୫୫ ଲକ୍ଷ ଲୋକଙ୍କ ଘର ଘର ବୁଲି କରାଯିବ କରୋନା ସ୍କ୍ରିନିଙ୍ଗ୍‌, ମନ୍ତ୍ରୀ ସମୂହ ବୈଠକରେ ନିଷ୍ପତ୍ତି

ନୂଆଦିଲ୍ଲୀ : କରୋନା ମନ୍ତ୍ରୀ ସମୂହ ଦେଶର ୪୫ ସହରରେ ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏଠାରେ ୫୫ ଲକ୍ଷ ଲୋକଙ୍କ ଘରେ ଘରେ ବୁଲି ସ୍କ୍ରିନିଂ କରାଯିବ ବୋଲି ପ୍ରକାଶ କରିଛନ୍ତି ।

ଏହି ସହରଗୁଡ଼ିକ ମଧ୍ୟରେ ମୁମ୍ବାଇ, ନଭି ମୁମ୍ବାଇ, ପୁଣେ, ନାଗପୁର, ଅହମ୍ମଦାବାଦ, ସୁରତ, ଇନ୍ଦୋର, ଜୟପୁର, ହାଇଦ୍ରାବାଦ, ଚେନ୍ନେଇ, ସିଲିଗୁଡ଼ି, ସିବାନ, ସେଣ୍ଟ୍ରାଲ୍‌ ଦିଲ୍ଲୀ, େଓ୍ଵଷ୍ଟ ଦିଲ୍ଲୀ, ନୋଏଡ଼ା ଏବଂ ଆଗ୍ରା ଆଦି ସାମିଲ ରହିଛି । କରୋନା ଉପରେ ସମୀକ୍ଷା କରିବାକୁ ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ମନ୍ତ୍ରୀ ସମୂହ ବୈଠକ ବସି ଏହି ନିଷ୍ପତ୍ତି ନେଇଛି ।

ବର୍ତ୍ତମାନ ଦେଶରେ ମୃତ୍ୟୁ ହାର ପ୍ରାୟ ୩.୧ ପ୍ରତିଶତ ରହିଥିବା ବେଳେ ରୋଗମୁକ୍ତ ହୋଇଥିବା ହାର ୨୦.୬୬ ପ୍ରତିଶତ ରହିଛି । ଯାହାକି ଅନ୍ୟ ଦେଶ ତୁଳନାରେ ଭାରତ ଭଲ ସ୍ଥିତିରେ ରହିଛି । ଲକ୍‌ଡାଉନ୍‌ ସକାରାତ୍ମକ ପ୍ରଭାବ ହିଁ ଏହାର କାରଣ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା ।

ଶନିବାର ଯାଏ ଦେଶରେ ୫୦୬୨ କରୋନା ସଂକ୍ରମିତ ଲୋକ ଠିକ୍‌ ହୋଇଥିଲା ବେଳେ ଚବିଶ ଘଣ୍ଟା ମଧ୍ୟରେ ୧୪୨୯ ନୂଆ ମାମଲା ଆସିଥିବା ଜଣାଯାଇଛି । ସେହିପରି ଦେଶରେ ୨୪,୫୦୬ ଲୋକ କରୋନା ପଜେଟିଭ ଥିବା ଜଣାଯାଇଛି ।

ଦେଶରେ ପ୍ରତିଦିନ ୧ ଲକ୍ଷରୁ ଅଧିକ ପିପିଇ ଓ ଏନ୍‌-୯୫ ମାସ୍କ ନିର୍ମାଣ କରାଯାଉଛି । ସେହିପରି ୫୯ ହଜାରରୁ ଅଧିକ ଭେଣ୍ଟିଲେଟର ନିର୍ମାଣ ପାଇଁ ଆଦେଶ ଦିଆଯାଇଛି ବୋଲି ବୈଠକରେ ପ୍ରକାଶ ପାଇଛି ।

କରୋନା ସମ୍ପର୍କିତ ମନ୍ତ୍ରୀ ସମୂହର ଏହି ୧୩ ତମ ବୈଠକ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ହୋଇଥିଲା ।

Leave A Reply

Your email address will not be published.