ବାବୁଲ ସୁପ୍ରିଓଙ୍କ ପୂରା ପରିବାରକୁ କରୋନା, ଦରକାର ୬୧ ହଜାର ଟଙ୍କାର କକ୍‌ଟେଲ ଜ୍ୟାବ୍‌; ଟ୍ଵିଟ୍‌ କରି ଜଣାଇଲେ ଦୁଃଖ

ଦେଶରେ ଏବେ କରୋନା ଅନେକ ସେଲିବ୍ରିଟିଙ୍କୁ ନିଜ କବଳକୁ ନେଉଛି। ଏଥିରୁ ବାଦ୍‌ ପଡ଼ି ନାହାନ୍ତି ରାଜନେତା। ତୃଣମୂଳ କଂଗ୍ରେସ (ଟିଏମସି) ନେତା ବାବୁଲ ସୁପ୍ରିଓ ମଙ୍ଗଳବାର କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏ ବିଷୟରେ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ବାବୁଲ ସୁପ୍ରିଓ କହିଛନ୍ତି ଯେ ତାଙ୍କ ସହିତ ତାଙ୍କ ବାପା, ସ୍ତ୍ରୀ ଏବଂ ଅନେକ କର୍ମଚାରୀ ବି କରୋନା ସଂକ୍ରମିତ ହୋଇ ଯାଇଛନ୍ତି।

ବାବୁଲ ସୁପ୍ରିଓଙ୍କ ଟ୍ୱିଟ୍

ବାବୁଲ ସୁପ୍ରିଓ ଟ୍ୱିଟ୍ କରି କହିଛନ୍ତି, ‘ମୁଁ, ମୋ ସ୍ତ୍ରୀ, ବାପା ଏବଂ କେତେଜଣ କର୍ମଚାରୀ କରୋନା ପଜିଟିଭ୍ ବାହାରିଛନ୍ତି। କିନ୍ତୁ ଏବେ ମୋର ଚିନ୍ତା ହେଉଛି କି, କରୋନାରେ ଗମ୍ଭୀର ରୂପେ ପୀଡ଼ିତ ରୋଗୀଙ୍କୁ ୬୧ ହଜାର ଟଙ୍କାର କକଟେଲ ଜ୍ୟାବ୍‌ ଦିଆଯାଉଛି। ମୋ ବାପାଙ୍କ ବୟସ ୮୪ ବର୍ଷ। ତାଙ୍କୁ ଜ୍ୟାବ୍‌ ଦରକାର ଥିଲା। ମୋତେ ଏହାକୁ ଅନ୍‌ ଦ ସ୍ପଟ୍‌ କିଣିବାକୁ ପଡିଲା। ଯଦି ଆର୍ଥିକ ରୂପେ ଦୁର୍ବଳ କୌଣସି ବ୍ୟକ୍ତିଙ୍କୁ ଏହା ଆବଶ୍ୟକ ପଡ଼େ, ତା’ ହେଲେ ସେମାନେ ଏହାକୁ କେମିତି କିଣିବେ’?

ଟିଏମସି ନେତା ବାବୁଲ ସୁପ୍ରିଓ ନିଜର ପରବର୍ତ୍ତୀ ଟ୍ୱିଟରେ ଲେଖିଛନ୍ତି କି, ‘ଯେହେତୁ ଟିକାକରଣ ପୂରା କରି ସାରିଥିବା ଲୋକଙ୍କଠାରେ ନୂଆ ସଂକ୍ରମଣ ପ୍ରତିରୋଧ ପାଇଁ ଇମ୍ୟୁନିଟି ନାହିଁ, ତେଣୁ ସରକାରଙ୍କୁ ଦେଶରେ ଚାଲିଥିବା ଟିକାକରଣ ଅଭିଯାନ ସହିତ ସରକାରୀ ହସ୍ପିଟାଲରେ ଏହି ଜ୍ୟାବ୍‌କୁ ଉପଲବ୍ଧ କରାଇବା ପାଇଁ ଦ୍ରୁତ ଗତିରେ କାମ କରିବା ଉଚିତ। ଟିକାକରଣ ଜରୁରୀ, କିନ୍ତୁ କକଟେଲ ଜ୍ୟାବ୍‌ ସମୟର ଏକ ଆବଶ୍ୟକତା’।

କ’ଣ ଏହି କକଟେଲ ଜ୍ୟାବ୍‌

କହି ରଖୁଛୁ କି, କକଟେଲ ଜ୍ୟାବରେ ଦୁଇଟି ଟିକାକୁ ମିଶାଇ ଗୁରୁତର କରୋନା ରୋଗୀଙ୍କ ଶରୀରରେ ପ୍ରୟୋଗ କରାଯାଇଥାଏ। ଏଥିରୁ କରୋନା ଭାଇରସ୍‌ ବିରୋଧରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ମିଳିଥାଏ। ଅନୁସନ୍ଧାନରେ ଏହା ମଧ୍ୟ ଦାବି କରାଯାଇଛି ଯେ କକଟେଲ ଜ୍ୟାବ୍‌ରୁ ରୋଗ ପ୍ରତିରୋଧକ ଶକ୍ତି ଶରୀରରେ ଦୀର୍ଘ ଦିନ ପର୍ଯ୍ୟନ୍ତ ରହିଥାଏ।