‘ହ୍ୟାଲୋ ମୁଁ ବଞ୍ଚିଛି’… ଦୁଇଦିନ ତଳେ ପରିବାର କରିଥିଲେ ଅନ୍ତିମ ସଂସ୍କାର; ହଠାତ୍‌ ଏବେ ଭିଡିଓ କଲ୍‌ରେ ନଜର ଆସିଲେ ମୃତ ବ୍ୟକ୍ତି!

ମହାରାଷ୍ଟ୍ରର ପାଳଘରରୁ ଚକିତ କଲାଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ମୃତ ବ୍ୟକ୍ତି ଦୁଇ ଦିନ ପରେ ଜୀବନ୍ତ ଅବସ୍ଥାରେ ମିଳିଛନ୍ତି। ସାଙ୍ଗ ସହିତ ଭିଡିଓ କଲ୍‌ରେ କଥାବାର୍ତ୍ତାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ମହାରାଷ୍ଟ୍ରର ପାଳଘରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୋଲିସ ସୂଚନା ମୁତାବକ, ପାଳଘର ଜିଲ୍ଲାରେ ଏକ ପରିବାର ୬୦ ବର୍ଷୀୟ ଅଟୋ ଚାଳକଙ୍କୁ ମୃତ ଭାବି ସମାଧି ଦେଇ ଦେଇଥିଲେ। କିନ୍ତୁ ଏବେ ସେ ଜୀବନ୍ତ ଅବସ୍ଥାରେ ମିଳିଛନ୍ତି। ଗତ ଦୁଇ ଦିନ ତଳେ ଦେଖିବାକୁ ମିଳିଛି ଯେ ଚାଳକ ଜଣକ ପାଳଘର ଅଞ୍ଚଳରେ ହିଁ ଏକ ନିରାଶ୍ରୟ ଘରେ ରହୁଛନ୍ତି ଏବଂ ସାଙ୍ଗ ସହିତ ତାଙ୍କ କଥାବାର୍ତ୍ତାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଜଣେ ପୋଲିସ ଅଧିକାରୀ କହିଛନ୍ତି କି, ପରିବାର ଦ୍ୱାରା ସମାଧି ଦିଆଯାଇଥିବା ମୃତଦେହକୁ ଏବେ ଚିହ୍ନଟ ପାଇଁ ପ୍ରୟାସ କରାଯାଉଛି। ୨୯ ଜାନୁୟାରୀରେ ବୋଇସର ଓ ପାଳଘର ଷ୍ଟେସନ ମଧ୍ୟବର୍ତ୍ତୀ ରେଳ ଟ୍ରାକ୍‌ ପାର୍‌ କରୁଥିବା ସମୟରେ ଟ୍ରେନ ଧକ୍କାରେ ଜଣେ ଅଜଣା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଜିଆର୍‌ପି ବ୍ୟକ୍ତିଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲା।

ଜିଆର୍‌ପି ଇନ୍ସପେକ୍ଟର କହିଛନ୍ତି ଯେ ପାଳଘରର ଜଣେ ବ୍ୟକ୍ତି ଜିଆର୍‌ପିକୁ ଯୋଗାଯୋଗ କରିଥିଲେ ଏବଂ ଦାବି କରିଥିଲେ କି, ମୃତକ ହେଉଛନ୍ତି ତାଙ୍କ ଭାଇ ରଫିକ୍‌ ଶେଖ, ଯିଏ ଦୁଇମାସ ତଳୁ ନିଖୋଜ ଥିଲେ। ଏ ନେଇ ତାଙ୍କ ପରିବାର ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ଏହି ଦାବି ପରେ ପୋଲିସ କେରଳରେ ରହୁଥିବା ମୃତ ବ୍ୟକ୍ତିଙ୍କ ପତ୍ନୀଙ୍କ ସହିତ ଯୋଗାଯୋଗ କରିଥିଲା। ଅଧିକାରୀଙ୍କ ମୁତାବକ, ମୃତକଙ୍କ ପତ୍ନୀ ପାଳଘର ଆସିଥିଲେ ଏବଂ ମୃତଦେହ ଚିହ୍ନଟ କରିଥିଲେ। ଏହାପରେ ପୋଲିସ ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଥିଲା।

ଦୁଇ ଦିନ ପୂର୍ବରୁ ପରିବାର ସଦସ୍ୟ ମୃତଦେହକୁ ପୋତି ଦେଇଥିଲେ। ଏହାରି ଭିତରେ ହଠାତ୍ ଶେଖଙ୍କର ଜଣେ ସାଙ୍ଗ ଶେଖ୍‌ଙ୍କୁ ଭୁଲ୍‌ବଶତଃ ଫୋନ୍‌ କରିଥିଲେ ଏବଂ ସେପଟୁ କଣ୍ଠସ୍ୱର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅଧିକାରୀ କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ ଭିଡିଓ ଚାଟ୍ ହୋଇଥିଲା ଏବଂ ଶେଖ ନିଜ ସାଙ୍ଗଙ୍କୁ କହିଥିଲେ କି, ସେ ଭଲ ଅଛନ୍ତି। ଭିଡିଓ ଚାଟ୍ କ୍ଲିପ୍ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏବେ ଭାଇରାଲ୍ ହେଉଛି। ଏ ନେଇ ଶେଖଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦିଆଯାଇଥିଲା, ଯାହାପରେ ସେମାନେ ଶେଖଙ୍କ ସହ ଯୋଗାଯୋଗ କରିଥିଲେ। ପରେ ଶେଖଙ୍କ ପରିବାର ପୂରା ମାମଲା ପୋଲିସକୁ ଜଣାଇଥିଲେ।

ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଶେଖ କିଛି ମାସ ତଳୁ ନିଜ ଘର ଛାଡ଼ି ପାଳଘରର ସଫଲା ଚାଲି ଯାଇଥିଲେ। ଅଧିକାରୀ କହିଛନ୍ତି, ପରିବାର ସଦସ୍ୟ ମୃତଦେହକୁ ଚିହ୍ନଟ କରିଥିଲେ ଏବଂ ସମସ୍ତ ଆବଶ୍ୟକ ଔପଚାରିକତା ପୂରଣ ପରେ ମୃତଦେହ ହସ୍ତାନ୍ତର କରାଯାଇଥିଲା। ଏବେ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିବା ପରେ ସମାଧି ଦିଆଯାଇଥିବା ଅଜଣା ମୃତ ବ୍ୟକ୍ତିଙ୍କ ପରିବାରକୁ ପୋଲିସ ଖୋଜିବା ଆରମ୍ଭ କରିଛି।