ଆସନ୍ତାକାଲିଠୁ ପାର୍ଲ୍ୟାମେଣ୍ଟ ବଜେଟ୍ ଅଧିବେଶନ, ଫେବ୍ରୁଆରୀ ୧୧ ପର୍ଯ୍ୟନ୍ତ ଚାଲିବ ପ୍ରଥମ ପର୍ଯ୍ୟାୟ

ନୂଆଦିଲ୍ଳୀ : ଆସନ୍ତାକାଲିଠୁ ଅର୍ଥାତ ଜାନୁଆରୀ ୩୧ ରୁ ଆରମ୍ଭ ହେଉଛି ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ । ଅଧିବେସନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୧ ଯାଏ ଚାଲିବ । କାଲି ପ୍ରଥମ ଦିନରେ ଉଭୟ ଗୃହକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଫେବ୍ରୁଆରୀ ୧ ରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କୋଭିଡ ମହାମାରୀ କବଳରେ ପଡ଼ିଥିବା ଅର୍ଥନୀତିକୁ ଉଦ୍ଧାର କରିବା ଅର୍ଥମନ୍ତ୍ରୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ । କୋଭିଡ୍ ମାଡ଼ରେ ଭୁଶୁଡ଼ି ପଡ଼ିଥିବା ସବୁ କ୍ଷେତ୍ର ବଜେଟ୍କୁ ନେଇ ଆଶାବାଦୀ ।

କୋଭିଡ୍ ଦ୍ୱିତୀୟ ଲହର କବଳରୁ ଅର୍ଥନୀତି ଧୀରେ ଧୀରେ ମୁକୁଳୁଛି । ପୁଣି ଚ୍ୟାଲେଞ୍ଜ ସୃଷ୍ଟି କରିଛି ତୃତୀୟ ଲହର । ଦେଶରେ ଅସମାନତା ବଢ଼ିଛି । ବେରୋଜଗାରୀ ସ୍ତର ଉଚ୍ଚ ରହିଛି । ଲୋକଙ୍କ ପାଖରେ କ୍ରୟ କ୍ଷମତା କମିଛି । ଏଭଳି ସମୟରେ ବଜେଟ୍ରେ କି ବ୍ୟବସ୍ଥା ରହୁଛି, ତା ଉପରେ ଦେଶବାସୀଙ୍କ ନଜର । ଏଥର ଆୟକର ସ୍ଲାବରେ ପରିବର୍ତ୍ତନ କରିପାରନ୍ତି ଅର୍ଥମନ୍ତ୍ରୀ । ବରିଷ୍ଠ ନାଗରିକଙ୍କ ପାଇଁ ୫ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ଼ ହୋଇପାର । ସେହିଭଳି ସର୍ବୋଚ୍ଚ ଟ୍ୟାକ୍ସ ସ୍ଲାବ ହାରକୁ ୩୦ ପ୍ରତିଶତରୁ ୨୫ ପ୍ରତିଶତକୁ ହ୍ରାସ କରାଯାଇପାରେ। ମହାମାରୀ ବେଳେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଅର୍ଥ ବ୍ୟୟବରାଦ ହୋଇପାରେ ।

ପ୍ରଭାବିତ ହୋଇଥିବା ଏମଏସଏମ୍ଇ ଓ ପର୍ଯ୍ୟଟନ କ୍ଷେତ୍ର ବଜେଟ୍ରୁ ଆଶା ରଖିଛନ୍ତି। ବଜେଟ୍ ପ୍ରସ୍ତୁତ କରିବାକୁ ୫ ଜଣ ଅନୁଭବୀ ଓ ଦକ୍ଷ ଅଧିକାରୀଙ୍କୁ ଟିମ୍ରେ ସାମିଲ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ଟିମ୍ରେ ଅଛନ୍ତି ୧୯୮୭ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ତଥା ବର୍ତ୍ତମାନର ନିବେଶ ଏବଂ ସାର୍ବଜନୀନ ସମ୍ପତ୍ତି ପରିଚାଳନା ବିଭାଗ ସଚିବ ତୁହିନକାନ୍ତ ପାଣ୍ଡେ ଓ ୧୯୮୭ର ଉତ୍ତର ପ୍ରଦେଶ କ୍ୟାଡର ଆଇଏଏସ୍ ତଥା ଫାଇନାନ୍ସିଆଲ ସର୍ଭିସେସ୍ ବିଭାଗ ସଚିବ ଦେବାଶିଷ ପଣ୍ଡା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.