ନାଗପୁର: ବିସ୍ଫୋରକ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ; ୫ ଶ୍ରମିକ ମୃତ, ୫ ଗୁରୁତର

ମହାରାଷ୍ଟ୍ରର ନାଗପୁର ନିକଟ ଏକ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି କାରଖାନାରେ ବିସ୍ଫୋରକ ସାମଗ୍ରୀ ତିଆରି ଚାଲିଥିଲା । ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ ଘଟଣା ନାଗପୁରଠାରୁ ପାଖାପାଖି ୨୫ କିମି ଦୂର ହିଙ୍ଗନା ଥାନା ଅଧୀନ ଧମନା ଗାଁରେ ଘଟିଛି ।

ଏହି ଘଟଣା ଚାମୁଣ୍ଡି ଏକ୍ସପ୍ଲୋସିଭ ପ୍ରାଇଭେଟ୍‌ ଲିମିଟେଡ୍‌ କାରଖାନାରେ ଘଟିଛି । ଜଣେ ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି ଯେ ଅପରାହ୍ନ ପ୍ରାୟ ୧ଟା ବେଳେ ହଠାତ୍‌ ଏଠାରେ ଜୋରଦାର ବିସ୍ଫୋରଣ ଘଟିଥିଲା । ସେହି ସମୟରେ ଶ୍ରମିକମାନେ ବିସ୍ଫୋରକ ସାମଗ୍ରୀ ପ୍ୟାକ୍‌ କରୁଥିଲେ । ଏହି ଘଟଣାରେ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ତଥ୍ୟ ମିଳି ନ ଥିବା ପୋଲିସ କହିଛି ।

ନାଗପୁର ପୋଲିସ କମିଶନର ରବିନ୍ଦର ସିଙ୍ଘଲ କହିଛନ୍ତି, ଏହି ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ୪ ଜଣ ମହିଳା ଅଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି । ଆମ ଟିମ୍‌, କ୍ରାଇମ୍‌ ବ୍ରାଞ୍ଚ ଏବଂ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଜାରି ରଖିଛନ୍ତି ।

କହି ରଖୁଛୁ ଯେ ଏହା ପୂର୍ବରୁ ବୁଧବାର ସକାଳେ ମହାରାଷ୍ଟ୍ରର ଠାଣେ ଜିଲ୍ଲା ଡୋମ୍ବିଭଲି ଅଞ୍ଚଳରେ ଏକ ବନ୍ଦ ରାସାୟନିକ କାରଖାନାରେ ନିଆଁ ଲାଗିଯାଇଥିଲା । କଲ୍ୟାଣ ଡୋମ୍ବିଭଲି ନଗର ନିଗମର ବିପର୍ଯ୍ୟୟ ପରିଚାଳନା ପ୍ରକୋଷ୍ଠର ମୁଖ୍ୟ ଦୀପକ ନିକମ୍‌ କହିଛନ୍ତି, ୟୁନିଟ୍‌ରେ ବିସ୍ଫୋରଣ ମଧ୍ୟ ଘଟିଛି । ୟୁନିଟ୍‌ରୁ ବାହାରୁଥିବା ଧୂଆଁ ଅନେକ ଦୂର ପର୍ଯ୍ୟନ୍ତ ଦେଖାଯାଉଛି । ଏହି ୟୁନିଟ୍‌ ଅମୁଦନ କେମିକାଲ୍ସ ନିକଟରେ ରହିଛି, ଯେଉଁଠି ମେ’ ୨୩ରେ ଘଟିଥିବା ଭୟଙ୍କର ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୬୦ରୁ ଅଧିକ ଲୋକ ଆହତ ହୋଇଥିଲେ ।

Leave A Reply

Your email address will not be published.