ବାଃରେ ସ୍ୱାସ୍ଥ୍ୟ ବିଭାଗ ବାଃ ! ବିନା ଟେଷ୍ଟରେ ହିଁ ବୃଦ୍ଧାଙ୍କୁ କହିଲା କରୋନା ପଜିଟିଭ, ଘରକୁ ବି କରିଦେଲା ସିଲ୍

କରୋନା ମହାମାରୀ ଲୋକଙ୍କ ମନରେ ଭୟ ସୃଷ୍ଟି କରିଥିବା ବେଳେ ଏହି ସମୟରେ ସ୍ୱାସ୍ଥ୍ୟ ବିଭାଗର ଅବହେଳା ଲୋକଙ୍କୁ ଆହୁରି ଅସ୍ତବ୍ୟସ୍ତ କରିପକାଉଛି। ମଧ୍ୟ ପ୍ରଦେଶରେ ଏଭଳି ଏକ ମାମଲା ଦେଖିବାକୁ ମିଳିଛି, ଯେଉଁଠି ଜଣେ ବୃଦ୍ଧା ମହିଳାଙ୍କର କୌଣସି ଟେଷ୍ଟ କରାନ ଯାଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ କରୋନା ସଂକ୍ରମିତ ବୋଲି କୁହାଯାଇଛି। ଫଳରେ ତାଙ୍କ ଘର ସାମ୍ନାରେ ପୋଷ୍ଟର ଲଗାଯିବା ସହ ପଡ଼ୋଶୀମାନେ ବି ତାଙ୍କ ସହ କଥାବାର୍ତ୍ତା କରିବା ବନ୍ଦ କରିଦେଇଛନ୍ତି।

ଏହି ୬୦ ବର୍ଷୀୟା ମହିଳା ରାମପ୍ୟାରୀ ପଟେଲଙ୍କ କହିବାନୁଯାୟୀ, ତାଙ୍କର କୌଣସି ଟେଷ୍ଟ କରାଯାଇନାହିଁ। କେହି ତାଙ୍କର ନମୁନା ବି ପରୀକ୍ଷା ପାଇଁ ନେଇନାହାନ୍ତି। ତଥାପି ତାଙ୍କୁ କରୋନା ସଂକ୍ରମିତ ବୋଲି କହି ପ୍ରଶାସନ ପକ୍ଷରୁ ତାଙ୍କ ଘର ସାମ୍ନାରେ ପୋଷ୍ଟର ଲଗାଯାଇଛି। ସେ ସକାଳୁ ଶୋଇକି ଉଠିବା ପରେ ଏହି କଥା ଜାଣିବାକୁ ପାଇଥିଲେ। ଏହି କାରଣରୁ ପଡ଼ୋଶୀମାନେ ବି ତାଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଇଥିବା ମନଦୁଃଖରେ କହିଛନ୍ତି ରାମପ୍ୟାରୀ।

ରାମପ୍ୟାରୀ କହିଛନ୍ତି, ଗତ ୫ ମାସ ମଧ୍ୟରେ ସେ ଆଦୌ ହସ୍ପିଟାଲ ଯାଇନାହାନ୍ତି କି କୌଣସି ରୋଗରେ ପଡ଼ିନାହାନ୍ତି। ମିଛରେ କେହି ତାଙ୍କ ନାଁ ରେ ଏମିତି କରିଛି। ଯାହାର ଫଳସ୍ୱରୂପ ଏବେ ସେ ଏକୁଟିଆ ହୋଇଯାଇଛନ୍ତି।

ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ମାମଲାକୁ ଗୁରୁତ୍ବର ସହ ନେଇ ଯାଞ୍ଚ ଆରମ୍ଭ କରିଥିବା ଜଣାଯାଇଛି।