ମହଙ୍ଗା ହେଲା ସିବିଏସ୍ସି ପାଠ ପଢା: ଏସ୍ସି ଏସ୍ଟି ଛାତ୍ରଛାତ୍ରୀଙ୍କ ପାଇଁ ୨୪ ଗୁଣା ଓ ସାଧାରଣ ବର୍ଗଙ୍କ ପାଇଁ ୨ଗୁଣା ପରୀକ୍ଷା ଫି ବୃଦ୍ଧି
ନୂଆଦିଲ୍ଲୀ(କେନ୍ୟୁଜ୍): ଅଭିଭାବକଙ୍କ ଉପରେ ପୁଣି ଫି ବୋଝ। ମହଙ୍ଗା ହେଲା ଇଂରାଜୀ ମାଧ୍ୟମ ପାଠପଢା। ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫି ବଢାଇଛି ସିବିଏସ୍ଇ। ଏସ୍ସି ଏସ୍ଟି ଛାତ୍ରଛାତ୍ରୀଙ୍କ ପାଇଁ ୨୪ ଗୁଣା ଓ ସାଧାରଣ ବର୍ଗଙ୍କ ପାଇଁ ୨ଗୁଣା ବୃଦ୍ଧି କରାଯାଇଛି। ନୂଆ ନିଷ୍ପତ୍ତି ଅନୁଯାୟୀ ଏସ୍ସି , ଏସ୍ଟି ଛାତ୍ରଛାତ୍ରୀ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏଣିକି ୫୦ ଟଙ୍କା ବଦଳରେ ୧୨୦୦ଟଙ୍କା ଦେବାକୁ ପଡିବ। ସେହିପରି ସାଧାରଣ ବର୍ଗର ଛାତ୍ରଛାତ୍ରୀ ୭୫୦ ବଦଳରେ ୧୫୦୦ଟଙ୍କା ଫି ଦେବେ। ଫି ବୃଦ୍ଧି ସିବିଏସ୍ଇ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। କେବଳ ଦିଲ୍ଲୀ ନୁହେଁ ସାରା ଦେଶରେ ଫି ବୃଦ୍ଧି କରାଯାଇଛି। ତେବେ ଦୃଷ୍ଟିହୀନଙ୍କ ପାଇଁ ପରୀକ୍ଷା ଫି ଛାଡ କରାଯାଇଛି। ମାଇଗ୍ରେସନ୍ ଫି ୧୫୦ଟଙ୍କାରୁ ୩୫୦ଟଙ୍କାକୁ ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଫି କୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି।