥା ସେଭଳି ନୁହେଁ। ଆପଣଙ୍କର ଏକ୍ସରସାଇଜ୍‌ ବି ହେବ ଆଉ ଅର୍ଥ ସଞ୍ଚୟ ମଧ୍ୟ। ଦିଲ୍ଲୀ ଆନନ୍ଦ ବିହାର ରେଳ ଷ୍ଟେସନ୍‌ରେ ଏହି ବ୍ୟବସ୍ଥା କରିଛି ଭାରତୀୟ ରେଳ ବିଭାଗ। ୩୦ ଥର ଦଣ୍ଡ ବୈଠକ କଲେ ଆପଣଙ୍କୁ ୧୦ ଟଙ୍କାର ଗୋଟିଏ ପ୍ଲାଟ୍‌ଫର୍ମ ଟିକେଟ୍‌ ମିଳିଯିବ। ଆପଣଙ୍କର ଯଦି ରେଳ ଯାତ୍ରା କରିବାର ନାହିଁ କିନ୍ତୁ ପ୍ଲାଟ୍‌ଫର୍ମ ଭିତରକୁ ଯିବାକୁ ଅଛି, ତାହାଲେ ୧୦ ଟଙ୍କା ଦେଇ ପ୍ଲାଟ୍‌ଫର୍ମ ଟିକେଟ୍‌ କାଟିବାକୁ ହୁଏ।

rail ticketଯଦି ଆପଣ ଆନନ୍ଦ ବିହାର ପ୍ଲାଟ୍‌ଫର୍ମ ଭିତରକୁ ଯିବାର ଅଛି ତାହାଲେ ଆପଣ ଦଣ୍ଡ ବୈଠକ କରି ମାଗଣାରେ ଟିକେଟ୍‌ ପାଇପାରିବେ। ପ୍ଲାଟ୍‌ଫର୍ମରେ ଏକ ସ୍କ୍ଵାଟ୍‌ କିଓସ୍କୋ ଲଗାଯାଇଛି। ଏହି ମେସିନ୍‌ ସାମ୍ନାରେ ଗୋଲ୍‌ ବୁଲାଯାଇଥଇବା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଛିଡା ହୋଇ ଆପଣଙ୍କୁ ଦଣ୍ଡବୈଠକ କରିବାକୁ ପଡିବ। କିନ୍ତୁ ଗୋଟିଏ କଥାକୁ ଧ୍ୟାନ ଦେବେ ନିଶ୍ଚିୟ। ୩ ମିନିଟ୍‌ ଭିତରେ ଆପଣଙ୍କୁ ୩୦ ଥର ଦଣ୍ଡ ବୈଠକ କରିବାକୁ ହେବ। ଯଦି ୩ ମିନିଟ୍‌ରୁ ଅଧିକ ସମୟ ନିଅନ୍ତି, ତାହାଲେ ଆପଣଙ୍କୁ ମାଗଣା ଟିକେଟ୍‌ ପାଇବାକୁ ପୁଣି ୩୦ ଥର ଏପରି କରିବାକୁ ହେବ। ମୋଦିଙ୍କ ଫିଟ୍‌ ଇଣ୍ଡିଆ ଅଭିଯାନର ଏହା ଏକ ଅଂଶବିଶେଷ ବୋଲି କୁହାଯାଉଛି।