ବିହାର ସେଲଟର ହୋମ୍‌ରେ ନାବାଳିକା ନିର୍ୟାତନା ମାମଲା

ଡ୍ରଗ୍‌ସ ଦେଇ ଦୁଷ୍କର୍ମ କରୁଥିଲେ, ଗରମ ପାଣି ଓ ଗରମ ତେଲ ଫିଙ୍ଗୁଥିଲେ

ବିହାର : ମଣିଷର ପଶୁତ୍ୱର ଆଉ ଏକ ଭୟଙ୍କର ଉଦାହରଣ । ବିହାର ସେଲଟର ହୋମରେ ନାବାଳିକାମାନଙ୍କୁ ଡ୍ରଗ୍‌ସ ଦେଇ ଦୁଷ୍କର୍ମ ମାମଲାର ଶୁଣାଣି ବେଳେ ଏସବୁ ତଥ୍ୟ ଆସିଛି । କଥା କହି ପାରୁ ନଥିବା ଓ ଶୁଣି ପାରୁନଥିବା ୭ରୁ ୧୮ ବର୍ଷର ଯୁବତୀ ଓ ନାବାଳିକାଙ୍କୁ ବର୍ଷ ବର୍ଷ ଧରି ଏଭଳି ଅତ୍ୟାଚାର, ନିର୍ୟାତନା ଓ ଦୁଷ୍କର୍ମର ଶିକାର ହେବାକୁ ପଡ଼ିଛି । ଏହି ଘଟଣାର ଏବେ ସିବିଆଇ ତଦନ୍ତ ନିର୍ଦ୍ଦେଶ ହୋଇଛି ।

ଅଭିଯୋଗ ଅନୁଯାୟୀ, ସେମାନଙ୍କୁ ଖାଦ୍ୟରେ ଉତ୍ତେଜକ ଏବଂ ନିଶା ଔଷଧ ଦିଆଯାଉଥିଲା । ସେମାନେ ନିଶାଗ୍ରସ୍ତ ହେବା ପରେ ଦୁଷ୍କର୍ମର ଶିକାର ହେଉଥିଲେ । ସେଲଟର ହୋମର ତତ୍ତ୍ୱାବଧାରକ ଏଭଳି ଘୃଣ୍ୟ କାମ କରୁଥିଲେ । ଏହା ସହିତ ଦେହ ବ୍ୟବସାୟ ମଧ୍ୟ ଚଳାଇଥିଲେ ବୋଲି ସେଲଟର ହୋମର ଅନ୍ତେବାସୀ ଅଭିଯୋଗ କରିଛନ୍ତି । ବିହାର ମୁଜାଫରପୁର ବାଳିକା ଗୃହରେ ଘଟିଥିବା ଏହି ଘଟଣାର ପର୍ଦ୍ଦାପାସ୍‌ ହେବା ପରେ ଏବେ ମାମଲାର ଶୁଣାଣି ଚାଲିଛି ।

ସ୍ୱତନ୍ତ୍ର ପୋକସୋ କୋର୍ଟରେ ମାମଲାର ଶୁଣାଣି ବେଳେ ଜଣେ ୧୦ ବର୍ଷ ବୟସ୍କା ଅନ୍ତେବାସୀ ଏସବୁ ବୟାନ କରିଛି । ପୋଲିସ୍‌ କିମ୍ବା ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଅନେକ ଅନାଥ ପିଲା ଏହି ବାଳିକା ଗୃହକୁ ଆସିଛନ୍ତି । ସେମାନଙ୍କ ରକ୍ଷଣା ବେକ୍ଷଣ ଦାୟିତ୍ୱ ନେବା ବଦଳରେ ସେମାନଙ୍କୁ ଏଭଳି ନିର୍ୟାତନା ଦେଇଛନ୍ତି ଦାୟିତ୍ୱରେ ଥିବା ଅଧିକାରୀ । ବ୍ରଜେଶ କୁମାର ଠାକୁର ନାମକ ଜଣେ ବ୍ୟକ୍ତି ଏହି ବାଳିକା ଗୃହକୁ ଚଳାଉଥିଲେ । ଗତ ୫ ବର୍ଷ ଭିତରେ ୪୭୦ ଜଣ ବାଳିକା ଏହି ସେଲଟର ହୋମକୁ ଅଣା ଯାଇଥିଲେ । ସେମାନଙ୍କୁ ଅମାନୁଷିକ ନିର୍ୟାତନା ଦିଆଯାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି । ସେମାନଙ୍କ ଉପରକୁ ଗରମ ପାଣି, ଗରମ ତେଲ ଫିଙ୍ଗିବା ସହ ମାଡ଼ ମଧ୍ୟ ମରାଯାଉଥିଲା ବୋଲି କୋର୍ଟରେ ଅନ୍ତେବାସୀ କହିଛନ୍ତି ।

Leave A Reply

Your email address will not be published.