ଭାରତ ଯୋଡ଼ୋ ଯାତ୍ରାରେ ୪୨ ହଜାର ଟଙ୍କାର ଟି-ଶାର୍ଟ ପିନ୍ଧିଥିଲେ ରାହୁଲ ଗାନ୍ଧୀ! କଡ଼ା ସମାଲୋଚନା କରି ଏମିତି ଟ୍ଵିଟ୍ କଲା ବିଜେପି
ଭାରତ ଯୋଡ଼ୋ ଯାତ୍ରାରେ ବାହାରିଛି କଂଗ୍ରେସ। ଏଥିରେ ସାମିଲ ହୋଇଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଜ ପୋଷାକକୁ ନେଇ ବିଜେପି ଟାର୍ଗେଟକୁ ଆସିଛନ୍ତି। ଏହି ଯାତ୍ରା ସମୟରେ ରାହୁଲ ପିନ୍ଧିଥିବା ଟି-ଶାର୍ଟର ଫଟୋ ଟ୍ୱିଟ୍ କରି ବିଜେପି ତାଙ୍କୁ କଡ଼ା ସମାଲୋଚନା କରିଛି। ବିଜେପିର ଟ୍ୱିଟର ହ୍ୟାଣ୍ଡେଲରୁ ଏହି ଟ୍ଵିଟ୍ କରାଯାଇଛି। ଏଥିରେ ରାହୁଲଙ୍କ ଟି-ଶାର୍ଟର ମୂଲ୍ୟ ୪୧ ହଜାର ୨୫୭ ଟଙ୍କା ବୋଲି କୁହାଯାଇଛି। କହି ରଖୁଛୁ, କଂଗ୍ରେସ ନେତାମାନେ ଏବେ ଭାରତ ଯୋଡ଼ୋ ଯାତ୍ରାରେ ଅଛନ୍ତି। ତାମିଲନାଡୁର କନ୍ୟାକୁମାରୀରୁ ଏହି ଯାତ୍ରା ଆରମ୍ଭ ହୋଇଛି।
ବିଜେପିର ଟ୍ୱିଟର ହ୍ୟାଣ୍ଡେଲରେ ରାହୁଲ ଗାନ୍ଧୀଙ୍କ ଫଟୋ ସହିତ ସେ ପିନ୍ଧିଥିବା ଟି-ଶାର୍ଟର ଫଟୋ ମଧ୍ୟ ଟ୍ୱିଟ କରାଯାଇଛି। ଏହି ଟ୍ଵିଟ୍ ମୁତାବକ, ଭାରତ ଯୋଡ଼ୋ ଯାତ୍ରାରେ ରାହୁଲ ପିନ୍ଧିଥିବା ଧଳା ରଙ୍ଗର ପୋଲୋ ଟି-ଶାର୍ଟ ବର୍ବେରୀ କମ୍ପାନୀର ଏବଂ ଏହାର ଦାମ୍ ୪୧ ହଜାର ୨୫୭ ଟଙ୍କା। ଟ୍ୱିଟ୍ ସହିତ କ୍ୟାପସନ୍ ଲେଖାଯାଇଛି, ‘ଭାରତ ଦେଖ’। ସୂଚନାଥାଉ କି, କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଛି। ଏହି ଯାତ୍ରା ୧୨ ରାଜ୍ୟ ଦେଇ ଜମ୍ମୁ-କାଶ୍ମୀରରେ ଶେଷ ହେବ। କଂଗ୍ରେସ ମୁତାବକ, ଏହି ଯାତ୍ରା ପାଖାପାଖି ୧୫୦ ଦିନ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ମୋଟ ୩,୫୦୦ କିଲୋମିଟରର ଲମ୍ବା ଯାତ୍ରା ସ୍ଥିର କରାଯିବ।
ବର୍ବେରୀ ହେଉଛି ବ୍ରିଟିଶ କମ୍ପାନୀ
ବର୍ବେରୀ ବ୍ରିଟେନର ଏକ ପୋଷାକ କମ୍ପାନୀ, ଯାହାର ୱେବସାଇଟ୍ ମାଧ୍ୟମରେ ସିଧାସଳଖ ଭାରତରେ କପଡ଼ା କିଣିବାର ସୁବିଧା ଉପଲବ୍ଧ ନାହିଁ। କମ୍ପାନୀର ୱେବସାଇଟରେ ଉପଲବ୍ଧ ସୂଚନା ମୁତାବକ, ୧୮୫୬ ମସିହାରେ ଥୋମାସ୍ ବର୍ବେରୀ ଏହି କମ୍ପାନୀକୁ ପ୍ରତିଷ୍ଠା କରିଥିଲେ। ସେହି ସମୟରେ ଥୋମାସ୍ ବର୍ବେରୀଙ୍କ ବୟସ ଥିଲା ମାତ୍ର ୨୧ ବର୍ଷ। ସେ ଏହି କମ୍ପାନୀରେ ଏପରି ପୋଷାକ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ବ୍ରିଟେନର ପାଣିପାଗ ହିସାବରେ ସେଠାକାର ଲୋକଙ୍କୁ ସୁରକ୍ଷା ପ୍ରଦାନ କରି ପାରୁଥିବ।
Bharat, dekho! pic.twitter.com/UzBy6LL1pH
— BJP (@BJP4India) September 9, 2022
ସୂଚନାଥାଉ କି, ଦରଦାମ ବୃଦ୍ଧି, ମୁଦ୍ରାସ୍ଫିତୀ, ବେକାରୀ ସମସ୍ୟା ଆଦି ପ୍ରସଙ୍ଗରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଆରମ୍ଭ ହୋଇଛି। ଏହାକୁ ନେଇ ଦଳର ନେତା ଓ କର୍ମୀ ଉତ୍ସାହିତ ଅଛନ୍ତି। ଆଗାମୀ ୧୫୦ ଦିନରେ କଂଗ୍ରେସ ସମୁଦାୟ ୩ ହଜାର ୫୦୦ କିଲୋମିଟର ଯାତ୍ରା କରିବ। ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ଏହି ଯାତ୍ରା ଶେଷ ହେବ। ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ୨ଟି ପର୍ଯ୍ୟାୟରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଚାଲିବ। ଏହି ସମୟରେ କୌଣସି ନେତା ହୋଟେଲରେ ରହିବେ ନାହିଁ । କଣ୍ଟେନରରେ ରାତ୍ରି ଯାପନ କରିବେ କଂଗ୍ରେସ ନେତା ଓ କର୍ମୀ। ଏଥିପାଇଁ ୬୦ଟି କଣ୍ଟେନର ବ୍ୟବସ୍ଥା କରାଯାଇଛି।
ସେପଟେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାକୁ କଟାକ୍ଷ କରିଛନ୍ତି ବିଜେପି ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଭାରତ ଯୋଡ଼ିବା ପାଇଁ କଂଗ୍ରେସ ପାକିସ୍ତାନରୁ ଯାତ୍ରା ଆରମ୍ଭ କରୁ ବୋଲି ସେ କହିଛନ୍ତି। ସେପଟେ ଏହାକୁ ତୀବ୍ର ନିନ୍ଦା କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ।