ଦିଲ୍ଲୀର କାର୍ଣ୍ଣିଭାଲ୍‌ ରିସୋର୍ଟରେ ଭୟାବହ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କରିବାକୁ ଚାଲିଛି ଚେଷ୍ଟା

ଦିଲ୍ଲୀର ଅଲିପୁରରେ ଥିବା କାର୍ଣ୍ଣିଭାଲ୍‌ ରିସୋର୍ଟରେ ଭୟଙ୍କର ନିଆଁ ଲାଗିଥିବାର ଖବର ଆସିଛି । ଖବର ପାଇ ଘଟଣାସ୍ଥଳରେ ଦମକଳ ଗାଡ଼ି ପହଞ୍ଚିଛି । ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।

ଦିଲ୍ଲୀର ଅଲିପୁରରେ ଥିବା କାର୍ଣ୍ଣିଭାଲ୍‌ ରିସୋର୍ଟରେ ଭୟଙ୍କର ନିଆଁ ଲାଗିଥିବାର ଖବର ଆସିଛି । ଖବର ପାଇ ଘଟଣାସ୍ଥଳରେ ଦମକଳ ଗାଡ଼ି ପହଞ୍ଚିଛି । ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ତେବେ ରିସୋର୍ଟ ନିକଟରେ ପଟ୍ରୋଲ ପମ୍ପ ଥିବାରୁ ବଡ଼ ଦୁର୍ଘଟଣାର ଆଶଙ୍କା କରାଯାଉଛି । ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ନିଆଁ ଲିଭା କାର୍ଯ୍ୟ ଚାଲିଛି । ବର୍ତ୍ତମାନ ସୁଦ୍ଧା ନିଆଁକୁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରାଯାଇ ପାରିନାହିଁ ।

ଏହି ଅଗ୍ନିକାଣ୍ଡର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ନିଆଁ ଅତ୍ୟନ୍ତ ଭୟଙ୍କର ରୂପେ ଲାଗିଥିବା ବେଳେ ଭିଡିଓରେ ବିଲ୍ଡିଂରୁ ବଡ଼ ବଡ଼ ନିଆଁ ହୁଳା ଉଠୁଥିବାର ଦେଖିବାକୁ ମିଳୁଛି । ଏହି ଅଗ୍ନିକାଣ୍ଡ ଯୋଗୁ ରିସୋର୍ଟ ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଉଛି । ଯଦିଓ କ୍ଷୟକ୍ଷତିର ବାସ୍ତବିକ ଆକଳନ ନିଆଁ ଲିଭିବା ପରେ ହିଁ କରାଯାଇ ପାରିବ ।

ସମଗ୍ର ଦେଶରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପ୍ରବଳ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି । ଲୋକେ ପଦାକୁ ବାହାରି ପାରୁନାହାନ୍ତି । ଏଭଳି ସ୍ଥିତିରେ ଅଧିକାଂଶ ସ୍ଥାନରେ ଅଗ୍ନିକାଣ୍ଡ ଘଟୁଛି । ଏହାପୂର୍ବରୁ ଦିଲ୍ଲୀର ରୋହିଣୀର ଏକ ମଲରେ ନିଆଁ ଲାଗିଯାଇଥିଲା । ଏହି ଘଟଣାରେ ମଲ୍‌ରେ ଥିବା ସମସ୍ତ ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିଲା । ଚଳିତ ମାସରେ ସିଟି ସେଣ୍ଟର୍ ମଲ୍, ଆୟକର ବିଭାଗ ବିଲ୍ଡିଂ ଏବଂ ବିଜେପି ଅଫିସ୍‌ରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା ।

ଦିଲ୍ଲୀର ତାପମାତ୍ରା କ୍ରମାଗତ ଭାବେ ୪୦ ଡିଗ୍ରୀରୁ ଅଧିକ ରହୁଛି । ସହରରେ ଲୁ’ର ପ୍ରଭାବ ମଧ୍ୟ ଚରମ ସୀମାରେ ରହିଛି । ଏହି କାରଣରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗରମ ଯୋଗୁ ରୋଗ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଛି ଏବଂ ଅସାବଧାନତା ହେଲେ ଏହା ସାଂଘାତିକ ରୂପ ନେଇପାରେ ।

Leave A Reply

Your email address will not be published.