Below header

ଅମିତ ଶାହାଙ୍କ ଘରେ ପହଞ୍ଚିଲେ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ, ହାତ ଛାଡ଼ି ଧରିପାରନ୍ତି ପଦ୍ମ

ବିଜେପି ନେତା ଅମିତ ଶାହାଙ୍କ ଘରେ ପହଞ୍ଚିଲେ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ। ଅମିତ ଶାହଙ୍କୁ ଭେଟିବା ପାଇଁ ସେ ତାଙ୍କ ବାସ ଭବନରେ ପହଞ୍ଚିଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ଗତ କାଲି ଚର୍ଚ୍ଚା ହେଉଥିଲା ଯେ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ କଂଗ୍ରେସ ଛାଡ଼ି ବିଜେପିରେ ମିଶି ପାରନ୍ତି। ଆଜି ଅମରିନ୍ଦର ଅମିତ ଶାହଙ୍କ ଘରେ ପହଞ୍ଚିବା ଏହି ଆଲୋଚନାକୁ ଖୋରାକ୍‌ ଯୋଗାଇଛି। ଏବେ ଏକ ପ୍ରକାରର ସ୍ପଷ୍ଟ ହୋଇଛି ଯେ ଅମରିନ୍ଦର ହାତର ହାତ ଛାଡ଼ି ପଦ୍ମ ଧରିବାକୁ ଯାଉଛନ୍ତି।

ପ୍ରକାଶ ଯେ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂହ ସିଦ୍ଧୁଙ୍କ ଇସ୍ତଫା ପରେ ଦଳରେ ରାଜନୈତିକ ହଟଚମଟ ଜାରି ରହିଛି। ସିଦ୍ଧୁଙ୍କ ଇସ୍ତଫା ପରେ ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ଏକାଧିକ ନେତା ଓ ପଦାଧିକାରୀ ମଧ୍ୟ ନିଜ ନିଜ ପଦ ଛାଡ଼ିଛନ୍ତି। ଏହାକୁ ନେଇ କଂଗ୍ରେସରେ କନ୍ଦଳ ଲାଗି ରହିଥିବା ବେଳେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ବିବାଦର ସମାଧାନ କରିବାକୁ ପ୍ରୟାସ କରିଛନ୍ତି । କ୍ୟାବିନେଟ ବୈଠକ ପରେ ଚନ୍ନି କହିଛନ୍ତି, କୌଣସି ଜିନିଷ କେହି ଜାଣିଶୁଣି କରିନାହାନ୍ତି । ଯଦି କୌଣସି ପ୍ରସଙ୍ଗ ନେଇ କାହାର ଆପତ୍ତି ରହିଛି, ତା’ହେଲେ ଏହାକୁ ବଦଳାଇବାକୁ ମୁଁ ରାଜି ଅଛି । ମୋର କୌଣସି ଅହଂକାର ନାହିଁ । ଦଳ ସବୁଠାରୁ ବଡ଼ । ସବୁ ପ୍ରସଙ୍ଗକୁ କଥାବାର୍ତ୍ତା ଦ୍ୱାରା ସମାଧାନ କରିହେବ । ସିଦ୍ଧୁଙ୍କ ସହ ଦଳ ଆଲୋଚନା କରିବାକୁ ରାଜି ଅଛି।

ଅନ୍ୟପଟେ ଚନ୍ନିଙ୍କ ବୟାନ ପଞ୍ଜାବ ରାଜନୀତିକୁ ଆହୁରି ସରଗରମ କରିଛି । ଗୋଟିଏ ପଟେ ଗାନ୍ଧି ପରିବାର ସିଦ୍ଧୁଙ୍କୁ ବୁଝାଇବା ମୁଡରେ ନଥିବା ବେଳେ ଚନ୍ନି ସିଦ୍ଧୁଙ୍କ ସହ ଆଲୋଚନା ପାଇଁ ଆମନ୍ତ୍ରଣ କରିଛନ୍ତି । ଏପଟେ ସିଦ୍ଧୁ ଭିଡିଓ ଜାରି କରି ଜୀବନର ଶେଷ ରକ୍ତ ଥିବା ଯାଏ ସତ୍ୟ ପାଇଁ ଲଢ଼େଇ କରିବି ବୋଲି କହିଛନ୍ତି । ଏପଟେ ବହୁ ନେତା କଂଗ୍ରେସ ଛାଡୁଥିବା ନେଇ ଦଳ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବରିଷ୍ଠ ନେତା କପିଲ ସିବଲ । କଂଗ୍ରେସର କିଏ ଅଧ୍ୟକ୍ଷ ତାହା ଜଣାପଡୁନାହିଁ । ତେଣୁ ତୁରନ୍ତ ନିର୍ବାଚନ କରି ନୂଆ ଅଧ୍ୟକ୍ଷ ଘୋଷଣା କରିବାକୁ କପିଲ ଦାବି କରିଛନ୍ତି । ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବ। ଗୋଟିଏ ପଟେ ଅମରିନ୍ଦର ସିଏମ ପଦରୁ ଇସ୍ତଫା ଦେଇଥିବା ବେଳେ ସିନ୍ଧୁଙ୍କ ଇସ୍ତଫା ପରେ କଂଗ୍ରେସ ପୁଣି ଥରେ ସଂକଟ ଭିତରକୁ ଠେଲି ହୋଇ ଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.