Below header

ଯୁବତୀଙ୍କୁ ୧୨ କିମି ଘୋଷାଡି ନେବା ଘଟଣା: ଦୁର୍ଘଟଣା ସମୟରେ ସ୍କୁଟିରେ ଥିଲେ ଦୁଇଜଣ ଯୁବତୀ, ସତ କହିବେ ଆହତ ଯୁବତୀ

ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳରେ କାରରେ ଘୋଷାଡ଼ି ହୋଇ ଯୁବତୀଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼। ପୋଲିସ ଆଉ ଏକ ନୂଆ ଖୁଲାସା କରିଛି । ମୃତ ଯୁବତୀଙ୍କ ସହ ସ୍କୁଟିରେ ଥିଲେ ଆଉ ଜଣେ ଯୁବତୀ। ଦୁହିଁଙ୍କର ଅଭିଯୁକ୍ତ କାର ସହ ଧକ୍କା ହୋଇଥିଲା। ଯୁବତୀଙ୍କୁ ସାମାନ୍ୟ ଆଘାତ ଲାଗିଥିଲା। ଦୁର୍ଘଟଣା ପରେ ସେ ଘରକୁ ଚାଲିଯାଇଥିଲେ । ମାତ୍ର ମୃତ ଯୁବତୀ ଅଞ୍ଜଳିଙ୍କ ଗୋଡ କାର ଚକରେ ଫସି ଯାଇଥିଲା ଆଉ କାରରେ ବସିଥିବା ଅମାନବିକ ମଣିଷ ତାଙ୍କୁ ଘୋଷାଡି ନେଇଯାଇଥିଲେ ।। ରୁଟ ଟ୍ରେସ କରିବା ସମୟରେ ପୋଲିସକୁ ଏହି ସୂଚନା ମିଳିଛି ।

ଆଜି ପୋଲିସ ଆହତ ଯୁବତୀଙ୍କ ବୟାନ ରେକର୍ଡ କରିପାରେ । ମୃତ୍ୟୁବରଣ କରିଥିବା ଯୁବତୀଙ୍କ ପୋଷ୍ଟମର୍ଟମ ହୋଇଛି । ୩ ଜଣିଆ ଡାକ୍ତରୀ ଟିମ୍ ଯବୁତୀଙ୍କ ପୋଷ୍ଟମର୍ଟମ କରିଛନ୍ତି । ଘଟଣାରେ ୫ଜଣଙ୍କୁ ଗିରଫ କରି ୩ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ୫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବିଜେପି ନେତା ଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା କହିଛନ୍ତି ଆପ୍ ମୁଖପାତ୍ର ସେରବ ଭରଦ୍ୱାଜ। ୨୦ ବର୍ଷୀୟ ଯୁବତୀଙ୍କୁ କାର ଧକ୍କା ଦେବା ପରେ ୧୨ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା।

ସୂଚନାଯୋଗ୍ୟ, ନୂଆବର୍ଷରେ ରାଜଧାନୀ ଦିଲ୍ଲୀରେ ଏଭଳି କାଣ୍ଡ ଘଟିଥିଲା ।ଜିରୋ ନାଇଟ୍ ସେଲିବ୍ରେସନର କିଛି ଘଣ୍ଟା ପରେ ଦିଲ୍ଲୀ ସୁଲତାନପୁରୀରେ ଲୋମଟାଙ୍କୁରା ଦୁର୍ଘଟଣା ଘଟିଥିଲା । ଏହି ମାମଲାରେ ପୋଲିସ ୫ ଜଣ ଲୋକଙ୍କୁ ଗିରଫ କରିଥିଲା।
ରବିବାର ଭୋର ୩.୩୦ ମିନିଟରେ ଏକ ଫୋନ କଲ ଆସିଥିଲା । ଆଉ ଫୋନରେ ଥିବା ଲୋକ କହିଥିଲେ, ଏକ ଗ୍ରେ ରଙ୍ଗର ବଲେନୋ କାର ଜଣେ ଯୁବତୀଙ୍କ ମୃତଦେହକୁ ଘୋଷାଡି ନେଉଛି। ଆଉ ଗାଡିର ରେଜିଷ୍ଟ୍ରେସନ ନମ୍ବର ମଧ୍ୟ କହିଥିଲେ । ଏହି ଆଧାରରେ ପୋଲିସ କାର ମାଲିକ ସମତେ ୫ ଜଣଙ୍କୁ ଗିରଫ କରିଛି । ଧାରା ୨୭୯ (ଦ୍ରୁତ ଗାଡିଚାଳନା) ଏବଂ ୩୦୪-ଏ (ଅବହେଳା ଦ୍ୱାରା ମୃତ୍ୟୁ) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଦୀପକ ଖାନ୍ନା, ଅମିତ ଖାନ୍ନା, କୃଷ୍ଣ, ମିଥୁନ ଏବଂ ମନୋଜ ମିତ୍ତଲଙ୍କୁ ଗିରଫ କରାଯାଇଛି। ତେବେ ଅଭିଯୁକ୍ତଙ୍କ କହିବା ଅନୁଯାୟୀ, ସେମାନେ ଜାଣିନଥିଲେ ତାଙ୍କ କାର ଏକ ମୃତଦେହକୁ ଘୋଷାଡି ଆଣିଛି । ଆଉ ଯେତେବେଳେ ଜାଣିଲେ ମୃତଦେହକୁ କାରରୁ ହଟାଇବା ପରେ ଛାଡି ଫେରାର ହୋଇଯାଇଥିଲେ ।

ତେବେ ମୃତ ଯୁବତୀଙ୍କ ମା’ କହିଛନ୍ତି, ତାଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିବାକୁ ଉଦ୍ୟମ କରାଯାଇଛି। ତାଙ୍କର ନଗ୍ନ ମୃତଦେହ ମିଳିଥିବାରୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରୁଛନ୍ତି। ଯୁବତୀଙ୍କ ମୃତଦେହ ସଂପୂର୍ଣ୍ଣ ଉଲଗ୍ନ ଥିଲା କିନ୍ତୁ ଡ୍ରେସ ସଂପୂର୍ଣ୍ଣ ଭାବେ ଚିରିନଥିଲା। ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.