ପରମାଣୁ ବୋମା ଭଳି ଶକ୍ତିଶଳୀ ଥିଲା ପ୍ରଶାନ୍ତ ମହାସାଗରରେ ଆଗ୍ନେୟଗିରି ଉଦ୍ଗୀରଣ
କେନ୍ୟୁଜ୍(ବ୍ୟୁରୋ):ପରମାଣୁ ବୋମା ଭଳି ଶକ୍ତିଶାଳୀ ଥିଲା ସମୁଦ୍ର ମଧ୍ୟରେ ଆଗ୍ନେୟଗିରି ଉଦ୍ଗୀରଣ। ଜ୍ୱାଳାମୁଖୀ ଫାଟିବା ପରେ ଥରି ଉଠିଥିଲା ପ୍ରଶାନ୍ତ ମହାସାଗରର ଛୋଟ ଦ୍ୱୀପ ଟୋଙ୍ଗା। ଏକହଜାର ହିରୋସୀମା ପରମାଣୁ ବୋମା ସହ ପ୍ରାୟ ସମାନ ଥିଲା ଶକ୍ତି। ପ୍ରଶାନ୍ତ ମହାସାଗରରେ ୩୦ କିମି ବ୍ୟାସାର୍ଦ୍ଧରେ ପଡ଼ିଥିଲା ବିସ୍ଫୋରଣ ପ୍ରଭାବ। ଚାରିଆଡ଼େ ବିଛେଇ ହୋଇପଡ଼ିଥିଲା ପାଉଁଶ, ଧୁଆଁ ଓ ଅମ୍ଳ ବର୍ଷା। ସପ୍ତାହକ ପରେ ମଧ୍ୟ ବିଶ୍ୱର ଅନ୍ୟ ସମସ୍ତ ପ୍ରାନ୍ତରୁ ଏବେ ବି ବିଚ୍ଛିନ୍ନ ହୋଇ ରହିଛି ଟୋଙ୍ଗା। ଦ୍ୱୀପ ମଧ୍ୟରେ କିଛି ସ୍ଥାନକୁ ଯୋଗାଯୋଗ ହୋଇଛି। ବହୁ ଅଞ୍ଚଳ ଏବେ ବି ଅପହଞ୍ଚ ହୋଇ ରହିଥିବା ଟୋଙ୍ଗା ରେଡକ୍ରସ ସେକ୍ରେଟାରୀ ଜେନେରାଲ କହିଛନ୍ତି।
ଭଗ୍ନସ୍ତୁପରେ ପରିଣତ ହୋଇଥିବା ଦ୍ୱୀପରେ ଆବର୍ଜନା ସଫା କରିବାରେ ସ୍ଥାନୀୟ ଅଧିବାସୀ ବହୁ ଅସୁବିଧାର ସମୁଖୀନ ହୋଇଛନ୍ତି। ପାଉଁଶ ହଟାଇବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଟୋଙ୍ଗାରେ ପିଇବା ପାଣି ମୁଖ୍ୟ ସମସ୍ୟା ରହିଛି। ପାନୀୟ ଜଳ ଯୋଗାଣରେ ପାଉଁଶ ଓ ଲୁଣି ପାଣି ପାଇଁ ୧୦ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ନ୍ୟୁଜିଲାଣ୍ଡ ଓ ଫିଜିରୁ ପିଇବା ପାଣି ନେଇ ଯାଉଥିବା ଜାହାଜ ଫିଜିରେ ପହଞ୍ଚିଛି। ସମୁଦ୍ର ମଧ୍ୟରେ ଜ୍ୱାଳାମୁଖୀ ବିସ୍ଫୋରଣ ଦ୍ୱାରା ପ୍ରଭାବିତ ହୋଇଛି ଜୈବ ବିବିଧତା। ଦକ୍ଷିଣ ପ୍ରଶାନ୍ତ ମହାସାଗର ଦେଶ ପେରୁରେ ପ୍ରାକୃତିକ ଦୁର୍ବିପାକ ସୃଷ୍ଟି ହୋଇଛି। ପେରୁର ସମସ୍ତ ବେଳାଭୂମିରେ ତୈଳର ବହଳିଆ ଆସ୍ତରଣ ବସି ରହିଛି।
ଶହ ଶହ ସଂଖ୍ୟାରେ ସାମୁଦ୍ରିକ ଜୀବ ପ୍ରାଣ ହରାଇ ବେଳାଭୂମିରେ ଭାସୁଥିବା ଦେଖାଯାଇଛି। ମହାସାଗରରେ ତୈଳ ଭାସିବା ନେଇ ପେରୁ ସରକାର ସ୍ପେନର ଏକ ତେଲ କଂପାନୀକୁ ଦୋଷାରୋପ କରିଛନ୍ତି। ସୁନାମୀ ପାଇଁ ସମୁଦ୍ରରେ ଉଚ୍ଚ ଜୁଆର ଆସୁଥିବା ସତ୍ତ୍ୱେ ଜାହାଜରୁ ତେଲ ଅପସାରଣ ପାଇଁ ଏଭଳି ସ୍ଥିତି ଉପୁଜିଥିବା ପେରୁ ସରକାର କହିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ତେଲକୁ ହଟାଇବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା।
ଟୋଙ୍ଗାରେ ଇଣ୍ଟରନେଟ ସେବାକୁ କାର୍ଯ୍ୟକ୍ଷଣ କରିବାକୁ ପ୍ରସ୍ତାବ ଦେଇଛନ୍ତି ଏଲନ ମସ୍କ। ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ନିଜର ଷ୍ଟାରଲିଙ୍କ ପ୍ରୋଜେକ୍ଟ ଦ୍ୱାରା ସହାୟତା କରିବାକୁ ଘୋଷଣା କରିଛନ୍ତି। ପ୍ରଚଣ୍ଡ ଜ୍ୱାଳାମୁଖୀ ବିସ୍ଫୋରଣ ଫାଟିବା ପରେ ଟୋଙ୍ଗାର ଭିତ୍ତିଭୂମି ମାଟିରେ ମିଶିଯାଇଛି। ଏଭଳି ସମୟରେ ସ୍ପେସ ଏକ୍ସ ମାଧ୍ୟମରେ ଷ୍ଟାରଲିଙ୍ଗ ଟର୍ମିନାଲକୁ କାର୍ଯ୍ୟକ୍ଷମ କରିବାକୁ ସେ ଟୋଙ୍ଗା ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଦ୍ୱୀପରେ ଟେଲିଫୋନ ସେବା ମରାମରି ଆରମ୍ଭ ହୋଇଥିବା ବେଳେ ଏହା ସ୍ୱାଭାବିକ ହେବାକୁ ପ୍ରାୟ ଏକମାସ ଲାଗିବ ବୋଲି କୁହାଯାଇଛି।
।