ସିଙ୍ଗଡ଼ା ଖାଉ ଖାଉ ଉଡ଼ିଲା କର୍ମଚାରୀଙ୍କ ହୋଶ୍, ଆଳୁ ଜାଗାରେ ବାହାରିଲା କଣ୍ଡୋମ୍, ଗୁଟ୍ଖା ଓ ଗୋଡ଼ି
ସିଙ୍ଗଡ଼ା ଭିତରେ କଣ୍ଡୋମ୍ । ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଘଟଣାଟି ସତ । ମହାରାଷ୍ଟ୍ରର ପୁଣେରୁ ଏଭଳି ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି ।

ସିଙ୍ଗଡ଼ା ଭିତରେ କଣ୍ଡୋମ୍ । ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଘଟଣାଟି ସତ । ମହାରାଷ୍ଟ୍ରର ପୁଣେରୁ ଏଭଳି ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏଠାରେ ପିମ୍ପରି ଚିଞ୍ଚଓ୍ଵାଡରେ ଏକ ପ୍ରମୁଖ ଅଟୋ କମ୍ପାନୀକୁ ସପ୍ଲାଏ ହୋଇଥିବା ସିଙ୍ଗଡ଼ାରେ ବାହାରିଛି କଣ୍ଡୋମ୍, ଗୁଟ୍ଖା ଓ ଗୋଡ଼ି । ଘଟଣା ଜଣାପଡ଼ିବା ପରେ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।
ପୋଲିସ କହିଛି ଯେ ଯେଉଁମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି, ସେମାନଙ୍କ ମଧ୍ୟରେ ସବ୍ କଣ୍ଟ୍ରାକ୍ଟିଙ୍ଗ୍ ଫାର୍ମର ଦୁଇ ଜଣ କର୍ମଚାରୀ ଅଛନ୍ତି । ଏମାନଙ୍କୁ ସିଙ୍ଗଡ଼ା ସପ୍ଲାଏ କରିବାକୁ କୁହାଯାଇଥିଲା । ବାକି ୩ ଜଣ ଅଭିଯୁକ୍ତ ଏମିତି ହିଁ ଏକ ଫାର୍ମର ପାର୍ଟନର ଥିଲେ, ଯେଉଁମାନଙ୍କୁ ଅପମିଶ୍ରଣ ଅଭିଯୋଗରେ ହଟାଇ ଦିଆଯାଇଥିଲା ।
ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଅଟୋମୋବାଇଲ ଫାର୍ମର କ୍ୟାଣ୍ଟିନରେ ଖାଦ୍ୟ ସାମଗ୍ରୀ ଯୋଗାଣର ଦାୟିତ୍ୱ କାଟାଲିଷ୍ଟ ସର୍ଭିସ ସଲ୍ୟୁସନ୍ ପ୍ରାଇଭେଟ ଲିମିଟେଡର ଥିଲା । କାଟାଲିଷ୍ଟ ସର୍ଭିସ୍ ଅଟୋ ଫାର୍ମରେ ସିଙ୍ଗଡ଼ା ସପ୍ଲାଏର ଚୁକ୍ତି ମନୋହର ଏଣ୍ଟରପ୍ରାଇଜେସ୍ ନାମକ କମ୍ପାନୀ ସହିତ କରିଥିଲା । ପୋଲିସ ଅଧିକାରୀ କହିଛନ୍ତି, ଶନିବାର ଅଟୋ ଫାର୍ମର କିଛି କର୍ମଚାରୀ ସିଙ୍ଗଡ଼ାରେ କଣ୍ଡୋମ, ଗୁଟଖା ଓ ଗୋଡ଼ି ମିଳିବା ନେଇ ଅଭିଯୋଗ କରିଥିଲେ । ମନୋହର ଏଣ୍ଟରପ୍ରାଇଜେସ୍ କର୍ମଚାରୀଙ୍କୁ ପଚରାଉଚରା ବେଳେ ଜଣାପଡ଼ିଥିଲା କି, ଫିରୋଜ ଶେଖ ଓ ବିକି ଶେଖ ନାମକ ଦୁଇ କର୍ମଚାରୀ ସିଙ୍ଗଡ଼ାରେ କଣ୍ଡୋମ, ଗୁଟଖା ଓ ଗୋଡ଼ି ଭର୍ତ୍ତି କରିଥିଲେ ।
ଏହି ମାମଲାରେ ପୋଲିସ ଆଇପିସି ଧାରା ୩୨୮ ଓ ୧୨୦ବି ଅନୁଯାୟୀ ଏକ ମାମଲା ରୁଜୁ କରିଛି । ଉଭୟ ଅଭିଯୁକ୍ତ ଫିରୋଜ ଓ ବିକି ହେଉଛନ୍ତି ମନୋହର ଏଣ୍ଟରପ୍ରାଇଜେସର କର୍ମଚାରୀ । ପଚରାଉଚରା ବେଳେ ସେମାନେ କହିଥିଲେ ଯେ ଏସ୍ଆର୍ଏ ଏଣ୍ଟରପ୍ରାଇଜେସ୍ର ୩ ଜଣ ପାର୍ଟନର ସେମାନଙ୍କୁ ସିଙ୍ଗଡ଼ାରେ ଅପମିଶ୍ରଣ କରିବାକୁ କହିଥିଲେ ।
ସୂଚନା ମୁତାବକ, ପୂର୍ବରୁ ଅଟୋ ଫାର୍ମର କ୍ୟାଣ୍ଟିନରେ ଖାଦ୍ୟ ଯୋଗାଣ ପାଇଁ କେବଳ ଏସ୍ଆର୍ଏ ଏଣ୍ଟରପ୍ରାଇଜେସ୍ ସହିତ ଚୁକ୍ତି ହୋଇଥିଲା । କିନ୍ତୁ ତାଙ୍କର ଚୁକ୍ତିନାମା ବନ୍ଦ କରି ଦିଆଯାଇଥିଲା, କାରଣ, କର୍ମଚାରୀଙ୍କୁ ଦିଆଯାଇଥିବା ଜଳଖିଆରେ ବ୍ୟାଣ୍ଡେଜ୍ ମିଳିଥିଲା । ଏହି କାରଣରୁ କାଟାଲିଷ୍ଟ ସର୍ଭସ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟ ଜାଣିଶୁଣି କରାଯାଇଥିବା ପୋଲିସ କହିଛି । ପୋଲିସ ମୁତାବକ, ଏସ୍ଆର୍ଏ ଏଣ୍ଟରପ୍ରାଇଜେସର ପାର୍ଟନରମାନେ ହେଲେ ଅଭିଯୁକ୍ତ ରହିମ୍ ଶେଖ, ଅଜହର ଶେଖ ଓ ମଜହର ଶେଖ । ଏହି ତିନିଜଣ ମନୋହର ଏଣ୍ଟରପ୍ରାଇଜେସ୍ର ଭାବମୂର୍ତ୍ତି ଖରାପ କରିବାକୁ ଚାହୁଁଥିଲେ ।