ଆଜମ ଖାନ୍ଙ୍କ ବିଧାନସଭା ସଦସ୍ୟତା ହେଲା ରଦ୍ଧ, ଉତ୍ତେଜକ ଭାଷଣ ମାମଲାରେ ତିନି ବର୍ଷ ହୋଇଥିଲା ଜେଲ୍ ଦଣ୍ଡ

ନୂଆଦିଲ୍ଲୀ : ଉତ୍ତେଜକ ଭାଷଣ ମାମଲାରେ ସପା ନେତା ଆଜମ ଖାନଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ କରାଯାଇଛି । ଗୁରୁବାର ରାମପୁର କୋର୍ଟ ଏହି ମାମଲାରେ ଆଜମ ଖାନ୍ଙ୍କୁ ୩ ବର୍ଷ ଜେଲ ଦଣ୍ଡ ରାୟ ଦିଆଯାଇଥିଲା । ପୂର୍ବରୁ ଏହା ଆଶଙ୍କା କରାଯାଉଥିଲା ଯେ ଆଜମ ଖାନଙ୍କୁ ଯଦି ୨ ବର୍ଷରୁ ଅଧିକ ଜେଲ ଦଣ୍ଡ ମିଳେ ତାଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହୋଇଯିବ । ତାହା ହିଁ ହେଲା । ଆଜି ଆଜମ ଖାନଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରାଯାଇଛି ।
ସୂଚନାଯୋଗ୍ୟ ଯେ ଏହା ୨୦୧୯ ମସିହା ଲୋକସଭା ନିର୍ବାଚନ ସମ୍ପର୍କିତ ମାମଲା । ସେତେବେଳେ ଆଜମ ଖାନ ଲୋକସଭା ନିର୍ବାଚନ ଲଢ଼ୁଥିଲେ । ସେତେବେଳେ ସମାଜବାଦି ଓ ବହୁଜନ ସମାଜବାଦି ପାର୍ଟିର ମେଣ୍ଟ ଥିଲା । ନିର୍ବାଚନ ପ୍ରଚାର ସମୟରେ ତାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲଂଘନ ମାମଲା ବିଭିନ୍ନ ଥାନାରେ ଦାୟର ହୋଇଥିଲା । ଏହା ମଧ୍ୟରୁ ଗୋଟିଏ ମାମଲା ମିଲକ ଥାନା ଅଂଚଳରେ ହୋଇଥିଲା । ଭାଷଣରେ ଆଜମ ଖାନ୍ ଜିଲ୍ଲା ଅଧିକାରୀଙ୍କୁ ଅପଶବ୍ଦ କହିଥିଲେ ।
ଧମକ ଚମକ କରିବା ସହ ଦଙ୍ଗା ଉସୁକାଇବା ପାଇଁ ଚେଷ୍ଟା କରିଥିଲେ । ସେ ଏକ ବର୍ଗକୁ ଧର୍ମ ଆଧାରରେ ଭୋଟ ମାଗିଥିଲେ । ଏହାକୁ ବିରୋଧ କରି ଅନିଲ କୁମାର ଚୌହାନ ଆଜମ ଖାନଙ୍କ ବିରୋଧରେ ଏଫଆଇଆର କରିଥିଲେ । ପୁଲିସ ଯାଞ୍ଚ କରି କୋର୍ଟରେ ଅଭିଯୋଗ ପତ୍ର ଦାଖଲ କରିଥିଲେ ।
ଏହାର ଶୁଣାଣି ଏମପି ଏମଏଲଏ ସ୍ୱତନ୍ତ୍ର କୋର୍ଟରେ ହୋଇଥିଲା । ଅଦାଲତ ନିଷ୍ପତ୍ତିର ଶୁଣାଣି ଅକ୍ଟୋବର ୨୭ ତାରିଖଖୁ ଧାର୍ଯ୍ୟ କରିଥିଲେ । ଏଥିରେ ଅଦାଲତ ଆଜମ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଜି ଏହି ରାୟ ପ୍ରକାଶ ପାଇଛି । ଆଜମ ଖାନଙ୍କୁ ୩ ବର୍ଷ ପାଇଁ ଜେଲ ଦଣ୍ଡ ଦିଆଯାଇଛି ।