୨୩ ବର୍ଷ ଧରି ବିଛଣାରେ ରାକେଶ, ଆପଣ ବି ତାଙ୍କ ଅବସ୍ଥା ଦେଖିଲେ କାନ୍ଦି ପକାଇବେ

ବୌଦ୍ଧ (କେନ୍ୟୁଜ) : ଯନ୍ତ୍ରଣା, କଷ୍ଟ । ନାଁ ଶୁଣିଲେ ସୁସ୍ଥ ମଣିଷ ବି ଛାନିଆ ହୋଇଯାଏ । ଏସବୁକୁ ଦୁରେଇ ରଖିବାକୁ ମଣିଷ କେତେ କଣ କରିଥାଏ । ଥରେ ଭାବନ୍ତୁ ତ ଜନ୍ମରୁ ଯନ୍ତ୍ରଣା ପାଉଥିବା ମଣିଷର ଅବସ୍ଥା କିପରି ଥିବ । ଭାଗ୍ୟର ବିଡମ୍ବନା ଯେଉଁ ବୟଷରେ ବାପାମାଆଙ୍କ ସେବା କରିବା କଥା ସେହି ବୟଷରେ ଘୁଷୁରୀ ଘୁଷୁରୀ ଯନ୍ତ୍ରଣା ପାଇ ଶରୀରକୁ କରିଦେଇଛନ୍ତି ପଥର । ୨୩ ବର୍ଷ ହେଲା ପୁଅର ଏ ଯନ୍ତ୍ରଣା ଦେଖି ବାପା ମାଆଙ୍କ ଆଖିରୁ ଶୁଖିଗଲାଣୀ ଲୁହ । ଏମିତି ଅବସ୍ଥାରେ ଯନ୍ତ୍ରଣାର ସହ ଜୁଝୁଛନ୍ତି ଆଡେଣୀଗଡ ଗାଁର ୨୩ ବର୍ଷୀୟ ଯୁବକ ରାକେଶ ସାହୁ । ଦେଖନ୍ତୁ…..,ଟିକିଏ ଭଲ କରି ଦେଖନ୍ତୁ । ଆପଣଙ୍କ ଆଖିରୁ ଲୁହ ଜକେଇ ଆସୁଥିବ। ଇଛା ହେଉଥିବ ପାଖକୁ ଯିବି ଆଉ ତାଙ୍କୁ ଟିକିଏ ସାହାଯ୍ୟ କରିବି । ଏମିତି ହିଁ କହୁଥିବ ଆପଣଙ୍କ ମନ । ହଁ ଆଜ୍ଞା, ଥରେ ଭାବନ୍ତୁ ତ, ଦିନେ କି ଦୁଇଦିନ ନୁହେଁ ଜନ୍ମରୁ ଆଜି ଯାଏଁ ଏମିତି ଯନ୍ତ୍ରଣାରେ ଜୀବନ ସହ ସଂଗ୍ରାମ କରୁଛନ୍ତି ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଆଡେଣିଗଡ ଗାଁର ଅରୁଣ ସାହୁଙ୍କ ୨୩ ବର୍ଷିୟ ପୁଅ ରାକେଶ ସାହୁ । ଜନ୍ମ ହେବା ପରେ ସବୁ ଠିକଠାକ ଥିଲା ।

ପୁଅ ଟିଏ ହୋଇଥିବାରୁ କୁଳ ରକ୍ଷା କରିବ, ମଲାବେଳେ ବାପାମାଆଙ୍କ ମୁହଁରେ ପାଣି ବୁନ୍ଦାଏ ଦେବ, ସେଥିପାଇଁ ବାପାମାଆଙ୍କ ମନରେ କାହିଁରେ କେତେ ଖୁସି । ହେଲେ ବିଧିର ବିଧାନ କିଛି ଅଲଗା ଲେଖା ଥିଲା । ଏମିତି କୋଉ ରୋଗ ଗ୍ରାସ କଲା ଯେ ଦିନକୁ ଦିନ ପୁଅର ଯେତିକି ବୟଷ ବଢୁଥିଲା ସେତିକି ଧିରେଧିରେ ଶରୀର ଅକ୍ଷମ ହୋଇଯାଉଥିଲା । ପୁଅର ଏଭଳି ଅବସ୍ଥା ଦେଖି ଚିନ୍ତାରେ ପଡିଗଲେ ବାପାମାଆ । ଗରିବି ପରିବାର ହୋଇଥିବାରୁ ବଡ ଡାକ୍ତରଖାନାକୁ ନେବା ଅସମ୍ଭବ ହୋଇପଡିଥିବାବେଳେ ବୌଦ୍ଧ ଓ ଫୁଲବାଣୀ ଡାକ୍ତରଖାନାକୁ ନେଇ ଚିକିତ୍ସିତ କରିଥିଲେ । ହେଲେ ଜମାରୁ ଭଲ ହଲେନି ରାକେଶ । ୟାରି ଭିତରେ ରାକେଶ କୁ ୨୩ ବର୍ଷ । ଏବେ ଚାରିକାନ୍ଥ ଆବଧ ଘର ଭିତରେ ହିଁ ପଡି ରହିଛନ୍ତି ରାକେଶ । ଖୁଆଇ ଦେଲେ ପେଟକୁ ଯାଇଥାଏ ଖାଦ୍ୟ । ଝାଡା,ପରିସ୍ରା ଗୋଟିଏ ଜାଗାରେ । ଯେତେବେଳେ ଇଛା ହୁଏ ଏମିତି ଘୁଷୁରୀଘୁଷୁରୀ ଘର ଭିତରକୁ ବାହାରକୁ ଆସିଥାନ୍ତି । ଏମିତି ଯନ୍ତ୍ରଣାରେ ହିଁ ଖଟିଆ ଉପରକୁ ଯାଇଥାନ୍ତି ଓହ୍ଲାଇଥାନ୍ତି ମଧ୍ୟ । ବେଳେବେଳେ ପଡିଯାଇ ମୁଣ୍ଡ ବି ଫାଟିଯାଏ । ଆଉ ବେଳେବେଳେ ତ ହାତଗୋଡ ଟାଙ୍କି ହେଉଥିବାରୁ ହାତରେ କପଡା ବାନ୍ଧି ଧରିଥାନ୍ତି । କୁହନ୍ତି ବହୁତ କଷ୍ଟ ଲାଗୁଛି…..ଆଉ ପାରୁନି ।

ରାକେଶଙ୍କୁ ମିଳୁଛି ୫ ଶହ ଟଙ୍କା ଭିନ୍ନକ୍ଷମ ଭତ୍ତା ଆଉ ୫ କିଲୋ ଚାଉଳ । ତାଛଡା ଆଉ କିଛି ନାହିଁ । ଅନ୍ତୋଦୟ ଯୋଜନାରେ ୩୫ କିଲୋ ଚାଉଳ, ଆବାସ ଯୋଜନାରେ ଘର ଖଣ୍ଡିଏ, ଏବଂ ଖଣ୍ଡିଏ ଟ୍ରାଇ ସାଇକେଲ ଯୋଗାଇଦେବାକୁ ଦାବି କରିଥିଲେ ପରିବାର ଲୋକେ , ହେଲେ ତାହା ଆଜି ଯାଏ ମିଳିନି । ଅରୁଣ ସାହୁଙ୍କ ପରିବାରରେ ୪ ପ୍ରାଣି କୁଟୁମ୍ବ । ଦିନ ତମାମ ପର ଘରର ମୁଲ ଲାଗିଲେ ଚୁଲିରେ ଭାତ ବସେ । ଏହାରି ଭିତରେ ପୁଅର ଚିକିତ୍ସା କରିବା ଏମାନଙ୍କ ପାଇଁ ସାତସପନ ହୋଇଯାଇଛି। ପୁଅର ସେବାରେ ଦିନରାତି ଲାଗିଥାନ୍ତି ମାଆ ରିନା ସାହୁ ।

ଇଛାଥିଲେ ବି ବାହାରକୁ ଯାଇ କାମ କରିବାକୁ ଯାଇପାରନ୍ତି ନାହିଁ । ଏକମାତ୍ର ପୁଅ ରାକେଶ ର ଏଭଳି ଯନ୍ତ୍ରଣାମୟ ଜୀବନକୁ ଦେଖିଲେ ସାହି ପଡିଶାଙ୍କ ଆଖିରୁ ମଧ୍ୟ ଝରିପଡେ ଲୁହ । କିଛି ନହେଲେ ବି ସାଇକେଲ ଖଣ୍ଡିଏ ଯୋଗାଇ ଦିଅନ୍ତୁ ସରକାର ବୋଲି କହିଛନ୍ତି ଗ୍ରାମଲୋକେ । ଏନେଇ ହରଭଙ୍ଗା ବିଡିଓଙ୍କ ସହିତ ଯୋଗାଯୋଗ କରିବାରୁ ଅନଲାଇନ ଜରିଆରେ ଆବେଦନ କଲେ ଆବଶ୍ୟକୀୟ ସରକାରୀ ସାହାଯ୍ୟ ଯୋଗାଇ ଦିଆଯିବ ।

ସମାଜରେ ଅନେକ ବାଦାନ୍ୟ ବ୍ୟକ୍ତି ଅଛନ୍ତି । ଯିଏ ଅନ୍ୟର ଦୁଖ ଦେଖି ସାହାଯ୍ୟର ହାତ ବଢାନ୍ତି । ରାକେଶଙ୍କ ଯନ୍ତ୍ରଣାକୁ ସାମାନ୍ୟ ହାଲୁକା କରିବା ନିମନ୍ତେ ଚିକିତ୍ସା ପାଇଁ ଆର୍ଥିକ ସହାୟତା ହେଉ ଅବା ଟ୍ରାଇସାଇକେଲଟିଏ କିଏ ଯଦି ସାହାଯ୍ୟ କରିବାକୁ ଚାହୁଁଛନ୍ତି ତାହାହେଲେ ଯୋଗାଯୋଗ କରନ୍ତୁ । ନାମ- ରାକେଶ ସାହୁ, ପିତାଙ୍କ ନାମ- ଅରୁଣ ସାହୁ, ଗ୍ରାମ- ଆଡେଣୀଗଡ, ପୋଷ୍ଟ- ଆଡେଣୀଗଡ, ଜିଲ୍ଲା-ବୌଦ୍ଧ, ଭାୟା-ଝାରରାଜିଙ୍ଗ, ଜିଲ୍ଲା- ବୌଦ୍ଧ ।

Leave A Reply

Your email address will not be published.