ବିବାଦୀୟ ମନ୍ତବ୍ୟକୁ ନେଇ ନବୀନ ଜିନ୍ଦଲ ଓ ନୁପୁର ଶର୍ମା ବିଜେପିରୁ ନିଲମ୍ବିତ
![bjp](https://knewsodisha.com/wp-content/uploads/2022/06/bjp.jpg)
ନୂଆଦିଲ୍ଲୀ : ଏକ ଧର୍ମ ସମ୍ପ୍ରଦାୟ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଭାରତୀୟ ଜନତା ପାର୍ଟି (ବିଜେପି) ମୁଖପାତ୍ର ନୁପୁର ଶର୍ମା ଓ ନବୀନ ଜିନ୍ଦଲଙ୍କୁ ବିଜେପି ଦଳ ଓ ତାର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରିଛି ।
ଏକ ଟେଲିଭିଜନ ଶୋରେ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ମୁଖପାତ୍ର ନୁପୁର ଶର୍ମା । ନୁପୁରଙ୍କ ମନ୍ତବ୍ୟକୁ ନେଇ ଉତ୍ତର ପ୍ରଦେଶର କାନପୁରରେ ହିଂସା ଦେଖା ଦେଇଥିଲା । ପାରେଡ,ନଇ ସଡକ ଓ ୟାତିମଖନ ଅଞ୍ଚଳରେ ଏହାକୁ ନେଇ ଦଙ୍ଗା ଦେଖାଦେଇଥିଲା ।
ଆନ୍ଦୋଳନକାରୀ ଉକ୍ତ ଅଞ୍ଚଳରେ ଦୋକାନ ବଜାର ବନ୍ଦ କରିବା ସହ ଟେକା ପଥର ମାଡ କରିଥିଲେ । ଏଥିରେ ୨୦ ଜଣ ସାଧାରଣ ଲୋକଙ୍କ ସହ ୨୦ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଏହାପରେ ଶର୍ମାଙ୍କ ନାମରେ ଅନେକ ଏଫଆଇଆର୍ ଦାଖଲ ହୋଇଥିଲା । ଏହି ବିବାଦ ଚାଲିଥିବା ବେଳେ ଦିଲ୍ଲୀ ବିଜେପି ମେଡିଆ ମୁଖ୍ୟ ନବୀନ ଜିଣ୍ଡଲ ମଧ୍ୟ କିଛି ବିବାଦୀୟ ମନ୍ତବ୍ୟ ଟ୍ଵିଟ କରିଥିଲେ । ଯଦିଓ ପରେ ଏହାକୁ କାଢ଼ି ଦେଇଥିଲେ । ତେବେ ଦଳ ତାଙ୍କୁ ଏହି ବିବାଦ ପାଇଁ ଦାୟୀ କରି ନିଲମ୍ବିତ କରିଛି ।
ପୂର୍ବରୁ ବିଜେପି ଏକ ମନ୍ତବ୍ୟ ଦେଇ କହିଥିଲା ଯେ ଦଳ ସାମ୍ପ୍ରଦାୟୀକ ଘଟଣା ଠାରୁ ସର୍ବଦା ଦୂରରେ ରହେ । ଦଳ ସମସ୍ତ ଧର୍ମକୁ ସମାନ ସମ୍ମାନ ଦେଇଥାଏ । ଦେଶ ଓ ସମ୍ବିଧାନର ସୁସ୍ଥତା ପାଇଁ ବିଜେପି କେବେ ବି କୌଣସି ଧର୍ମ ବିରୋଧୀ ବ୍ୟକ୍ତି ବା ଦର୍ଶନକୁ ସମର୍ଥନ କରେନାହିଁ । ବିଜେପି କୌଣସି ବି ଧାର୍ମିକ ସମ୍ପ୍ରଦାୟ ବିରୋଧରେ କୌଣସି ଅସମ୍ମାନକୁ ବରଦାସ୍ତ କରେନି ବୋଲି ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂହ କହିଛନ୍ତି ।