Below header

ଆଗତ ହୋଇଛି ସଂଶୋଧିତ ମୋଟର ଯାନ ଆଇନ୍‌,ମୃତକଙ୍କୁ ୧୦ ଲକ୍ଷ ଓ ଗୁରୁତରଙ୍କୁ ମିଳିବ ୫ ଲକ୍ଷ ଟଙ୍କା

ଲୋକସଭାରେ ଆଗତ ହୋଇଛି ସଂଶୋଧିତ ମୋଟର ଯାନ ଆଇନ୍‌ ୨୦୧୯। ସଡ଼କ ଓ ପରିବହନ ମନ୍ତ୍ରୀ ନିତୀନ ଗଡକରୀ ଏହାକୁ ଉପସ୍ଥାପନ କରିଥିଲେ। ଏହା କୌଣସି ରାଜ୍ୟ ଉପରେ ବାଧ୍ୟତାମୂଳକ ହେବନାହିଁ। ଯେଉଁ ରାଜ୍ୟ ନ ଚାହିଁବେ ତାଙ୍କୁ ବାଧ୍ୟ କରାଯିବନାହିଁ ବୋଲି ସଂସଦରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ପ୍ରତି ଦିନ ଦେଶରେ ପ୍ରାୟ ୧୩ଶହ ସଡ଼କ ଦୁର୍ଘଟଣା ହେଉଛି। ୪ଶହ ଜଣଙ୍କ ଏଥିରେ ମୃତ୍ୟୁ ହେଉଛି। ରିପୋର୍ଟ ଅନୁସାରେ ୭୦ ପ୍ରତିଶତରୁ ଅଧିକ ଦୁର୍ଘଟଣା ୧୪ରୁ ୪୫ ବର୍ଷ ବୟସ୍କଙ୍କ ଦ୍ୱାରା ହେଉଛି। ଦୁର୍ଘଟଣା ହ୍ରାସ ନେଇ ମୋଟର ଯାନ ଆଇନ-୧୯୮୮ରେ ସଂଶୋଧନ ଆଣିଛନ୍ତି କେନ୍ଦ୍ର ସରକାର। ଏହାକୁ ନେଇ ଲୋକସଭାରେ ବିଲ୍‌ ଆଗତ କରିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ।

ନୂଆ ବିଲ୍‌ରେ କ୍ଷତିପୂରଣ ଓ ବୀମା ବ୍ୟବସ୍ଥାରେ ସଂଶୋଧନ ହୋଇଛି। ତୃତୀୟ ପକ୍ଷରୁ ଦିଆଯାଉଥିବା ବୀମା ରାଶିର ସୀମା ନିର୍ଦ୍ଧାରଣ କରିଛନ୍ତି ସରକାର। ଦୁର୍ଘଟଣାରେ ମୃତ୍ୟୁ ହେଲେ ୧୦ ଲକ୍ଷ ଓ ଗୁରୁତର ଆହତ ହେଲେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ବୀମା କଂପାନୀ ଦେବେ। କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶରେ ଅଧିକ କ୍ଷତି ପୂରଣ ଦେବାକୁ ହେଲେ, ତାହା କିଏ ଦେବ? ଏ ସମ୍ପର୍କରେ ବିଲ୍‌ରେ କୌଣସି ତଥ୍ୟ ନାହିଁ।

ସଂଶୋଧିତ ଆଇନ ଅନୁସାରେ ଏଣିକି ୩୦ରୁ ୫୦ ବର୍ଷ ଭିତରେ ଜଣେ ଲାଇସେନ୍ସଧାରୀଙ୍କ ଡ୍ରାଇଭିଂ ଲାଇସେନ୍ସ ଅବଧି ୧୦ ବର୍ଷ ରହିବ। ପୂର୍ବରୁ ଏହା ୨୦ ବର୍ଷ ଥିଲା। ସେହିପରି ୫୦ରୁ ୫୫ ବର୍ଷ ବୟସ୍କଙ୍କ କ୍ଷେତ୍ରରେ ଡ୍ରାଇଭିଂ ଲାଇସେନ୍ସ ଅବଧି ୫ ବର୍ଷ ପାଇଁ କାମ କରିବ। ନିଶା ଦ୍ରବ୍ୟ ଖାଇ ଗାଡ଼ି ଚଳାଇଲେ ଏଣିକି ୧୦ ହଜାର ଟଙ୍କା ଜରିମାନା ଗଣିବେ। ପୂର୍ବରୁ ଏହା ୨ ହଜାର ଟଙ୍କା ଥିଲା।

ଯଦି କୌଣସି ଗାଡ଼ିରେ ତ୍ରୁଟି ଥିବା ଯାହା ପରିବେଶ କିମ୍ବା ସଡ଼କ ସୁରକ୍ଷା ପାଇଁ ବିପଦ ଥିବା ତେବେ ସେହି ଗାଡ଼ିକୁ ପ୍ରତ୍ୟାହାର କରି ନେବାକୁ ନିର୍ଦ୍ଦେଶ ଦେଇ ପାରିବେ କେନ୍ଦ୍ର ସରକାର। ଏ କ୍ଷେତ୍ରରେ ଗାଡ଼ି ନିର୍ମାତା ଗ୍ରାହକଙ୍କୁ ନୂଆ ଗାଡ଼ି ଯୋଗାଇବେ କିମ୍ବା ଗାଡ଼ିର ଟଙ୍କା ଫେରାଇବେ। ଲାଇସେନ୍‌ସ, ରେଜିଷ୍ଟ୍ରେସନ, ରିସିପ୍ଟ ଓ ଠିକଣା ବଦଳ ପ୍ରକ୍ରିୟା ସବୁ ଅନ୍‌ ଲାଇନ୍‌ରେ ହେବ। ସଡକ ସୁରକ୍ଷା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଷୟ। ତେଣୁ କେନ୍ଦ୍ରର ନିୟମ ଲାଗୁ କରିବା ପାଇଁ ରାଜ୍ୟ ବାଧ୍ୟ ନୁହନ୍ତି।

କେନ୍ଦ୍ର ସରକାର ଏକ ମୋଟର ଯାନ ଦୁର୍ଘଟଣା ପାଣ୍ଠି ଗଠନ କରିବେ। ଦୁର୍ଘଟଣା ଜନିତ ମୃତ୍ୟୁରେ ଯଦି କେହି ଦାୟୀ ହୁଅନ୍ତି ନାହିଁ,ଏପରି କ୍ଷେତ୍ରରେ ମୃତକଙ୍କୁ ଏହି ପାଣ୍ଠିରୁ କ୍ଷତିପୂରଣ ପ୍ରଦାନ କରାଯିବ। ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ସହରୀ ରାସ୍ତାରେ ସୁରକ୍ଷା ନେଇ ରାଜ୍ୟ ସରକାର ଇଲକ୍ଟ୍ରୋନିକ୍‌ ମନିଟରିଂ କରିବେ। ବ୍ୟାପକ ଭାବେ ସିସିଟିଭି ଓ ସ୍ପିଡ୍‌ ଡିକ୍ଟେଟର ଲଗାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.