ଗୋଟିଏ ଦେଶ, ଗୋଟିଏ ନିର୍ବାଚନ, ଜାରି ରହିଛି ତର୍କ ବିତର୍କ

ଭୁବନେଶ୍ବର କେନ୍ୟୁଜ୍ : ଦେଶରେ ଏକକ ନିର୍ବାଚନ କିପରି ସମ୍ଭବ ହୋଇ ପାରିବ। ଏ ନେଇ ତର୍କ ଓ ବିତର୍କ ଜାରି ରହିଛି। ଏକକ ନିର୍ବାଚନରେ ଫାଇଦା କଣ ଓ ଏହା ଲାଗୁ କରିବା ନେଇ କଣ ଚ୍ୟାଲେଞ୍ଜ ରହିଛି, ଆସନ୍ତୁ ଜାଣିବା

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ। ବହୁ ପୂର୍ବରୁ ଏ ନେଇ ଆଲୋଚନା ହୋଇଛି। କିନ୍ତୁ ମୋଦି ସରକାର ଏହାକୁ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି। ଏକକ ନିର୍ବାଚନ ସପକ୍ଷରେ ଯୁକ୍ତି, ଖର୍ଚ୍ଚ କମିବ, ଉନ୍ନୟନ ମୂଳକ କାମ ବାଧାପ୍ରାପ୍ତ ହେବ ନାହିଁ, ମାନବ ସମ୍ବଳ ଅପଚୟ କମିବ। ବାରମ୍ବାର ନିର୍ବାଚନ ହେଲେ ଖର୍ଚ୍ଚ ବଢୁଛି। ଏଥର ସାଧାରଣ ନିର୍ବାଚନରେ ପ୍ରାୟ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଅନୁମାନ କରାଯାଉଛି। ଏହାସହ ପ୍ରତିବର୍ଷ ନିର୍ବାଚନ ହେଲେ ନିର୍ବାଚନ ଆଚରଣ ବିଧି ଯୋଗୁଁ ଉନ୍ନୟନ ମୂଳକ କାମ ବାରମ୍ବାର ଅଟକି ରହୁଛି। ଏହାସହ ପ୍ରତି ନିର୍ବାଚନ ବହୁ ସଂଖ୍ୟାରେ ଅଧିକାରୀ ଓ କର୍ମଚାରୀ ସହ ସୁରକ୍ଷା କର୍ମୀ ନିୟୋଜିତ ହେଉଛନ୍ତି। ଏ ସବୁକୁ ଦୂର କରିବା ଲାଗି ଏକକ ନିର୍ବାଚନ ସପକ୍ଷରେ ମତ ପ୍ରକାଶ ପାଉଛି।

ଏକକ ନିର୍ବାଚନକୁ କିନ୍ତୁ ସବୁ ଦଳ ସମର୍ଥନ କରୁ ନାହାନ୍ତି। ଏହା ସଂଘୀୟ ବ୍ୟବସ୍ଥାରେ ବାଧା ସୃଷ୍ଟି କରିପାରେ ବୋଲି କୁହାଯାଉଛି। ଦ୍ୱିତୀୟରେ ଏହା ଜାତୀୟ ଦଳଗୁଡିକୁ ଏହା ସୁହାଇ ପାରେ। କାରଣ ଏକାଠି ନିର୍ବାଚନ କଲେ, ନଜରକୁ ଆସିଛି ଲୋକସଭାରେ ଯେଉଁ ଦଳକୁ ଲୋକେ ଭୋଟ ଦିଅନ୍ତି, ସେହି ଦଳକୁ ହିଁ ବିଧାନସଭା ପାଇଁ ଭୋଟ ଦିଅନ୍ତି। ଏପରି  ହେବାର ୭୭ ପ୍ରତିଶତ ସମ୍ଭାବନା ରହିଛି। ୧୯୯୯ରୁ ୨୦୧୪ ପର୍ଯ୍ୟନ୍ତ କରାଯାଇଥିବା ନୀତି ଆୟୋଗ ସର୍ଭେରେ ଏହା ଜଣା ପଡିଛି। ଅହୁରି ଏକ ବଡ଼ ସମସ୍ୟା ରହିଛି, ସମ୍ବିଧାନରେ ସଂଶୋଧନ। ୱାନ ନେସନ ୱାନ ଇଲେକ୍ସନ ପାଇଁ ସମ୍ବିଧାନରେ ସଂଶୋଧନ କରିବାକୁ ପଡିବ। ସଂସଦର ଉଭୟ ଗୃହରେ ଦୁଇ ତୃତୀୟାଂଶ ବହୁ ମତରେ ସମ୍ବିଧାନ ସଂଶୋଧନ ବିଲ୍‌ ପାସ ହେବା ଜୁରୁରୀ।  କେବଳ ସେତିକି ନୁହଁ ୫୦ ପ୍ରତିଶତ ରାଜ୍ୟ ଏହାକୁ ଅନୁମୋଦନ କରିବାକୁ ପଡିବ।

ୱାନ ନେସନ ୱାନ ଇଲେକ୍‌ସନ ନେଇ ସମ୍ବିଧାନ ସଂଶୋଧନ ପାଇଁ ପାଇଁ ମୋଦିଙ୍କ ପାଖରେ ଲୋକସଭାରେ ବହୁ ମତ ଅଛି। ରାଜ୍ୟସଭାରେ ଅଡୁଆ ହୋଇପାରେ। ଦେଶରେ ପ୍ରାୟ ୧୫ଟି ରାଜ୍ୟରେ ଏନ୍‌ଡିଏ ଶାସନ ରହିଛି। ତେଣୁ ଆଲୋଚନା ଜରିଆରେ ଏକକ ନିର୍ବାଚନ ପାଇଁ ରାସ୍ତା ପ୍ରସ୍ତୁତିରେ ଲାଗିଛନ୍ତି ନରେନ୍ଦ୍ର ମୋଦି। ବିଶେଷ କରି ଏହି ବ୍ୟବସ୍ଥା ପାଇଁ ଅନ୍ୟ ଦଳରୁ ସହଯୋଗ ଲୋଡୁଛନ୍ତି। ତେଣୁ ଆଜିର ବୈଠକରେ ଏ ପ୍ରସଙ୍ଗରେ ହୋଇଥିଲା ଆଲୋଚନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.