ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପର୍କୀୟଙ୍କୁ ଦିନ ଦ୍ୱିପ୍ରହରରେ ଗୁଳିମାଡ଼, କାରଣ ଅସ୍ପଷ୍ଟ

ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପର୍କୀୟଙ୍କୁ ମରଣାନ୍ତକ ଆକ୍ରମଣ। ବିହାରର ସହରସା ଜିଲ୍ଲାରେ ଶନିବାର ଦିନ ଦ୍ୱିପ୍ରହରରେ ବାଇକ୍‌ରେ ଆସି କିଛି ଦୁବୃର୍ତ୍ତ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏହି ଘଟଣାରେ ବଲିଉଡ୍‌ର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପର୍କୀୟ ଓ ୟାମାହା ଶୋରୁମ୍‌ର ମାଲିକ ରାଜକୁମାର ସିଂହ ଓ ତାଙ୍କ ସହଯୋଗୀଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଛନ୍ତି। ଗୁଳିମାଡ଼ରେ ରାଜକୁମାର ସିଂହ ଓ ତାଙ୍କ ସହଯୋଗୀ ଅମୀର ହସନ୍‌ ଗୁରୁତର ହୋଇଛନ୍ତି। ଅଲ୍ଲୀ ହସନ୍‌ଙ୍କ ଅବସ୍ଥା ଏବେ ଗମ୍ଭୀର ରହିଛି।

ଘଟଣା ବିଷୟରେ ଖବର ପାଇବା ପରେ ପରିଜନମାନେ ଶୋରୁମ୍‌ ମାଲିକ ରାଜକୁମାର ସିଂହ ଓ ତାଙ୍କ ସହଯୋଗୀଙ୍କୁ ଚିକିତ୍ସା ପାଇଁ ଗଙ୍ଗାଜଳ ଚୌକସ୍ଥିତ ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ରାଜକୁମାରଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ଅମୀର ହସନ୍‌ଙ୍କ ଅଣ୍ଟା ପାଖରେ ଗୁଳି ବାଜିଛି। ଅମୀରଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। ଶନିବାର ସକାଳେ ସେ ଶୋରୁମ୍‌ ଖୋଲିବାକୁ ଯିବା ବେଳେ ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ଼ କରିଥିଲେ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଗୁଳିମାଡ଼ ପଛରେ କାରଣ କ’ଣ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏହି ଆକ୍ରମଣ ପଛରେ ପୂର୍ବ ଶତ୍ରୁତା ଥାଇପାରେ ବୋଲି ପରିବାର ଲୋକେ ସନ୍ଦେହ କରିଛନ୍ତି। ଅନ୍ୟପଟେ ତଦନ୍ତ ପରେ ସତ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.