ରାଜ୍ୟରେ ଜାରି ରହିଛି ତାତି, ଆଗକୁ ଆହୁରି ବଢିବ,୪୫ ଡିଗ୍ରୀ ଛୁଇଁବା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି। ପ୍ରବଳ ଖରାରେ ଆଉଟୁପାଉଟୁ ଜନଜୀବନ। ଉପକୂଳରୁ ଉପାନ୍ତ ସବୁଠି କଲବଲ କରୁଛି ଗରମ ଓ ଗୁଳୁଗୁଳି। ଆଗକୁ ଆହୁରି ବଢିବ ତାତି। ଆସନ୍ତା ୩ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ। ଆଜି ଓ କାଲି ପଶ୍ଚିମ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି। ତାପମାତ୍ରା ବୃଦ୍ଧି ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ଚେତାବନୀ ଜାରି କରିଛି।
୫ ଦିନ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ଉଷ୍ମ ଓ ଆଦ୍ର ବାୟୁ ପ୍ରବାହ ଜାରି ରହିବ। ୧୧ ଓ ୧୨ ତାରିଖରେ ପଶ୍ଚିମ ଓଡିଶାର ଗୋଟିଏ ଦୁଇଟି ଜିଲ୍ଲାରେ ଗ୍ରୀଷ୍ମ ଲହରୀ ପ୍ରଭାବ ରହିବ। ଏହି ଦୁଇଦିନରେ ଚାରି ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ ଓ ନୂଆପଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟରେ କିଛି କିଛି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି।
ସେପଟେ ଆଗକୁ ବଢୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। କେନ୍ଦ୍ରୀୟ ଆରବ ସାଗରର ଅବଶିଷ୍ଟାଶଂ, ମୁମ୍ବାଇ ସହ ମହାରାଷ୍ଟ୍ରର ଅଧିକାଂଶ ଭାଗକୁ ଆଜି ମୌସୁମୀ ଛୁଇଁଛି। ଦକ୍ଷିଣ ଓଡ଼ିଶାରେ ମାଲକାନଗିରିରେ ପ୍ରବେଶ କରିଛି ମୌସୁମୀ। ଏହା କ୍ରମଶଃ ଆଗକୁ ବଢିବାକୁ ପାଗ ଅନୁକୂଳ ରହିଛି।.